ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଗୋଟିଏ ସିଲିଣ୍ଡର୍‌ରୁ ୩ଜଣ ଶିଶୁଙ୍କୁ ଅକ୍ସିଜେନ୍‌ ଯୋଗାଣ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ତେବେ, ଖୋଳତାଡ଼ ପରେ ଏକ ସାଂଘାତିକ ଘଟଣା ସାମ୍‌ନାକୁ ଆସିଛି। ଯେଉଁ ଶିଶୁମାନଙ୍କୁ ଅକ୍ସିଜେନ୍‌ ଦିଆଯାଇଥିଲା, ସେମାନେ ବିନା ଅକ୍ସିଜେନ୍‌ରେ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ଥିଲେ। ତେଣୁ, ସମ୍ପୃକ୍ତ ଶିଶୁମାନଙ୍କୁ ଅକ୍ସିଜେନ୍‌ର ଆବଶ୍ୟକତା ନଥିଲା। ତେବେ, ଇକୋ ପରୀକ୍ଷା ପାଇଁ ନେବା ବେଳେ କିଏ ଓ କାହିଁକି ଅକ୍ସିଜେନ୍‌ ବ୍ୟବସ୍ଥା କଲା, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଶିଶୁ ବିଭାଗ ମୁଖ୍ୟଙ୍କୁ ଏମ୍‌କେସିଜି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Advertisment

ଗତକାଲି ଡାକ୍ତରଙ୍କ ପରାମର୍ଶ କ୍ରମେ ୪ଜଣ ଶିଶୁଙ୍କ ଇକୋ ପରୀକ୍ଷା ପାଇଁ ଏସ୍‌ଏନ୍‌ସିୟୁରୁ ସୁପର୍‌ସ୍ପେସାଲିଟି ବ୍ଲକ୍‌ ହୃଦ୍‌ରୋଗ ବିଭାଗକୁ ନିଆଯାଉଥିଲା। ଏହିସମୟରେ ଗୋଟିଏ ସିଲିଣ୍ଡର୍‌ରୁ ୩ଟି ପାଇପ୍‌ ଯୋଗେ ୩ଜଣ ଶିଶୁଙ୍କୁ ଅକ୍ସିଜେନ୍‌ ଯୋଗାଣ କରାଯାଇଥିଲା। ଆଟେଣ୍ଡାଣ୍ଟ୍‌ ଜଣଙ୍କ ସିଲିଣ୍ଡର୍‌ ଟାଣିଟାଣି ନେଉଥିବା ବେଳେ ସେଠାରୁ ଲମ୍ବିଥିବା ୩ଟି ପାଇପ୍‌ ଜରିଆରେ ଶିଶୁମାନଙ୍କୁ ଅକ୍ସିଜେନ୍‌ ଯୋଗାଣ ହେଉଥିଲା। ମାଆମାନେ ଶିଶୁଙ୍କୁ କୋଳେଇ ଧରିଥିଲେ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଚିକିତ୍ସାସେବାର ଏହିଭଳି ବିକଳ ଚିତ୍ର ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଏଭଳି ଚିକିତ୍ସାସେବାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ଏହିସମୟରେ ଯଦି କୌଣସି ଅଘଟଣ ଘଟିଥା’ନ୍ତା, ତେବେ କିଏ ଦାୟୀ ହୋଇଥା’ନ୍ତା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ, ତଦନ୍ତ ରିପୋର୍ଟ ଆସିବାପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି।