ଦିଗପହଣ୍ଡି: ଗ୍ରୀଷ୍ମରେ ଜଳସ୍ତର ହ୍ରାସ ପାଇବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଖମାରିଗାଁ ନିକଟରେ ଅବସ୍ଥିତ ଘୋଡ଼ାହାଡ଼ ଡ୍ୟାମ୍‌ ଗର୍ଭରେ ଲୀନ ପୁରାତନ ଜଗନ୍ନାଥ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଛି। ପ୍ରାୟ ୩୦୦ ବର୍ଷ ପୁରୁଣା ଏହି ମନ୍ଦିରର ଅଧାଭାଗ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ଲାଗି ଲୋକେ ଲଞ୍ଚ୍ ଓ ଡଙ୍ଗାରେ ଯାଉଛନ୍ତି।

Advertisment

ଐତିହାସିକ ଓ ଗବେଷକଙ୍କ ତଥ୍ୟାନୁସାରେ, ବିଜୟନଗରଗଡ଼ ସେତେବ‌େଳେ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଥିଲା। ରାଜା ପଦ୍ମନାଭ ଅନଙ୍ଗଭୀମଦେବଙ୍କ ଶାସନ ସମୟରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା। ଯେଉଁଠି ରଥଯାତ୍ରା ମଧ୍ୟ ହେଉଥିଲା। ଏହାସହ ଏଠାରେ ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ମଧ୍ୟ ନିର୍ମାଣ କରାଯାଇଥିଲା। କିନ୍ତୁ ସମୟଚକ୍ରରେ ‌ଘୋଡ଼ାହାଡ଼ ଡ୍ୟାମ୍ ନିର୍ମାଣ ପରେ ଏହାର ଐତିହ୍ୟ ଲୀନ ହୋଇଯାଇଛି। ଅଞ୍ଚଳବାସୀଙ୍କୁ ଖମାରିଗାଁ ନିକଟରେ ଥଇଥାନ କରାଯିବା ସହ ଜମି ଦିଆଯାଇଛି। ପରବର୍ତ୍ତୀ ସମୟରେ ରାଜା ଚୈତନ୍ୟ ଦେବ ଦିଗପହଣ୍ଡି ରାଜନଅର ମଧ୍ୟରେ ଝିକରରେ ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲେ। ଘୋଡ଼ାହାଡ଼ର ଗର୍ଭରେ ଲୀନ ଉକ୍ତ ମନ୍ଦିରର ତିନି ଠାକୁରଙ୍କୁ ଏଠାରେ ଆଣି ସ୍ଥାପନ କରିଥିଲେ। ଏଯାଏ ଶ୍ରୀଜୀଉଙ୍କ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଦିଗପହଣ୍ଡି ବଡ଼ଦାଣ୍ଡରେ ରଥଯାତ୍ରା ହେଉଛି।