ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଜାମିନ

କଟକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନାମ ନାୟକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ନା‌ୟକଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ତାଙ୍କୁ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ ପାଇବା ପରେ ସେ ତଦନ୍ତରେ ସହଯୋଗ କରିବେ। ନିମ୍ନ ଅଦାଲତ ଜାମିନ ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୦, ଜାନୁଆରି ୧୭ରେ ପୂର୍ବତନ ବିଧାୟକ ଅନାମଙ୍କ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର -ରାମପୁରସ୍ଥିତ ହୋଟେଲ ‌ଉପରେ କୋରାପୁଟ ଭିଜିଲାନ୍ସର ଏକକାଳୀନ ତିନିଟି ଟିମ୍ ଚଢ଼ାଉ କରିଥିଲା। ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ଭିଜିଲାନ୍ସର ଜବତ କରିଥିଲା। ଏହି ସମୟରେ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସଂପତ୍ତି ତାଙ୍କର ଠାବ କରାଯାଇଥିଲା। ସେ ୧ କୋଟି ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୯୮୫, ଜାନୁଆରିରେ ରାଜସ୍ବ ବିଭାଗରେ ଅନାମ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଜାନୁଆରି ୨୨ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ବି)ରେ ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସିଦ୍ଧାର୍ଥ ଦାସ ସହ‌ାୟତା କରୁଥିଲେ।

ସମ୍ବନ୍ଧିତ ଖବର