ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଦାୟିତ୍ବରେ ଥିବା ଜନ୍ତୁରକ୍ଷକ ଆଜି ୪୫ ‘କ’ ଖୁଆଡ଼ ସଫେଇ କରିବାକୁ ଯାଇଥିବା ବେଳେ ଆନାକୋଣ୍ଡାଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯିବା ପରେ ତା’ର ଶବକୁ ବ୍ୟବଚ୍ଛେଦ କରାଯାଇଛି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଡ. ଶରତ କୁମାର ସାହୁ ଶବ ବ୍ୟବଚ୍ଛେଦ କରିଥିଲେ। ପ୍ରୋଟୋଜୋନ୍ ବା ସୂକ୍ଷ୍ମ ଏମିବା ଜନିତ ସଂକ୍ରମଣରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ତା’ର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ଏହି ସଂକ୍ରମଣରେ ଗତ ଗୁରୁବାର ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଥିଲା। ଆଜିକୁ ମିଶାଇ ୩ ଦିନରେ ୨ଟି ଆନାକୋଣ୍ଡାର ମୃତ୍ୟୁ ଘଟିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି। ନନ୍ଦନକାନନରେ ଥିବା ଆଉ ୪ଟି ଆନାକୋଣ୍ଡା ମଧ୍ୟ ଏହି ସଂକ୍ରମଣରେ ପୀଡ଼ିତ ଥିବା ସେମାନଙ୍କ ରକ୍ତମଳରୁ ଜଣାଯାଇଛି।
ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସଙ୍କ ସୂଚନା ଅନୁଯାୟୀ, ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ପରେ ବାକି ୭ଟି ସଂକ୍ରମିତ ହୋଇଛନ୍ତି କି ନାହିଁ, ଜାଣିବା ପାଇଁ ଗତକାଲିଠାରୁ ସେମାନଙ୍କୁ ଅଲଗା ରଖାଯାଇଥିଲା। ସକାଳେ ସେଥିରୁ ଗୋଟିଏ ମରିଥିବା ଜଣାପଡ଼ିଥିଲା। ଏବେ ଆଉ ୪ଟି ସଂକ୍ରମିତ ଥିବା ସେମାନଙ୍କ ଗଜ୍ କପଡ଼ାରେ ଲଗିଥିବା ରକ୍ତ ମଳରୁ ଜଣାଯାଇଛି। ତେବେ ତ୍ରିଭେନ୍ଦ୍ରମ୍ରେ ଅଧିକ ଆନାକୋଣ୍ତା ଥିବାରୁ ସେଠାକାର ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ଚିକିତ୍ସା ଚାଲୁ ରହିଛି। ସବୁ ଆନାକୋଣ୍ତାଙ୍କୁ ଆଣ୍ଟିପ୍ରୋଟୋଜୋନ୍ ଇଂଜେକ୍ସନ୍ ଦିଆଯାଇଛି ଓ ଅସୁସ୍ଥ ୪ ଟିଙ୍କୁ ସାଲାଇନ୍ ଦେଇ ଚିକିତ୍ସା କରାଯାଉଥିବା ଉପନିର୍ଦ୍ଦେଶକ ଶ୍ରୀ ଦାସ ସୂଚନା ଦେଇଛନ୍ତି।
ଅପରପକ୍ଷେ ନନ୍ଦନକାନନକୁ ପିସିସିଏଫ୍ ସନ୍ଦୀପ୍ ତ୍ରିପାଠୀ ଓ ନିର୍ଦ୍ଦେଶକ ଶଶି ପଲ ଆସି ଆନାକୋଣ୍ତାଙ୍କ ସ୍ଥିତି ପରଖିଛନ୍ତି। ଚେନ୍ନାଇସ୍ଥିତ କ୍ରୋକଡାଇଲ୍ ବ୍ୟାଙ୍କ ଟ୍ରଷ୍ଟର ଚିକିତ୍ସକଙ୍କ ପରାମର୍ଶ ନିଆଯାଇଛି। ସେଠାରୁ ବିଶେଷଜ୍ଞ ଚିକିତ୍ସକ ଡ. ଅଜୟ କାତିର୍କେୟନ ଆସନ୍ତା ସୋମବାର ନନ୍ଦନକାନନରେ ପହଞ୍ଚିବେ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Anakonda.jpg-ff.jpg)