ଦେଉଳିରେ ବୃଦ୍ଧି ପାଉଛି ରାହାଜାନି, ୧୦ ଦଫା ଦାବି ନେଇ ଥାନା ଘେରିଲେ ଏସ୍‌ଏସ୍‌ଜି ମହିଳା

ପ୍ରତିଶ୍ରୁତି ପରେ ଘେରାଉରୁ ଓହରିଲେ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଦେଉଳି ଗ୍ରାମରେ ଚୋରି, ଲୁଟ୍‌, ଡକାୟତି, ରାହଜାନି ଆଦି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ ପାଇଁ ମନମୁଣ୍ଡା ପୁଲିସ୍‌ ଉପରେ ଚାପ ପକାଇବାକୁ ଶନିବାର ଦେଉଳି ଗ୍ରାମର ୧୦ଟି ଏସ୍‌ଏଚ୍‌ଜିର ଶତାଧିକ ମହିଳା ଥାନାକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ମାସ ୧୬ ତାରିଖ ମଧ୍ୟ ରାତ୍ରିରେ ଏହି ଗ୍ରାମର ଜଣେ ପ୍ରଧାନଶିକ୍ଷକ ଗଣେଶ ମିଶ୍ରଙ୍କ ଘରୁ ୫ଜଣ ଡକାୟତ ବନ୍ଧୁକ ଦେଖାଇ ପ୍ରାୟ ସାଢ଼େ ୮ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେ।

ପରଦିନ ସଇଁତଲା ପୁଲିସ୍‌ ହାତରେ ସେହି ଡକାୟତମାନେ ଧରାପଡ଼ିଥିଲେ। ମନମୁଣ୍ଡା ପୁଲିସ୍‌ ସାଙ୍ଗରେ ଗଣେଶ ମିଶ୍ର ସେଠାକୁ ଯାଇ ଡକାୟତଙ୍କୁ ଚିହ୍ନଟ କରିଥିଲେ। ଡକାୟତଙ୍କୁ ରିମାଣ୍ଡ୍‌ରେ ଆଣିବାକୁ ମନମୁଣ୍ଡା ପୁଲିସ୍‌ ଗଣେଶଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜିକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ଆଣିପାରି ନାହିଁ। ଦେଉଳି ତେଲନଦୀ କୂଳରେ ଥିବା ପାନୀୟ ଜଳଯୋଗାଣର ମେସିନ୍‌ ଗୃହ ଏବଂ କଲ୍ୟାଣ ମଣ୍ଡପରେ ପ୍ରତ୍ୟେହ କେତେକ ଦୁର୍ବୃତ୍ତ ରାତି ୧୦ଟା ପର୍ଯ୍ୟନ୍ତ ମଦ ଗଞ୍ଜେଇ ସେବନ କରି ରାତିରେ ଗ୍ରାମ ମଧ୍ୟରେ ଅସାମାଜିକ କାର୍ଯ୍ୟ ଚଳାଇଛନ୍ତି।

ଗାଁର ୩ଟି ଷ୍ଟ୍ରିଟ୍‌ଲାଇଟ୍‌ ଦୀର୍ଘ ଦିନରୁ ଅଚଳ ହୋଇପଡ଼ିଛି। ତାକୁ ଶୀଘ୍ର ସଚଳ କରାଯାଉ। ପ୍ରତ୍ୟହ ରାତି ୧୦ଟା ରୁ ୪ଟା ପର୍ଯ୍ୟନ୍ତ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡ଼ି, ମନମୁଣ୍ଡା-ସିନ୍ଧିଗୋରା ୪୧ ନଂ ରାଜ୍ୟ ରାଜପଥରେ ପ୍ରତ୍ୟେକ ଦୁର୍ଘଟଣା ଘଟୁଛି। ତେଣୁ ଦେଉଳି ଗ୍ରାମର ଉଭୟ ପାର୍ଶ୍ୱରେ ଓ ମଝିରେ ୩ ଗୋଟି ହମ୍ପସ୍‌ ନିର୍ମାଣ ଓ ଚୋରି ସାମଗ୍ରୀ ଉଦ୍ଧାର ଆଦି ୧୦ଟି ଦାବି ନେଇ ମନମୁଣ୍ଡା ଥାନା ଘେରାଉ କରିଥିଲେ। ମନମୁଣ୍ଡା ଥାନା ଏସ୍‌ଆଇ ସସ୍ମିତା ମଗରଙ୍କୁ ଦାବିପତ୍ର ଦେଇଥିଲେ। କଣ୍ଟାମାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ଖୁବଶୀଘ୍ର ସେମାନଙ୍କୁ ରିମାଣ୍ଡରେ ଅଣାଯିବ ଏବଂ ଉପରୋକ୍ତ ସମସ୍ତ ଦାବିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀମତୀ ମଗର ପ୍ରତିଶ୍ରୁତି ଦେଲାପରେ ମହିଳାମାନେ ଥାନା ଘେରାଉରୁ ହଟିଥିଲେ।

ସମ୍ବନ୍ଧିତ ଖବର