ଧାରଣାରେ ଏଏନ୍‌ଏମ୍‌ ସଂଘ

ଏମ୍‌ଆର ଟିକା ପ୍ରଦାନରେ ଅସହଯୋଗ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି ସହ ସମାନ କାମକୁ ସମାନ ଦରମା ଦାବିରେ ଲୋୟର ପିଏମ୍‌ଜିରେ ଏଏନ୍‌ଏମ୍‌ ସଂଘର ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଘର ସଭାନେତ୍ରୀ ପ୍ରଣିତା ନାୟକ କହିଛନ୍ତି। ଏଥିସହିତ ଶ୍ରୀମତୀ ନାୟକ କହିଛନ୍ତି, ବାରମ୍ବାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ସତ୍ତ୍ୱେ ସରକାର ଆମ ଦାବି ପ୍ରତି ଧ୍ୟାନ ଦେଉନାହାନ୍ତି। ଏଣୁ ଆସନ୍ତାକାଲିଠାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଉଥିବା ମିଜିଲ୍‌ସ ରୁବେଲା ଟିକାକରଣ(ଏମ୍‌ଆର ଟିକା) ପ୍ରକ୍ରିୟାରେ ଆମେ ସହାୟତା କରିବୁ ନାହିଁ। ସାଧାରଣ ସମ୍ପାଦିକା ମମତା ନାୟକ କହିଛନ୍ତି, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ୨୦୦୫ ମସିହାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛୁ।

ଏହି ବିଭାଗ ଅଧୀନରେ ଥିବା ସ୍ଥାୟୀ ଏଏନ୍‌ଏମ୍‌ମାନେ ଯେତିକି କାମ କରୁଛନ୍ତି, ଆମ୍ଭେମାନେ ମଧ୍ୟ ସେତିକି କାମ କରୁଛୁ। କିନ୍ତୁ ସେମାନଙ୍କ ଦରମା ତୁଳନାରେ ଆମକୁ ଦିଆଯାଉଥିବା ଦରମା ଅତ୍ୟନ୍ତ ସ୍ୱଳ୍ପ। ଗୋଟିଏ ବିଭାଗରେ ସମାନ କାମ କରି ମଧ୍ୟ ଆମେ ଏନ୍‌ଏଚଏମ୍‌, ଏଏନ୍‌ଏମ୍‌ ମାନେ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହେଉଛୁ। ଏହା ଘୋର ପରିତାପର ବିଷୟ।

ଚାକିରିର ସ୍ଥାୟିତ୍ୱ ନଥିବାରୁ ବର୍ଷ ବର୍ଷ ଧରି ମାନସିକ ଅଶାନ୍ତିରେ ଦିନ ବିତାଉଥିବା ଏନ୍‌ଏଚଏମ୍‌, ଏଏନ୍‌ଏମ୍‌ କର୍ମୀମାନେ କହିଛନ୍ତି। ସରକାର ତୁରନ୍ତ ଦାବି ପୂରଣ ନକଲେ ଆଗାମୀ ଦିନରେ ଆହୁରି ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଏହି ଧାରଣାରେ ସସ୍ମିତା ଚୌହା, ଅନ୍ନପୂର୍ଣ୍ଣା ଦାସ, ମାଳତି ମହାନ୍ତି, କନକଲତା ସ୍ୱାଇଁଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ଏଏନ୍‌ଏମ୍‌, ଏନ୍‌ଏଚଏମ୍‌ କର୍ମୀ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର