ବଢ଼ିଲା ଅନାମଙ୍କ ଅଡ଼ୁଆ : ମନି ଲଣ୍ଡରିଂ ମାମଲାର ତଦନ୍ତ କରିବ ଇଡି, ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ହେବ

ଭୁବନେଶ୍ବର : ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଭିଜିଲାନ୍ସ ମାମଲା ପରେ ଏବେ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲା ରୁଜୁ କରିଛି। ଅନାମଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଉତ୍ସ କଣ ଥିଲା ତାକୁ ନେଇ ଖୋଳତାଡ଼ କରିବ ଇଡି। ଏତେ ଟଙ୍କାର ସମ୍ପତ୍ତି କେଉଁଠୁ ଆସିଲା, କେଉଁଠି କେତେ ଟଙ୍କା ବିନିଯୋଗ ହୋଇଛି, କେଉଁଠି ବ୍ୟବସାୟ ରହିଛି, ଆୟର ଉତ୍ସ ନ ଥାଇ କାହା କାହା ନାମରେ ବେନାମି ସମ୍ପତ୍ତି ରହିଛି ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଇଡି ଖୁବ୍ ଶୀଘ୍ର ସମନ୍ କରି ଅନାମଙ୍କୁ ଜେରା କରିବ ବୋଲି ମଧ୍ୟ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସେହିପରି ଅନାମଙ୍କ ସମ୍ପର୍କୀୟ ବା ବ୍ୟବସାୟ ପାର୍ଟନର, ଯେଉଁମାନଙ୍କ ସହ ଟଙ୍କା ଦେଣନେଣ ହୋଇଛି ସେମାନେ ମଧ୍ୟ ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି। ଇଡିର ଟିମ୍ ଖୁବଶୀଘ୍ର ଭବାନୀପାଟଣା ଯାଇ ଏ ନେଇ ତଥ୍ୟ ସଂଗ୍ରହ କରିବ। ଚଢାଉ ସମୟରେ ଭିଜିଲାନ୍ସ ହାତେଇଥିବା କାଗଜପତ୍ର ମଧ୍ୟ ଇଡି ନେବ ବୋଲି ଜଣାପଡ଼ିଛି।

ଭବାନୀପାଟଣାର ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିବା ଅନାମଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା। ଗତ ଜାନୁଆରି ୧୭ ତାରିଖରେ ଭିଜିଲାନ୍ସ ଟିମ୍ ଅନାମଙ୍କର ନାକଟିଗୁଡ଼ାରେ ଥିବା ତିନି ମହଲା ଘର, ମଦନପୁର-ରାମପୁରରେ ଥିବା ହୋଟେଲ, ଅନାମଙ୍କ ପତ୍ନୀଙ୍କ ନାମରେ ଥିବା ମଦ ଦୋକାନରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ, ସୁନା ଗହଣା ସମେତ ୩ କୋଟି ୪୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଜାନୁଆରି ୨୪ ତାରିଖରେ ଅନାମଙ୍କୁ ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆ ଯାଇଥିଲା। ଫେବ୍ରୁଆରି ୨୬ ତାରିଖରେ ଅନାମଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ ଚାକିରି ଆରମ୍ଭ କରିଥିବା ଅନାମ ୨୦୦୫ରେ ଇସ୍ତଫା ଦେଇ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ରେ ବିଜେଡି ଟିକେଟରେ ଭବାନୀପାଟଣାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର