ମାଣତ୍ରୀ: ପୁଅ ଜନ୍ମ କରିଥିଲେ। ଆଶା ଥିଲା ବୃଦ୍ଧ ବୟସରେ ସାହା ହେବ। ହେଲେ ପୁଅ ଜନ୍ମ କରି ସୁଖ ତ ମିଳିଲାନି, ଦୁଃଖରେ କେବଳ ଲୁହ ଗଡ଼ାଇବା ସାର ହେଲା। ଆଖି ବୁଜିଲେ ପୁଅ କାନ୍ଧରେ ମଣାଣିକୁ ଯିବେ, ତା’ ହାତରୁ ନିଆଁ ପାଇବେ ଭାବିଥିଲେ। ହେଲେ ସେତକ ଆଶା ବି ପୂରଣ ହୋଇପାରିଲାନି। ପୁଅ ସିନା ମାଆକୁ ଭୁଲିଗଲା, ଝିଅ କିନ୍ତୁ ଶବାଧାରକୁ କାନ୍ଧଦେଲା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ମାଣତ୍ରୀ ଗ୍ରାମରେ।

Advertisment

ସୂଚନା ଅନୁସାରେ; ମାଣତ୍ରୀ ଶୈବପୀଠର ପୂଜକ ହରିହର ପଣ୍ଡା ଓ ପତ୍ନୀ ମନ୍ଦାକିନୀ ଦେବୀଙ୍କ ୪ ଝିଅ; ରାସମଞ୍ଜରୀ, ନର୍ମଦା, କମଳିନୀ ଓ ପଙ୍କଜିନୀ ଏବଂ ଜଣେ ପୁଅ ଶଶିଶେଖର (୭୪)। ଶଶିଶେଖର ଓ ତିନି ଝିଅ ବିବାହ କରିଥିବା ବେଳେ ସାନଝିଅ ପଙ୍କଜିନୀ (୪୭) ବିବାହ କରିନାହାନ୍ତି। ହରିହରଙ୍କ ମୃତ୍ୟୁ ପରେ ମନ୍ଦାକିନୀ ଏକା ହୋଇଯାଇଥିଲେ। ପୁଅ ଶଶିଶେଖର ମାଆଙ୍କ କଥା କିଛି ବୁଝୁ ନଥିଲେ। ଫଳରେ ଅବିବାହିତା ସାନଝିଅ ପଙ୍କଜିନୀ ମାଆଙ୍କର ସେବାଶୁଶ୍ରୂଷା କରୁଥିଲେ।

ଏପରି ସମୟରେ ଆଜି ୯୩ ବର୍ଷ ବୟସରେ ମନ୍ଦାକିନୀଙ୍କ ପରଲୋକ ହୋଇଯାଇଥିଲା। ଖବର ପାଇ ଶଶିଶେଖର ମାଆଙ୍କ ଶେଷଦର୍ଶନ ପାଇଁ ଆସିଥିଲେ। ହେଲେ ଘରେ ଭାଇଙ୍କୁ ଦେଖି ପଙ୍କଜିନୀ ଧିକ୍କାର କରିଥିଲେ। ଗେଟ୍‌ରେ ତାଲା ପକାଇ ତାଙ୍କୁ ଘର ଭିତରକୁ ପୂରାଇ ନଥିଲେ କି ମାଆଙ୍କ ଶେଷଦର୍ଶନ କରିବାକୁ ଦେଇ ନଥିଲେ। ଫଳରେ ଶଶିଶେଖର ସେଠାରୁ ଚାଲି ଯାଇଥିଲେ। ପରେ ପଙ୍କଜିନୀ ବନ୍ଧୁବାନ୍ଧବ ଓ ସାହିପଡ଼ିଶାଙ୍କୁ ନେଇ ମାଆଙ୍କର ଶେଷକୃତ୍ୟ କରିଛନ୍ତି। ସେ ଶବାଧାରରେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥିଲେ।

ଖବର ପ୍ରଚାରିତ ହେବା ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ପୂଜକ ପ୍ରଦୀପ କୁମାର ପଣ୍ଡା, ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ଶଶିଶେଖର ପଣ୍ଡା, ନରୋତ୍ତମ ରଣା, ସଞ୍ଜୟ କୁମାର ପଣ୍ଡା, ବାପି ବାରିକ, ବିଜେଡିର ଲଲାଟେନ୍ଦୁ ବେହେରା, ବ୍ରଜରଂଜନ ପରିଚ୍ଛା, ଅନନ୍ତ ମହାନ୍ତ, ବିଜେପି ମଣ୍ଡଳ ସଭାପତି ସୁବାସ ଦ୍ବିବେଦୀ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମଦେବନା ଜଣାଇଛନ୍ତି। ଘଟଣା ବାବଦରେ ଯିଏ ଶୁଣୁଛି, ସିଏ ପଙ୍କଜିନୀଙ୍କ ଧୈର୍ଯ୍ୟ ଓ ସାହସର ପ୍ରଶଂସା କରୁଛନ୍ତି। କହୁଛନ୍ତି, ଝିଅ ହେବ ତ ଏମିତି।