ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ସାନି ଆବେଦନ

କଟକ : ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋ ମୃତ୍ୟୁ ଘଟଣାରେ ପୁଲିସ ତଦନ୍ତକୁ ନେଇ ପୀଡିତଙ୍କ ପରିବାର ତରଫରୁ ଅସନ୍ତୋଷବ୍ୟକ୍ତ କରାଯିବା ସହିତ ହାଇ‌େକାର୍ଟରେ ସାନି ପିଟିସନ ଦାଖଲ କରାଯାଇଛି। ଏହି ଘଟଣାର ଇନଫୋସିଟି ଥାନା ପୁଲିସ ଠିକ ଭାବେ ତଦନ୍ତ କରିନାହିଁ। ଯୋଜନାବଦ୍ଧ ଭାବେ ଅଭିଯୁକ୍ତକୁ ଖସାଇ ଦେବାକୁ ସବୁ ଉଦ୍ୟମ ପୁଲିସ କରିଛି। ପୁଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ନିରପେକ୍ଷ ତଦନ୍ତ କରାଯିବା ଉଚିତ। ତେଣୁ ସ୍ବାଧୀନ ଏଜେନ୍ସି ଦ୍ବାରା ଘଟଣାର ପୁଣି ଥରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଆନନ୍ଦଙ୍କ ବାପା ବାନ୍ଧଣା ଟପ୍ପୋ ଏହି ଆବେଦନ ଦାୟର କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ପୂର୍ବରୁ ପରିବାର ତରଫରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ପୁଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ ବୋଲି କହିଥିଲେ। ଇନଫୋସିଟି ଥାନା ଆଇଆଇସିଙ୍କ କାର୍ଯ୍ୟ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଥିଲେ। ଏକ ବର୍ଷ ପାଇଁ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ କୌଣସି ଫିଲ୍ଡ ପୋଷ୍ଟିଂ ଦାୟିତ୍ବ ନ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାମଲା ତଦନ୍ତର ବ୍ୟକ୍ତିଗତ ଭାବେ ଡିସିପି ତଦାରଖ କରିବା ସହିତ ଚୂଡାନ୍ତ ରିପୋର୍ଟ ତିନି ମାସ ଭିତରେ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଘଟଣାର ତଦନ୍ତ କରି ଅଦାଲତରେ ରିପୋର୍ଟ ଦାଖଲ କରିଥିଲା। ଆନନ୍ଦଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନୁହେଁ ବୋଲି ତଦନ୍ତରୁ ଜଣା ପଡିଥିବା ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ତଦନ୍ତକୁ ନେଇ ପୀଡିତ ପରିବାର ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆନନ୍ଦଙ୍କ ପରିବାର ତରଫରୁ ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରାଯାଇଥିଲା। ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବା ବେଳେ ପୁଲିସ ଏହି ଘଟଣାର ଠିକ୍ ଭାବେ ତଦନ୍ତ କରୁ ନାହିଁ ବୋଲି ଆନନ୍ଦଙ୍କ ପରିବାର ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର