ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ

ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା

କଟକ : ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ହାଇକୋର୍ଟ କଠୋର ଭାଷାରେ ପୁଲିସର ସମାଲୋଚନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ଏହି ଘଟଣାରେ ପୁଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ। ପୁଲିସର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରାଯିବା ଉଚିତ। ନାଗରିକଙ୍କୁ ସୁରକ୍ଷା ଦେବା ପୁଲିସର କାର୍ଯ୍ୟ। କିନ୍ତୁ ପୁଲିସର କାର୍ଯ୍ୟ ‌ଯଦି ଅପରାଧୀଙ୍କୁ ସୁହାଏ, ତେବେ ଆଇନ ଉପରେ ଲୋକଙ୍କ ବିଶ୍ବାସ ରହିବନି। ଏତଲା ପଞ୍ଜୀକରଣରେ ବିଳମ୍ବ ଘଟଣା ପୁଲିସ ବ୍ୟବସ୍ଥା ଭିତରେ ଆଳସ୍ୟ, ଜଡ଼ତା ଆଉ ନିଷ୍କ୍ରିୟତାକୁ ସୂଚାଉଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ, ଇନ୍‌ଫୋସିଟି ଥାନା ଆଇଆଇସିଙ୍କ କାର୍ଯ୍ୟକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କୁ ଏକ ବର୍ଷ ପାଇଁ କୌଣସି ଫିଲ୍ଡ ପୋଷ୍ଟିଂ (ଥାନା ଅଥବା ଲୋକଙ୍କ ସହ ଜଡ଼ିତ ସିଧାସଳଖ କାର୍ଯ୍ୟ) ନ ଦେବାକୁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀକୁ ସମ୍ବେଦନଶୀଳ ହେବାକୁ ତାଲିମ୍‌ ପାଇଁ ପଠାଇବାକୁ ପୁଲିସ କମିସନର ପଦକ୍ଷେପ ନିଅନ୍ତୁ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲା ତଦନ୍ତର ବ୍ୟକ୍ତିଗତ ଭାବେ ଡିସିପି ତଦାରଖ କରିବା ସହିତ ଚୂଡ଼ାନ୍ତ ରିପୋର୍ଟ ତିନିମାସ ଭିତରେ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଫ୍‌ଆଇଆର୍‌ ରୁଜୁ ପରେ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ ବଢ଼ିଲା

Telegraph India

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ୨୦୨୨, ଏପ୍ରିଲ ୧ ଓ ମେ ୧୧ରେ ଆବେଦନକାରୀ କରିଥିବା ଅଭିଯୋଗ ପଞ୍ଜୀକରଣ କ୍ଷେତ୍ରରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ଏହି ଆବେଦନ ଦାୟର କରାଯାଇଥିଲା। ଆବେଦନରେ କ୍ରାଇମବ୍ରାଞ୍ଚ ବା ସ୍ବାଧୀନ ଏଜେନ୍ସିକୁ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ ଦେବାକୁ ନିବେଦନ କରାଯାଇଛି। ଘଟଣାକୁ ୭ ମାସ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରିବାକୁ ଓ ତଦନ୍ତ କରିବାକୁ ମନା କରୁଛି ବୋଲି ଅଭିଯୋଗ ହୋଇଛି। ନଭେମ୍ବର ୨୩ରେ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୃତକଙ୍କ ବୃଦ୍ଧ ଅଭିଭାବକ ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ଏତଲା ପଞ୍ଜୀକରଣ ହୋଇ ନଥିଲା। ଦୁର୍ଭାଗ୍ୟର ବିଷୟ ଏହି ପ୍ରସଙ୍ଗରେ ସଂପୃକ୍ତ ଥାନା ଆଇଆଇସି କୌଣସି ସନ୍ତୋଷଜନକ ସ୍ପଷ୍ଟୀକରଣ ଦେଇ ପାରି ନଥିଲେ। ଇନ୍‌ଫୋସିଟି ଥାନା ଆଇଆଇସି ଏତଲା ପଞ୍ଜୀକରଣ ନ କରିବା ଘଟଣା ପ୍ରସଂଗରେ ୭ ଦିନ ଭିତରେ ରିପୋର୍ଟ ଦାଖଲ ପାଇଁ ଭୁବନେଶ୍ବର ଡିସିପିଙ୍କୁ ନି‌ର୍ଦ୍ଦେଶ ଦିଆଯାଇଥିଲା।

ଡିସେମ୍ବର ୩ରେ ଡିସିପି ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଇନ୍‌ଫୋସିଟି ଥାନାର ରିସିପ୍ଟ ରେଜିଷ୍ଟର୍‌ ବା ଅନ୍ୟ କାଗଜ/ରେକର୍ଡରେ ଆବେଦନକାରୀ କୌଣସି ରିପୋର୍ଟ ଦାଖଲ କରିବା ନେଇ ତଥ୍ୟ ନାହିଁ। ଥାନା ଆଇଆଇସି ଏପରି କୌଣସି ରିପୋର୍ଟ ପାଇ ନଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଇନ୍‌ଫୋସିଟି ଥାନା ଆଇଆଇସି ଯେଉଁ କଥା କହିଥିଲେ, ଭୁବନେଶ୍ବର ଡିସିପିଙ୍କ ତଦନ୍ତ ରିପୋର୍ଟରେ କେବଳ ସେହି କଥା ପୁଣିଥରେ କୁହାଯାଇଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ନଭେମ୍ବର ୨୪ରେ ଆବେଦନକାରୀଙ୍କ ଅଭିଯୋଗକୁ ଇନ୍‌ଫୋସିଟି ଥାନା ସ୍ବୀକ‌ାର କରି ଏତଲା ପଞ୍ଜୀକରଣ କରିଛନ୍ତି। ଅଭିଯୁକ୍ତ ଜଣେ ପୁଲିସ ଡିଏସ୍‌ପି ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେବା ପୁଲିସ ନିଷ୍କ୍ରିୟତାର ଉଦ୍ଦେଶ୍ୟ ବୋଲି ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ, ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ଏତଲା ପଞ୍ଜୀକରଣ ପରେ ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢିଛି। କାରଣ ଶ୍ରୀ ଟପ୍ପୋଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଗତ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟ୍‌ରେ ବେକରେ ଶାଢ଼ି ଦେଇ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନରେ ସୂଚନା ଦେଇଥିଲେ। ମୃତ ଶରୀରର ବେକରେ ୨ଟି ଦାଗ ରହିଥିଲା। କିଛିଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା। ଆନନ୍ଦଙ୍କ ମୃତ ଶରୀର‌ର ବେକ ଓ ଅନ୍ୟ ସ୍ଥାନରେ ଥିବା ଦାଗରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆନନ୍ଦଙ୍କୁ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ମାର୍ଚ୍ଚ ୧ରେ ଇନଫୋସିଟି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏହାକୁ ଗ୍ରହଣ କରି ନଥିଲା। ବୀରେନ୍ଦ୍ର ଜଣେ ଡିଏସ୍‌ପି ହୋଇଥିବା ବେଳେ ଅପମୃତ୍ୟୁ ମାମଲାର ତଦନ୍ତ ଆଉ ଆଗଉ ନାହିଁ। ଏ ପର୍ଯ୍ୟନ୍ତ ଆନନ୍ଦଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କୌଣସି ଅଗ୍ରଗତି ହୋଇ ନଥିବା ବେଳେ ପରିବାର ସଦସ୍ୟଙ୍କ ଅଭିଯୋଗକୁ ପୁଲିସ ତଦନ୍ତପରିସରଭୁକ୍ତ କରି ନାହିଁ ବୋଲି ହାଇକୋର୍ଟରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର