ଖୋଲୁଛି ଗଞ୍ଜେଇ କିଙ୍ଗପିନଙ୍କ କଳା ସାମ୍ରାଜ୍ୟର ଗୁମର: ମହାରାଷ୍ଟ୍ର ପୁଲିସର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଆନନ୍ଦ

ଚୋରା ଗଞ୍ଜେଇ ଚାଲାଣ ପାଇଁ ପୁଲିସ୍ ରୁଜୁ କରିଛି ମାମଲା: ରାୟପୁର-ଦିଲ୍ଲୀ-ମୁମ୍ବାଇକୁ ଲମ୍ବିଛି ରାକେଟର ଚେର

ରାୟଗଡ଼ା: କେବଳ ଓଡ଼ିଶା କି ପଡୋଶୀ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ନୁହେଁ। ଗଞ୍ଜେଇ କିଙ୍ଗ୍ ପିନ୍ ଆନନ୍ଦ ମିଶ୍ରଙ୍କ ଗଞ୍ଜେଇ ଚୋରା ଚାଲାଣ ସାମ୍ରାଜ୍ୟର ଚେର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଛି। ମହାରାଷ୍ଟ୍ର ପୁଲିସ୍ ଆନନ୍ଦଙ୍କ ନାଁରେ ମାମଲା ରୁଜୁ କରି ଫେରାର ଥିବା ଦର୍ଶାଇ ମୋଷ୍ଟ୍ ୱାଣ୍ଟେଡ୍ ତାଲିକା ଜାରି କରିଛି। ବହୁ ବର୍ଷ ହେଲା ପୁଲିସକୁ ଚକମା ଦେଇ ଆନନ୍ଦ ଗଞ୍ଜେଇ ବ୍ୟବସାୟ ଚଳାଇ ଆସୁଥିବା ବେଳେ ଗୁରୁବାର ଚନ୍ଦ୍ରପୁର ପୁଲିସ୍ ଆନନ୍ଦଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ଗଞ୍ଜେଇ ଚୋରା ଚାଲାଣର ହବ୍ କୁହା ଯାଉଥିବା ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର, ମୁନିଗୁଡ଼ା ଓ ଗଜପତି ଜିଲ୍ଲାର ଅଡ଼ବା ଅଞ୍ଚଳକୁ ନିଜର ଆଡ୍ଡା ବନାଇଥିଲା ଆନନ୍ଦ। ଗଞ୍ଜେଇ ଚାଷ ହେଉଥିବା ଦୁର୍ଗମ ଇଲାକାରେ ନିଜ ନେଟୱର୍କ ବନାଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଚାଷ କରିବା ପାଇଁ ପ୍ରବର୍ତ୍ତାଉଥିଲା। ଏପରିକି ଚାଷ ପାଇଁ ଅଗ୍ରୀମ ଟଙ୍କା ଦେଉଥିବା ନେଇ ମଧ୍ୟ ପୁଲିସକୁ ଖବର ମିଳିଛି। ଗଞ୍ଜେଇ ଚାଲାଣ ପୂର୍ବରୁ ପୁଲିସର ଗତିବିଧି, ଅପରେସନ୍ ସଂପର୍କରେ ଟିକନିକ୍ ଖବର ରଖୁଥିଲା ଆନନ୍ଦ। ଏ ଦିଗରେ କିଛି ଯୁବକ ଆନନ୍ଦଙ୍କ ଟିମକୁ ସହଯୋଗ କରୁଥିଲେ। ଗାଁ ଗାଁ ବୁଲି ବିପୁଳ ପରିମାଣର ଗଞ୍ଜେଇ ଠୁଳ କରିବା ପରେ ରାତି ଅଧିଆ ବିଭିନ୍ନ ଉପାୟରେ ଗାଡ଼ି ଓ ଟ୍ରେନ୍ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା। ବାହାର ରାଜ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ମଧ୍ୟରୁ ଚନ୍ଦ୍ରପୁର, ମୁନିଗୁଡ଼ା, ଅଡ଼ବା ଅଞ୍ଚଳର ଗଞ୍ଜେଇର ଡିମାଣ୍ଡ୍ ହିଁ ଅଧିକ ଥିଲା। ଏହି ସବୁ ଅଞ୍ଚଳରୁ ଉତ୍କୃଷ୍ଟମାନର ଗଞ୍ଜେଇ ଉତ୍ପାଦନ ହେଉଥିବାରୁ ମାଫିଆ ଏହି ଅଞ୍ଚଳକୁ ଅଧିକ ଫୋକସ୍ କରୁଥିଲେ। ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳରୁ ମାଫିଆମାନେ ଗଞ୍ଜେଇ କେଜି ପିଛା ୧୫୦୦ ଟଙ୍କାରେ କିଣୁଥିବା ବେଳେ ରାୟପୁରରେ କେଜି ପିଛା ୩୦୦୦ ଟଙ୍କାରେ ବିକ୍ରି ହେଉଛି।

ରାୟପୁରରୁ ବିଭିନ୍ନ ରାକେଟ୍ ଦେଇ ଲକ୍ଷ୍ନୌ, ପୁନେ, ମୁମ୍ବାଇ, ଦିଲ୍ଲୀ, ଗୋଆରେ ପହଞ୍ଚିବା ପରେ କେଜି ପିଛା ୬୦ରୁ ୭୦ ହଜାର ଟଙ୍କାରେ ବିକ୍ରି ହେଉଛି। ଯେଉଁଥି ପାଇଁ ଅତି କମ୍ ଦିନରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ମାଫିଆମାନେ ମାଲାମାଲ୍ ହୋଇ ଯାଉଛନ୍ତି ବୋଲି ପୁଲିସ୍ କହିଛି। ରାକେଟରେ ସଂପୃକ୍ତ ମାଫିଆ ବିଭିନ୍ନ ଉପାୟରେ ନିର୍ଧାରିତ ଜାଗାରେ ଗଞ୍ଜେଇ ପହଞ୍ଚାଇବା ଦିଗରେ କାମ କରୁଛନ୍ତି। ଟ୍ରେନରେ ଟୁରିଷ୍ଟ୍ ବ୍ୟାଗରେ, ପିକଅପ୍ ଭ୍ୟାନରେ ପନିପରିବା, ପଣସ, ଧାନ ବୋଝେଇ କରି ତାହା ଭିତରେ ଗଞ୍ଜେଇ ରଖି ଜୀବନକୁ ବାଜି ଲଗାଇ ବିଭିନ୍ନ ରାଜ୍ୟରେ ପହଞ୍ଚାଉଛନ୍ତି।

ତେବେ ବିଷମକଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଚନ୍ଦ୍ରପୁର, ମୁନିଗୁଡ଼ା ଅଞ୍ଚଳରେ ଗଞ୍ଜେଇ ଗଛ କଟା ଅଭିଯାନ ଜୋରଦାର୍ ହେବା ପରେ ଚଳିତ ବର୍ଷ ଏହି ଅଞ୍ଚଳରେ ଗଞ୍ଜେଇ ଉତ୍ପାଦନ କମିଛି। ଆବଶ୍ୟକ ପରିମାଣର ଗଞ୍ଜେଇ ମିଳୁନଥିବାରୁ ମାଫିଆ ଏବେ ଗଜପତି ମୁହାଁ ହୋଇଛନ୍ତି। ମୋହନା ବ୍ଲକର ଅଡ଼ବା ସମେତ ଅନ୍ୟ କିଛି ଇଲାକାରୁ ଗଞ୍ଜେଇ ଆଣି ରାୟଗଡ଼ା-କନ୍ଧମାଳ ସୀମାନ୍ତ ରାସ୍ତା ଦେଇ ରାୟପୁର ଅଭିମୁଖେ ଚାଲାଣ କରୁଛନ୍ତି। ରାକେଟକୁ ଧରିବା ପାଇଁ ପୁଲିସ୍ ବହୁ ଦିନ ହେଲା ପ୍ରୟାସ ଚଳାଇବା ସହ ଆନନ୍ଦ ମିଶ୍ର ଗ୍ରୁପ୍ ଉପରେ ତୀକ୍ଷଣ ନଜର ରଖିଥିଲା। ହନୁମନ୍ତପୁରର ସୁନୀଲ ବଳିଆର ଆନନ୍ଦଙ୍କ ରାକେଟର ଅନ୍ୟତମ ମାଷ୍ଟର୍ ମାଇଣ୍ଡ୍ ହୋଇଥିବା ବେଳେ ଗଞ୍ଜେଇ କିଣିବା, ଚାଲାଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। ଗୁରୁବାର ଏହି ରାକେଟର ସଦସ୍ୟ ଅଡ଼ବାରୁ ପିକଅପ୍ ଭ୍ୟାନ୍ ମାଧ୍ୟମରେ ଗଞ୍ଜେଇ ଆଣିବାକୁ ଯୋଜନା କରୁଥିବା ବେଳେ ଚନ୍ଦ୍ରପୁର ପୁଲିସ୍ ମାଡ଼ି ବସି ୫ ଜଣଙ୍କୁ ଗିରଫ କରିଛି। ମାଫିଆଙ୍କ ନିକଟରୁ ପୁଲିସ୍ ୨ଟି ବାଇକ୍, ୪ଟି ମୋବାଇଲ୍ ସହ ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲା। ମୋବାଇଲ୍ କଲ୍ ରେକର୍ଡକୁ ପୁଲିସ୍ ଯାଞ୍ଚ କରି ରାକେଟର ଚେର ଏବଂ ଚୋରା ଚାଲାଣରେ ସଂପୃକ୍ତ ଅନ୍ୟ ମାଫିଆଙ୍କୁ କାବୁ କରିବାକୁ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର