ଭୁବନେଶ୍ବର: ସାଧାରଣ ଲୋକଙ୍କ ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ। ଏଥିପାଇଁ ତୃଣମୂଳ ସ୍ତରରେ ପ୍ରଶାସନକୁ ଲୋକଙ୍କ ନିକଟତର ହେବାକୁ ପଡ଼ିବ। ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ରାଜସ୍ୱ ଅଧିକାରୀମାନଙ୍କୁ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥକୁ ନଜରରେ ରଖି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ହେବ। ପ୍ରତ୍ୟେକ ସାଧାରଣ ନାଗରିକ ଠିକ୍‌ ସମୟରେ ଉପଯୁକ୍ତ ନ୍ୟାୟ ପାଇବା ଉଚିତ। ଏଥିପାଇଁ ରାଜସ୍ବ ଅଧିକାରୀମାନଙ୍କୁ ସମସ୍ତ ସମସ୍ୟାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ଅନୁସନ୍ଧାନ କରି ନିଷ୍ପତି ନେବାକୁ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଚାଲିଥିବା ଦୁଇଦିନିଆ ରାଜସ୍ବ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଶ୍ରୀ ସିଂହଦେଓ ସମ୍ମାନିତ ଅତିଥି ଭା‌େ‌ବ ଯୋଗଦେଇ ରାଜସ୍ବ ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି।

Advertisment

ସେବା ଯୋଗାଇବାର ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ: ରାଜସ୍ବ ମନ୍ତ୍ରୀ
ସଂଶୋଧିତ ହେବ ରିଲିଫ୍ କୋଡ୍
ସରିଲା ଦୁଇଦିନିଆ ରାଜସ୍ୱ ଅଧିକାରୀ ସମ୍ମିଳନୀ
ପ୍ରତି ଦୁଇ ବର୍ଷରେ ଥରେ ଏ ସମ୍ମିଳନୀ ଆୟୋଜିତ ହେବ

କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ଜନସାଧାରଣ ସହାୟତା ପାଇବା ପାଇଁ ହକ୍‌ଦାର, ସେମାନେ କାହାର ଦୟାର ପାତ୍ର ନୁହନ୍ତି। ଆମେ ଜନସାଧାରଣଙ୍କ ସେବକ। ଆମକୁ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପଡ଼ିବ, ସେମାନଙ୍କ ଆସ୍ଥା ଭାଜନ ହେବାକୁ ପଡ଼ିବ। ଏଥିପାଇଁ ଆମକୁ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏହି ସମ୍ମିଳନୀରେ ଯେଉଁ ମାନସ ମନ୍ଥନ ହେଲା ତାହା ରାଜସ୍ୱ ଅଧିକାରୀମାନଙ୍କୁ ନୂଆ ଦିଶା ଦେବ। ଆଗାମୀ ଦିନରେ ନିଶ୍ଚିତ ଭାବେ ସେମାନେ ନୂତନ ଉତ୍ସାହ ଓ ଉଦ୍ଦୀପନା ସହ ଜନସାଧାରଣଙ୍କ ପାଇଁ  ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ। ଏହିଭଳି ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ରାଜ୍ୟସ୍ତରରେ ଏହି ସମ୍ମିଳନୀ ଆୟୋଜିତ ହେବ ଓ ଆର୍‌ଡିସି ସ୍ତରରେ ପ୍ରତି ୬ମାସରେ ଅନୁଷ୍ଠିତ ହେବ।

ସେହିପରି ମନ୍ତ୍ରୀ କହିଛନ୍ତି ଯେ ଏବେ ସରକାର ପୂର୍ବରୁ ପ୍ରଚଳିତ ରିଲିଫ୍‌ କୋଡ୍‌ରେ ସଂଶୋଧନ ଆଣିବାକୁ ଯାଉଛନ୍ତି। ରାଜସ୍ୱ ବିଭାଗକୁ ନୂଆ ଦିଶା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ନୂତନ ଓଡ଼ିଶା ଗଠନ ଦିଗରେ ରାଜସ୍ୱ ବିଭାଗ ଉଲ୍ଲେଖନୀୟ ଅବଦାନ ରଖିବ ଏବଂ ରାଜସ୍ୱ ଅଧିକାରୀମାନେ ଏ ଦିଗରେ ଗୁରୁତ୍ୱପୁର୍ଣ ଭୂମିକା ଗ୍ରହଣ କରିବେ ବୋଲି ମୋର ଆଶା ଓ ବିଶ୍ୱାସ। ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ କହିଥିଲେ ଆପଣମାନଙ୍କ ପାଖରେ ପ୍ରତିଭା ଓ ଦକ୍ଷତା ଅଛି। ଏହାର ସଦୁପଯୋଗ କରନ୍ତୁ। ବିଭାଗର ଅତିରିକ୍ତ ସଚିବ ମଧୁସ୍ମିତା ସାହୁ ସ୍ୱାଗତ ଭାଷଣ ଦେଇଥିବାବେଳେ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମଳଲୋଚନ ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ଆର୍‌ଡିସି ସଚିନ୍ ରାମ ଚନ୍ଦ୍ର ଯାଦବ, ଦକ୍ଷିଣାଞ୍ଚଳ ଆର୍‌ଡିସି ରୂପାରୋଶନ ସାହୁ, କେନ୍ଦ୍ରାଞ୍ଚଳ ଆର୍‌ଡିସି ବି.ପରମେଶ୍ବରନ୍ ଉପସ୍ଥିତ ଥିଲେ।