ଅନାମିକା ଦାସଙ୍କ ‘ଅବୁଝା ଏ ମନ’ ଉନ୍ମୋଚିତ

ଅନୁଭବର ସାହିତ୍ୟ ସବୁବେଳେ ଉଚ୍ଚକୋଟୀର: ଦେବୀପ୍ରସନ୍ନ, ଗଦ୍ୟ ଓ କ୍ଷୁଦ୍ରଗଳ୍ପ ସାହିତ୍ୟକୁ ସମୃଦ୍ଧ କରିପାରିବ: ସୌମ୍ୟରଂଜନ

ଭୁବନେଶ୍ବର : ଭାବ, ଭାବନା ଓ କଳ୍ପନାର ଫେଣ୍ଟାଫେଣ୍ଟିରୁ ସାହିତ୍ୟ ସୃଷ୍ଟି ହୁଏ। ହେଲେ ଅନୁଭବରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତା’ର ମାନ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥାଏ। ଅନୁଭବରୁ ସୃଷ୍ଟ ସାହିତ୍ୟ ବହୁଳ ପାଠକୀୟ ଆଦୃତି ପାଏ ଓ ନିଜର ଅସ୍ତିତ୍ବ ଦୀର୍ଘକାଳ ବଜାୟ ରଖିପାରେ ବୋଲି କହିଛନ୍ତି ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ। ସୋମବାର ଦିନ ରାଜ୍ୟ ସ୍କାଉଟ ଗାଇଡ୍ କାର୍ଯ୍ୟାଳୟ ପରିସରରେ ‘ବ୍ଲାକ୍ ଈଗଲ୍ ବୁକ୍ସ’ ପ୍ରକାଶନ ସଂସ୍ଥା ପକ୍ଷରୁ ଗାଳ୍ପିକା ଅନାମିକା ଦାସଙ୍କ ପ୍ରଥମ ପୁସ୍ତକ ‘ଅବୁଝା ଏ ମନ’କୁ ଉନ୍ମୋଚନ କରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ଗାଳ୍ପିକାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କମିସନର୍ କାଳୀପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଧନ ଦରକାର ହେଲେ ଆମେ ମା’ ଲକ୍ଷ୍ମୀଙ୍କୁ, ବିଦ୍ୟା ପାଇଁ ମା’ ସରସ୍ବତୀ ଓ ଶକ୍ତି ପାଇଁ ମା’ ଦୁର୍ଗାଙ୍କୁ ଉପାସନା କରୁଛେ। ନାରୀଙ୍କୁ ଏଭଳି ସମ୍ମାନ ଦେଇଆସୁଥିବା ସମାଜରେ ଆଜି ନାରୀମାନେ ଅବହେଳିତ। ସେମାନଙ୍କୁ ସଶକ୍ତ କରାଇବା ପାଇଁ ଆବଶ୍ୟକତା ପଡ଼ୁଛି। ଏହା ଏକ ବିଡ଼ମ୍ବନାର ବିଷୟ। କ’ଣ କଲେ ନାରୀମାନଙ୍କ ସ୍ଥିତିକୁ ସୁରକ୍ଷିତ କରିପାରିବା, ସମ୍ମାନ ଓ ଶ୍ରଦ୍ଧା ଜଣାଇ ଉପଯୁକ୍ତ ମର୍ଯ୍ୟାଦା ଦେଇପାରିବା, ତାହା ଲେଖିକାମାନେ ଚିନ୍ତା କରିବା ଆବଶ୍ୟକ। ଲେଖିକା ଶ୍ରୀମତୀ ଦାସଙ୍କ ନିକଟରେ କର୍ମମୟ ଜୀବନର ଅନେକ ଅନୁଭୂତି ରହିଛି ବୋଲି ତାଙ୍କ ପୁସ୍ତକରୁ ସ୍ପଷ୍ଟ ବାରି ହେଉଛି। ଏହି ପ୍ରକାର କ୍ଷୁଦ୍ରଗଳ୍ପ ହିଁ ଆମ ଭାଷାକୁ ବଞ୍ଚାଇବା ସହ ଆମ ଗଣତନ୍ତ୍ରକୁ ସୁରକ୍ଷିତ କରିପାରିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଆଜିକାଲିର ଲେଖକମାନଙ୍କ ଭିତରେ ଅନୁଭବର ଅଭାବ ବୋଧ ରହୁଛି। ଅନୁଭବ ନଥିଲେ ସାହିତ୍ୟ ସମୃଦ୍ଧ ହେବ ନାହିଁ ବୋଲି ସେମାନେ ମନେ ରଖିବା ଉଚିତ। ଆଉ ଏକ ସମସ୍ୟା ହେଲା, ଆମେ ଯାହା କହିବାକୁ ଚାହୁଛେ, ତାକୁ ଗଦ୍ୟରେ ପ୍ରକାଶ କରିପାରୁନାହେଁ। ତେଣୁ ଗଦ୍ୟକୁ ମଧ୍ୟ ଆମକୁ ସମୃଦ୍ଧ କରିବାକୁ ପଡ଼ିବ। ଗଦ୍ୟ ସମୃଦ୍ଧ ନହେଲେ ଗଣତନ୍ତ୍ର ଦୁର୍ବଳ ହେବ ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ କହିଲେ, ପୁସ୍ତକର ନାମ ‘ଅବୁଝା ଏ ମନ’ ରଖାଯାଇଛି। ପ୍ରକୃତରେ ଯିଏ ମନକୁ ଆୟତ୍ତ କରିବା ସହ ମନକୁ ଜିଣିପାରିବ ସେ ସଫଳ ହୋଇପାରିବ। ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅମନାୟା କର୍ପୋରେସନ୍‌ର ଅଧ୍ୟକ୍ଷ ପାର୍ଥସାରଥୀ ମିଶ୍ର ଓ ଓଡ଼ିଶା ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିଆରସିଂହ ଯୋଗଦେଇ ଲେଖିକାଙ୍କ ସାହିତ୍ୟ ଯାତ୍ରାର ସଫଳତା କାମନା କରିଥିଲେ। ଲେଖିକା ଅନାମିକା ଦାସ ନିଜର ଲେଖକୀୟ ବକ୍ତବ୍ୟ ଦେଇ କହିଲେ ଯେ ମୁଁ ଯାହା ଅନୁଭବ କଲି, ତାହା ଏହି ପୁସ୍ତକରେ ପ୍ରତିଫଳନ ହୋଇଛି। ଏହି ଅବସରରେ ପୁସ୍ତକ ଲେଖିବା ପାଇଁ ତାଙ୍କୁ ପ୍ରେରଣା ଯୋଗାଇଥିବା ଓ ଅତିଥିମାନଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମହିଳା କମିସନର୍‌ ଅଧ୍ୟକ୍ଷା ମିନତି ବେହେରା, ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌, ନୂଆଦିଲ୍ଲୀ ନିର୍ଦ୍ଦେଶକ ରାଜକୁମାର କୌଶିକ୍‌, ଯୁଗ୍ମ ନିର୍ଦ୍ଦେଶିକା (ଗାଇଡ୍‌) ଦର୍ଶନା ପାୱାସକର, ରାଜ୍ୟ ସ୍କାଉଟ୍‌ ଗାଇଡ୍‌ର ପୂର୍ବତନ ତାଲିମ କମିସନର (ସ୍କାଉଟ) ଲଳିତ ମୋହନ ପଟ୍ଟନାୟକ, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅନିତା ଦାସ ଏବଂ ରେଞ୍ଜର ଲିଡର୍‌ ମୋନାଲିସା ଦାସ ଭିଡିଓ ବାର୍ତ୍ତା ମାଧ୍ୟମରେ ଲେଖିକାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଲେଖିକାଙ୍କ ପୁଅ ଆଦର୍ଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର