ଆନନ୍ଦ ଟପୋ ମୃତ୍ୟୁ ଘଟଣା : ତଦନ୍ତ କରୁଥିବା ଆଇଆଇସିଙ୍କୁ ବର୍ଷେ ଯାଏଁ ଫିଲ୍ଡ ପୋଷ୍ଟିଂ ମନା

ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଅଭିଯୋଗ

କଟକ: ଆନନ୍ଦ ଟପୋ ମୃତ୍ୟୁ ଘଟଣା ଶୁକ୍ରବାର ଭିନ୍ନ ମୋଡ ନେଇଛି। ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲେ ବି ତଦନ୍ତରେ ଅନିୟମିତତା କରାଯାଇଥିବା ଜଣାପଡ଼ିଛି। ଉକ୍ତ ଘଟଣାର ତଦନ୍ତ ଦାୟିତ୍ବ ଭୁବନେଶ୍ବର ଇନଫୋସିଟି ଥାନାଧିକାରୀ ସମିତା ମିଶ୍ର କରୁଥିବାବେଳେ ଅଭିଯୋଗ ଫର୍ଦ୍ଦରୁ ବିରେନ୍ଦ୍ରଙ୍କ ନାମଟି କାଟି ଦେଇଥିଲେ। ଫଳରେ ଆନନ୍ଦଙ୍କ ପିତା ବନ୍ଧନା ଟପୋ ଥାନାଧିକାରୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ଦାଏର କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଡିସିପି ଉକ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ।

ଏହି ରିପୋର୍ଟକୁ ଦେଖିବା ପରେ ତଦନ୍ତରେ ଅନିୟମିତତା ଜାଣି ହାଇକୋର୍ଟ ଇନଫୋସିଟି ଥାନାଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି। ବର୍ଷେ ଯାଏଁ ଥାନାଧିକାରୀ ମିଶ୍ରଙ୍କୁ ଫିଲ୍ଡ ପୋଷ୍ଟିଂ ମନା କରିଛନ୍ତି। ମାସେ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ ଆଦେଶ ଦେଇଛନ୍ତି। ଏଥିସହିତ ୩ ମାସ ମଧ୍ୟରେ ଡିସିପି ନିଜେ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଧନା ଟପୋ ହାଇକୋର୍ଟରେ କରିଥିବା ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଶିବ ଶଙ୍କର ମହାନ୍ତି।

ସମ୍ବନ୍ଧିତ ଖବର