ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାରରେ ବଢ଼ିଗଲେଣି ଅନଧିକୃତ ବ୍ୟକ୍ତି। ନିୟନ୍ତ୍ରଣ ବାହାରକୁ ଗଲାଣି ଅଭଡ଼ା ଦର। ସୁପକାର ହଜାରେ ଟଙ୍କାରେ ମହାପ୍ରସାଦ ବିକିଲେ, ଦଲାଲ ପଶି ଏହାକୁ ୧୫ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଭକ୍ତ ଶୋଷଣର ଶିକାର ହେଉଛନ୍ତି। ସେପଟେ ଆନନ୍ଦବଜାର ପରିଚ୍ଛନ୍ନତା ବି ନଷ୍ଟ ହେଲାଣି। ସୁପ୍ରିମକୋର୍ଟଙ୍କ ଆଦେଶକୁ କେହି ମାନିବାକୁ ନାରାଜ। ଆନନ୍ଦବଜାରର ଏହି ବିଶୃଙ୍ଖଳା ଚରମସୀମାରେ ପହଞ୍ଚିଛି। ଏଣୁ ଏହି ବିଶୃଙ୍ଖଳା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛି। ମହାପ୍ରସାଦ ଦର ତାଲିକା ଲଗାଇବା ଉପରେ ବି ବିସ୍ତୃତ ଆଲୋଚନା ହୋଇଛି। ପରବର୍ତ୍ତୀ ସମୟରେ ଅନ୍ୟ ଏକ ବୈଠକ କରି ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଛି।

Advertisment

ଅତୀତରେ ଆନନ୍ଦବଜାରରେ ବାରମ୍ବାର ବିଶୃଙ୍ଖଳା ଓ ଭକ୍ତଙ୍କୁ ଆକ୍ରମଣ ପରେ ଶୃଙ୍ଖଳା ଆଣିବାକୁ ସୁଆର ମହାସୁଆର ନିଯୋଗ ସହ ବୈଠକ ଡାକି ଆନନ୍ଦବଜାର ସଂପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ସୁପାରିସ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଟ, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ପ୍ରମୁଖ ରହିଥିଲେ। ଏହି କମିଟି ସୁପାରିସ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ ବୋଲି ନିଷ୍ପତ୍ତି ହୋଇଥିଲା। କିଏ, କେଉଁଠି ମହାପ୍ରସାଦ ବିକ୍ରି କରିବ, କେଉଁମାନେ କେତେଜଣ ସହଯୋଗୀ ରଖିବେ, ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ତାଲିକା ଆଧାରରେ ଅଣସୁପକାର ଓ ଅନଧିକୃତ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବାକୁ ଯୋଜନା କରାଯାଇଥିଲା। ଷ୍ଟଲ୍‌ ସବୁର ନମ୍ବରିଂ ଓ ସାଇନେଜ୍‌ ଲାଗିବା, ନନ୍ଦବଜାରରେ ପୁଲିସ ସହାୟତା କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଆନନ୍ଦବଜାର ଶୃଙ୍ଖଳା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ସହ ଦର ତାଲିକା ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି।

ଏ ସଂପର୍କରେ ଆଜି ସୁଆର ମହାସୁଆର ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସହ ଆଲୋଚନା କରିଛନ୍ତି। ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ପ୍ରାୟ ୨୦ ବର୍ଷ ହେଲାଣି ଆନନ୍ଦବଜାରରେ ବିଶୃଙ୍ଖଳା ଲାଗି ରହିଛି। ଅନଧିକୃତ ବ୍ୟକ୍ତିଙ୍କୁ ତଡ଼ିବା, ବାହାର ତିଆରି ରାବିଡ଼ି, ଲଡ଼ୁ ଆଦି ବିକ୍ରି ବନ୍ଦ କରିବା, ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ସହାୟତା କେନ୍ଦ୍ର ପ୍ରତିଷ୍ଠା କରିବା ଆଦି ନିଷ୍ପତ୍ତି ହୋଇଥିଲା। କିନ୍ତୁ କିଛି ଆଜି ବି କାର୍ଯ୍ୟକାରୀ ହୋଇନି। ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଲୋଚନା କରିଛୁ। ସୁପକାର ନିଯୋଗର ବଛା ବଛା ୧୦ଜଣଙ୍କୁ ଏଥିପାଇଁ ନିୟୋଜିତ କରିବା, ସ୍ବତ୍ବଲିପି ଆଧାରରେ ସୁପକାରମାନଙ୍କୁ ପରିଚୟପତ୍ର ଦେବାକୁ ପ୍ରସ୍ତାବ ଦେଇଛୁ। ପୁନର୍ବାର ଏକ ବୈଠକ ଡକାଯାଇ, ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।
ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ଆନନ୍ଦବଜାରରେ ଦଲାଲ ବହୁତ ବଢ଼ିଗଲେଣି। ଯେଉଁମାନେ ଆମଠାରୁ ଗୋଟିଏ ଦରରେ ମହାପ୍ରସାଦ ନେଇ ଚଢ଼ା ଦରରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ପୂର୍ବରୁ ଆମେ ଏକ ଦର ତାଲିକା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିଲୁ। କିନ୍ତୁ ଇତିମଧ୍ୟରେ ଦରବୃଦ୍ଧି ଘଟିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ନୂଆ ଦର ତାଲିକା ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛୁ। ଏଥିସହ ଗରିବ ଭକ୍ତଙ୍କ ପାଇଁ ମାଗଣା ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଛୁ ବୋଲି ଶ୍ରୀ ମହାସୁଆର କହିଛନ୍ତି।