ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ/ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ବୁଧବାର ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟଙ୍କ ଖଣ୍ଡପୀଠ ଅନାମଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାପଡ଼ିଛି। ସେ ତଦନ୍ତରେ ସହଯୋଗ କରିବେ। ଏଥି ସହ ଅନ୍ୟାନ୍ୟ ସର୍ତ୍ତ ନିମ୍ନ ଅଦାଲତ ଧାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ଅନାମ ନାଏକ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ବିଧାୟକ ରହିଥିଲେ। ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଜିଣି ଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା।

ତେବେ ପୂର୍ବରୁ ଅନାମଙ୍କ ଘର ଓ ହୋଟେଲ୍‌ ଉପରେ ଭିଜିଲାନ୍ସ ଅତର୍କିତ ଚଢ଼ାଉ କରିଥିଲା। ବିଭାଗ ପକ୍ଷରୁ ତିନିଟି ଟିମ୍‌ ଏକକାଳୀନ ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର-ରାମପୁରସ୍ଥିତ ଶ୍ରୀରାମ କ୍ରିଷ୍ଣା ଲଜ୍‌ ଉପରେ ଭିଜିଲାନ୍ସ ଚଢାଉ କରିଥିଲା।

ଭବାନୀପାଟଣାଠାରେ ତିନି ମହଲା କୋଠା ତଥା ମଦନପୁର- ରାମପୁରଠାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଲଜ୍‌ ଓ ବିଦେଶୀ ମଦ ଦୋକାନ ଉପରେ ବି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ବହୁ ପରିମାଣର ଜମିର କାଗଜ ପତ୍ର ଭିଜିଲାନ୍‌ସର ହସ୍ତଗତ ହୋଇଥିଲା।

ସମ୍ବନ୍ଧିତ ଖବର