କଟକ : ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ସିଆଇଡି(କ୍ରାଇମବ୍ରାଞ୍ଚ) ପୁନଃତଦନ୍ତ କରିବ। ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯିବା ସପକ୍ଷରେ ରାୟ ଦେଇ ହାଇକୋର୍ଟ କହିଛନ୍ତି, ଡିଆଇଜି ପାହ୍ୟାରୁ କମର ହୋଇ ନଥିବା ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଉ। ଘଟଣାର ସବୁ ଦିଗରୁ ଏହି ବରିଷ୍ଠ ଅଧିକାରୀ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବେ। ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ନଥିପତ୍ର, ରେକର୍ଡ, ସଂପୂର୍ଣ୍ଣ କେସ୍ ଡାଏରି ଇତ୍ୟାଦି ପୂର୍ବର ତଦନ୍ତକାରୀ ଅଧିକାରୀ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିବେ। ଏହି ଘଟଣାର ନିରପେକ୍ଷ ତଦନ୍ତ ହୋଇ ନଥିବା ନେଇ ଆବେଦନକାରୀ କରିଥିବା ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ହାଇକୋର୍ଟ ମତ ଦେବା ସହିତ ସମାନ ତଦନ୍ତକାରୀ ଏଜେନ୍ସିକୁ ପୁନଃତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଉପଯୁକ୍ତ ହେବ ନାହିଁ ବୋଲି କହିଛନ୍ତି। କ୍ରାଇମବ୍ରାଞ୍ଚ ଭଳି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦେବା ଉପଯୁକ୍ତ।ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପା ବନ୍ଧନ ‌ଟ‌ପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆନନ୍ଦଙ୍କ ମୃତ୍ୟୁ ପରେ ପରିବାର ତରଫରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଶ୍ରୀ ଟପ୍ପୋ ଅଭିଯୋଗରେ ଦର୍ଶାଇଥିଲେ ଯେ
ବୀରେନ୍ଦ୍ର ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ୨୦୨୨ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟ୍‌ରେ ବେକରେ ଶାଢି ଦେଇ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ୍‌ ମାଧ୍ୟମରେ ସୂଚନା ଦେଇଥିଲେ। ମୃତଦେହର ବେକରେ ୨ଟି ଦାଗ ରହିଥିଲା। କିଛିଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା। ଆନନ୍ଦଙ୍କ ମୃତଦେହର ବେକ ଓ ଅନ୍ୟ ସ୍ଥାନରେ ଥିବା ଦାଗରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ବୋଲି କୁହାଯାଇଥିଲା। ଆନନ୍ଦଙ୍କୁ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ହତ୍ୟା କରିଥିବା ନେଇ ମୃତକଙ୍କ ବାପା ୨୦୨୨ ମାର୍ଚ୍ଚ ୧ରେ ଇନ୍‌ଫୋସିଟି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏହାକୁ ଗ୍ରହଣ କରି ନଥିଲା। ଏହାପରେ ଏପ୍ରିଲ୍‌ ୧ରେ ସେ ଆଉ ଥରେ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଶୁଣି ନଥିଲା। ମେ ୧୧ରେ ଏ ନେଇ ଆବେଦନକାରୀ ଭୁବନେଶ୍ବର ଡିସିପିଙ୍କୁ ଅବଗତ କରିଥିଲେ। କିଛି ପଦକ୍ଷେପ ନିଆ ନ ଯିବାରୁ ମେ ୧୭ରେ ପୁଲିସ କମିସନରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଆବେଦନକାରୀ।

କିନ୍ତୁ ଏହା ପରେ ବି ଆନନ୍ଦଙ୍କ ମୃତ୍ୟୁ ପ୍ରସଂଗକୁ ନେଇ ଆବେଦନକାରୀ କରିଥିବା ଅଭିଯୋଗକୁ ପୁଲିସ ଗ୍ରହଣ କରି ନଥିଲା, କି ଏତଲା ପଞ୍ଜୀକରଣ କରି ନଥିଲା। କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ବସିଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରି ଶ୍ରୀ ଟପ୍ପୋ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୁଲିସ ପ୍ରଦର୍ଶନ କରିଥିବା ନିଷ୍କ୍ରିୟତା ସାଂଘାତିକ ବୋଲି ମାମଲାର ଶୁଣାଣି କରି ହାଇକୋର୍ଟ ମତ ଦେଇଥିଲେ। ଇନ୍‌ଫୋସିଟି ଥାନା ଆଇଆଇସିଙ୍କ କାର୍ଯ୍ୟ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିବା ସହିତ ଏକ ବର୍ଷ ପାଇଁ ତାଙ୍କୁ କୌଣସି ଫିଲ୍ଡ ପୋଷ୍ଟିଂ ଦାୟିତ୍ବ ନ ଦେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିକୁ ତାଲିମ ପାଇଁ ପଠାଯିବ। ମାମଲା ତଦନ୍ତର ବ୍ୟକ୍ତିଗତ ଭାବେ ଡିସିପି ତଦାରଖ କରିବେ। ଚୂଡାନ୍ତ ରିପୋର୍ଟ ତିନି ମାସ ଭିତରେ ଦାଖଲ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଲିସ ଘଟଣାର ତଦନ୍ତ କରି ୨୦୨୩ ଫେବ୍ରୁଆରି ୭ରେ ଆନନ୍ଦଙ୍କ ମୃତ୍ୟୁ ମାମଲାର ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା। ଏହା ଏକ ହତ୍ୟାକାଣ୍ଡ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏଭଳି ରିପୋର୍ଟ ବିରୋଧରେ ପୁଣି ଶ୍ରୀ ଟପ୍ପୋ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରାଯାଇନାହିଁ ବୋଲି ସେ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଥିଲେ।