ପୁରୀ : ଶ୍ରୀମନ୍ଦିର ଆନନ୍ଦବଜାରରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦର ଦିନକୁ ଦିନ ବଢ଼ି ଚାଲିଛି। ତା ସାଙ୍ଗକୁ ଭକ୍ତମାନେ ଦୈନିକ ଦଣ୍ଡିଆଙ୍କ ଶୋଷଣର ଶିକାର ହେଉଛନ୍ତି। ଏମାନେ ଖୋଲା‌ଖୋଲି ଉତ୍ତର ଓ ଦକ୍ଷିଣ ଦ୍ବାରରେ ଛିଡ଼ା ହୋଇ ଭକ୍ତଙ୍କଠାରୁ ମହାପ୍ରସାଦ ପାଇଁ ଦୁଇଗୁଣା ଦର ନେଉଛନ୍ତି। ସେପଟେ ଭକ୍ତ ବି ଧାଡ଼ିରେ ଯାଇ ଶ୍ରୀମନ୍ଦିରରୁ ମହାପ୍ରସାଦ ଆଣିବା ଅପେକ୍ଷା, ନିଜ ଅସହାୟତା ପ୍ରକାଶ କରି ଦୁଇଗୁଣା ଦର ଦେଇ ମହାପ୍ରସାଦ କିଣିବାକୁ ବାଧ୍ୟ ହେଉଛନ୍ତି। ଅଭିଯୋଗ ହୋଇଛି, ଦଣ୍ଡିଆମାନେ ମହାପ୍ରସାଦ ବିକ୍ରି କରୁଥିବା ସୁଆର ମହାସୁଆରଙ୍କ ଯୋଗାଯୋଗରେ ରହି ଏଭଳି ଦଲାଲଗିରିର ବାଟ ଖୋଲିଛନ୍ତି। ବେପାରରେ ପରେ ଏହି ଟଙ୍କାକୁ ଭାଗବାଣ୍ଟି ନେଉଛନ୍ତି। ସେପଟେ ଆନନ୍ଦବଜାରରେ ଭକ୍ତ ଖାଇବା ବେଳେ ମହାପ୍ରସାଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଦୁର୍ବ୍ୟବହାରର ଶିକାର ହେବା ସହ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନର ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏ ଦିଗରେ ‌କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତ ମହଲ ଦାବି କରିଛନ୍ତି।

Advertisment

publive-image

ପୂର୍ବରୁ ଯେଉଁ ଭକ୍ତମାନେ ଦର୍ଶନ ପାଇଁ ନଯାଇ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଯାଉଥିଲେ, ସେମାନେ ସିଧାସଳଖ ଉତ୍ତରଦ୍ବାର ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରସାଦ ନେଇ ଘରକୁ ଫେରୁଥିଲେ। ଏହା ଭକ୍ତଙ୍କୁ ସୁବିଧା ବି ‌ହେଉଥିଲା। ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁନଥିଲା। କିନ୍ତୁ କୋଭିଡ୍‌ଜନିତ କଟକଣା ଓ ଶୃଙ୍ଖଳିତ ଦର୍ଶନ ଆଳରେ ଶ୍ରୀମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥାକୁ ବନ୍ଦ ରଖିଛି। ଭକ୍ତମାନେ ଆଉ ପୂର୍ବଭଳି ଉତ୍ତରଦ୍ବାର ଦେଇ ମହାପ୍ରସାଦ ଆଣିବାକୁ ଯାଇ ପାରୁନାହାଁନ୍ତି। ଯେଉଁମାନଙ୍କୁ ଶ୍ରୀମନ୍ଦିର ମହାପ୍ରସାଦ ଆଣିବାକୁ ଯାଉଛନ୍ତି, ସେମାନେ ସିଂହଦ୍ବାରରେ ଧାଡ଼ିରେ ରହି ଆଣୁଛନ୍ତି। ସେପଟେ ଯେଉଁମାନେ ଧାଡ଼ିରେ ଯିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି, ସେମାନେ ଉତ୍ତରଦ୍ବାରରେ ଛିଡ଼ା ହେଉଥିବା ଦଣ୍ଡିଆଙ୍କ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ଫଳସ୍ବରୂପ ଭକ୍ତଙ୍କ ଶୋଷଣ ବି ଦିନକୁ ଦିନ ବଢ଼ିଚାଲିଛି।

ଉତ୍ତରଦ୍ବାରରେ ସେବାୟତ ବେଶରେ ଛିଡ଼ା ହେଉଥିବା ଏହି ଦଣ୍ଡିଆମାନେ ଆନନ୍ଦବଜାରରୁ ଯେଉଁ ମହାପ୍ରସାଦ ଶହେ ଟଙ୍କାର କିଣୁଛନ୍ତି, ତାକୁ ୨ଶହରୁ ୩ଶହ ଟଙ୍କାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି। ଉତ୍ତରଦ୍ବାରରେ ସେବାୟତ ଚିହ୍ନଟ ପାଇଁ ଜେଟିପି ଓ ପୁଲିସମାନେ ରହିଥିଲେ ବି ଏମାନେ ନିରବଦ୍ରଷ୍ଟା ସାଜିଛନ୍ତି। ଏସମ୍ପର୍କରେ ଆମେ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରରେ ଥିବା ଜେଟିପିଙ୍କ ସହ ଯୋଗାଯୋଗ କରିଥିଲୁ। କାରଣ ଏମାନେ ଶ୍ରୀମନ୍ଦିର ସେବାୟତଙ୍କୁ ଚିହ୍ନଟ ପାଇଁ ଚାରିଦ୍ବାରରେ ରହିଥାନ୍ତି। କିନ୍ତୁ ଜେଟିପିଙ୍କ କହିବା ମୁତାବକ, ଏହା ଆମେ ଅଧୀନରେ ନୁହେଁ। ଶ୍ରୀମନ୍ଦିର କମାଣ୍ଡର ହେଉଛନ୍ତି ଜେଟିପିଙ୍କ ମୁଖ୍ୟ। ସେ ଯେଉଁଦିନ ଆଦେଶନାମା ଜାରି କରିବେ, ସେ ଦିନଠାରୁ ସବୁକିଛି ଆମେ ବନ୍ଦ କରିଦେବୁ। ଆଉ ଦଣ୍ଡିଆ କେହି ରହି ପାରିବେନି। କିନ୍ତୁ କମାଣ୍ଡର ହୁଅନ୍ତୁ କି ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ, ଏ ଦିଗରେ ଆମକୁ ସେଭଳି କୌଣସି ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇନାହାନ୍ତି। ଆମେ ଅଟକାଇଲେ ବିଭିନ୍ନ ଅଭିଯୋଗ ଆସୁଛି। ଏଣୁ ସବୁ ଜାଣି ବି ନିରବ ରହିବାକୁ ପଡ଼ୁଛି।

publive-image

ସେପଟେ ଏଭଳି ଅନେକ ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ସୁଆର ମହାସୁଆର ନିଯୋଗ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ସ୍ବତନ୍ତ୍ର ଆନନ୍ଦବଜାର ତଦାରଖ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। କେଉଁମାନେ ଦଣ୍ଡିଆ ଓ କେଉଁମାନେ ଭଲ ଲୋକ, ତାକୁ ଏହି କମିଟି ଚିହ୍ନଟ କରି ଦଣ୍ଡିଆଙ୍କୁ ତଡ଼ିବାର ବ୍ୟବସ୍ଥା କରାଯାଇଥାନ୍ତା। କିନ୍ତୁ ଏହି ଯୋଜନା ବି ଅଟକି ରହିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଆମେ ଏହି ନିଷ୍ପତ୍ତି ନେଇଥିଲୁ ସତ, କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନି। କାରଣ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଏହି ନିଷ୍ପତ୍ତି ସବୁ ଚୂଡ଼ାନ୍ତ ହୋଇଥାନ୍ତା। ଗତ ୩୦ ତାରିଖରେ ଜିଲ୍ଲାପାଳ ସୁଆର ମହାସୁଆର ନିଯୋଗ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ବୈଠକ ଡାକିଥିଲେ। କିନ୍ତୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ୍‌ କରି ଦିଆଗଲା। ଏହା ପରଠାରୁ ଆଉ ବୈଠକ ଡକାଯାଇନି। ଯେବେ ବୈଠକ ଡକାଯିବ, ସେବେ ଏହି ଆନନ୍ଦବଜାର ତଦାରଖ କମିଟି ଗଠନ ନିଷ୍ପତ୍ତି କାର୍ଯ୍ୟକାରୀ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ବୋଲି ଶ୍ରୀ ମହାସୁଆର କହିଛନ୍ତି।