୧୦ ହଜାର ରୋଗୀଙ୍କ ପାଇଁ ଗୋଟିଏ ଅଲଟ୍ରାସାଉଣ୍ଡ୍ ମେସିନ୍

ଭଞ୍ଜନଗର : ସରକାରୀ ଡାକ୍ତରଖାନା ଗୁଡ଼ିକରେ ଉତ୍ତମ ରୋଗୀ ସେବା ଉଦ୍ଦେଶ୍ୟରେ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ସହ ଅତ୍ୟାଧୁନିକ ଯନ୍ତ୍ରପାତିର ସୁବିଧା କରାଯାଉଛି। କିନ୍ତୁ କେଉଁଠି ଡାକ୍ତରଙ୍କ ଅଭାବ ତ ଆଉ କେଉଁଠି ଯନ୍ତ୍ରପାତି ଚଳାଇବାକୁ ରେଡିଓଲୋଜିଷ୍ଟ୍ ଓ ଟେକ୍ନିସିଆନ୍ ନାହାନ୍ତି। ଫଳରେ ଏହାର ମୂଳ ଉଦ୍ଦେଶ୍ୟ ସାଧିତ ହୋଇପାରୁନି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଭଞ୍ଜନଗର ଡାକ୍ତରଖାନାରେ। ଭଞ୍ଜନଗର ସମେତ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାବାସୀଙ୍କ ସାହାଭରସା ଏହି ଡାକ୍ତରଖାନାରେ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା ପାଇଁ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି। ପ୍ରତିମାସରେ ୧୦ହଜାରରୁ ଅଧିକ ରୋଗୀ ଏହି ଡାକ୍ତରଖାନାକୁ ଆସୁଥିବା ବେଳେ ଗୋଟିଏ ମାତ୍ର ଅଲ୍‌ଟ୍ରାସାଉଣ୍ଡ୍ ମେସିନ୍ ରହିଛି। ଏଭଳି ଏକ ଘଡ଼ିସନ୍ଧି ସମୟରେ ରେଡିଓଲୋଜିଷ୍ଟ୍ ନଥିବାରୁ ପ୍ରତିମାସର ଗୁରୁବାର ଦିନ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର କେବଳ ଗର୍ଭବତୀଙ୍କ ପରୀକ୍ଷା କରୁଛନ୍ତି। କିନ୍ତୁ ଅନ୍ୟ ରୋଗୀ ଏଥିରୁ ବଞ୍ଚିତ ହେଉଛନ୍ତି। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ଆଉ ଅଧିକାଂଶ ରୋଗୀ ଅଲ୍‌ଟ୍ରାସାଉଣ୍ଡ୍ ପାଇଁ ବ୍ରହ୍ମପୁର ଆସି ଏବେବି ଖର୍ଚ୍ଚାନ୍ତ ହେଉଛନ୍ତି।

ଜିଲ୍ଲା ଚିକିତ୍ସାଳୟ ଭଳି ଭଞ୍ଜନଗର ଡାକ୍ତରଖାନାକୁ ରୋଗୀ ଆସୁଥିବାରୁ ଏହାକୁ ନଜର‌ରେ ରଖି ୨୦୧୫ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ଏଠାରେ ଅଲଟ୍ରାସାଉଣ୍ଡ୍ ମେସିନ୍‌ର ସୁବିଧା ଆରମ୍ଭ ହୋଇଥିଲା। କିନ୍ତୁ ୨ରୁ ୩ ଜଣ‌ ରୋଗୀଙ୍କ ପରୀକ୍ଷା ପରେ ଏହି ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଗଲା। କାରଣ ଜଣେ ରେଡିଓଲୋଜିଷ୍ଟ୍‌ଙ୍କ ସମେତ ଜଣେ ନର୍ସ ଏବଂ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଆବଶ୍ୟକତା ରହିଥିଲା। ୩ ବର୍ଷ ଧରି ଅଲଟ୍ରାସାଉଣ୍ଡ୍‌ ମେସିନ୍‌ରେ ପରୀକ୍ଷା ବନ୍ଦ ରହିବା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ବୃନ୍ଦାବନ ଗୌଡ଼ ୨୦୧୮ରେ ସ୍ବତନ୍ତ୍ର ତାଲିମ ନେଇଥିଲେ। ଉକ୍ତ ବର୍ଷ ନଭେମ୍ବର ମାସରୁ ମେସିନ୍‌କୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା। ଡାକ୍ତରଜଣକ ନିଜ ଡ୍ୟୁଟି କରିବା ସହ ମେସିନ୍‌ରେ କେବଳ ଗର୍ଭବତୀଙ୍କ ପରୀକ୍ଷା ହେଉଛି। ସପ୍ତାହକୁ ଥରେ ଏବଂ ପ୍ରଧାନମନ୍ତ୍ରୀ ମାତୃ ଓ ଶିଶୁ ସୁରକ୍ଷିତ ଅଭିଯାନରେ ପ୍ରତିମାସର ୯ ତାରିଖ ଦିନ ପରୀକ୍ଷା କରାଯାଉଛି। କିନ୍ତୁ ମେସିନ୍ ଖରାପ ହେଲେ ଓ ଡାକ୍ତର ଛୁଟିରେ ରହିଲେ ସମସ୍ୟା ‌ସୃଷ୍ଟି ହେଉଛି। ଫଳରେ କିଛି ଗର୍ଭବତୀ ବାଧ୍ୟ ହୋଇ ବାହାରେ ଅଲ୍‌ଟ୍ରାସାଉଣ୍ଡ୍ ପରୀକ୍ଷା କରୁଛନ୍ତି।

ଚଳାଇବାକୁ ନାହାନ୍ତି ରେଡିଓଲୋଜିଷ୍ଟ୍, ସାଧାରଣ ରୋଗୀ ବଞ୍ଚିତ

ସପ୍ତାହକୁ ଥରେ ଗର୍ଭବତୀଙ୍କ ପରୀକ୍ଷା କରୁଛନ୍ତି ବିଭାଗୀୟ ଡାକ୍ତର

ପ୍ରତିମାସରେ ଆଉଟଡୋର୍‌କୁ ୧୦ ହଜାରରୁ ଅଧିକ ରୋଗୀ ଆସୁଥିବା ବେଳ‌େ ଇନ୍‌ଡୋରରେ ପ୍ରାୟ ୪୦୦ ରୋଗୀଙ୍କ ଚିକିତ୍ସା ହେଉଛି। ବିଶେଷକରି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପାଖାପାଖି ୨୫୦ ଜଣଙ୍କ ଚିକିତ୍ସା ହେଉଛି। ସେହିପରି ନିର୍ଦ୍ଧାରିତ ଦିନରେ ୪୦ରୁ ୫୦ ଜଣ ଗର୍ଭବତୀଙ୍କ ପରୀକ୍ଷା ହେଉଥିବା ବେଳେ ମାସରେ ପ୍ରାୟ ୨୦୦ ଜଣ ଏହାଦ୍ବାରା ଉପକୃତ ହେଉଛନ୍ତି। କିନ୍ତୁ ସାଧାରଣ ରୋଗୀ ଏଥିରୁ ବଞ୍ଚିତ ହେଉଛନ୍ତି। ୨୦୧୮-୧୯ରେ ୨୧୨ ଜଣ, ୨୦୧୯-୨୦ ରେ ୬୭୬, ୨୦୨୦-୨୧ରେ ୧୧୯୮ ଜଣ ଏବଂ ୨୦୨୧ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ୧୮୨୮ ଜଣ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ୍ ପରୀକ୍ଷା ହୋଇଛି। ରୋଗୀଙ୍କ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ରେଡିଲୋଜିଷ୍ଟ ନିଯୁକ୍ତି ଦେବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର