ରାଷ୍ଟ୍ରପତିଙ୍କ ଅପେକ୍ଷାରେ

କଟକ : ଦିନକ ପରେ କଟକ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଖାପାଖି ୨୮ ବର୍ଷ ପରେ ଦେଶର ରାଷ୍ଟ୍ରପତି କଟକ ଆସୁଥିବାରୁ ଏଥିପାଇଁ ସହରକୁ ସଜେଇବାରେ ଲାଗିପଡ଼ିଛି ଜିଲ୍ଲା ପ୍ରଶାସନ। ରାଷ୍ଟ୍ରପତିଙ୍କ ଯିବା ଆସିବା ରାସ୍ତାକୁ ଚକାଚକ୍‌ କରାଯାଉଥିଲାବେଳେ ନରାଜଠାରେ ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ଯିବାକୁ ଥିବା ସ୍ଥାନ ଏବଂ ରାସ୍ତାରେ ଆଜିଠାରୁ ପୁଲିସ୍‌ ପହରା ଦିଆଯାଇଛି। ସୀମିତ ଲୋକଙ୍କୁ ଛାଡ଼ିଦେଲେ ଆଉ କାହାକୁ ଉକ୍ତ ସ୍ଥାନଗୁଡ଼ିକୁ ଛଡ଼ାଯାଉନାହିଁ। ରାଷ୍ଟ୍ରପତି ସଡ଼କ ପଥରେ ଆସି ହେଲିକପ୍ଟରରେ କଟକରୁ ଫେରିବେ।

ସ୍ଥାନ ପାଇବ କଳିଙ୍ଗ ପୁରସ୍କାର ବିଜେତା ୭୯ ବୈଜ୍ଞାନିକଙ୍କ ଫଟୋ

ଆନନ୍ଦଭବନ ବିଜୁ ସଂଗ୍ରହାଳୟରେ ସ୍ଥାନ ପାଇବ କଳିଙ୍ଗ ପୁରସ୍କାର ବିଜେତାଙ୍କ ଫଟୋଚିତ୍ର । ପ୍ରବେଶଦ୍ୱାରରେ କଳିଙ୍ଗ ପୁରସ୍କାର ପାଇଥିବା ୭୯ ଜଣ ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କ ଫଟୋଚିତ୍ର ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଏଥିସହିତ ସେହି ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନର ଯୋଜନା ଥିବା ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସୂଚନା ଦେଇଛନ୍ତି ।

ଆନନ୍ଦ ଭବନ ଭିତରକୁ ଯିବେ କିଏ?

ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଜୁ ସଂଗ୍ରହାଳୟ ଉଦ୍‌ଘାଟନ ପାଇଁ ଆନନ୍ଦଭବନ ଭିତରକୁ ଯିବା ସମୟରେ ତାଙ୍କ ସହ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ବିଚାରପତି, ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ଗୀତା ମେହେଟ୍ଟା ଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅନ୍ୟ ପରିବାର ସଦସ୍ୟଙ୍କ ଭଳି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯିବ। ଏହି ସମୟରେ ବିଧାୟକ, ଜିଲ୍ଲାପାଳ, ଡିସିପି ତଥା ଅନ୍ୟ ନେତୃବୃନ୍ଦଙ୍କୁ ଭିତରକୁ ଯିବା ପାଇଁ ମଧ୍ୟ ଅନୁମତି ନଥିବା ସୂଚନା ମିଳିଛି। ଅବଶ୍ୟ ଏ ସଂପର୍କରେ ଆସନ୍ତା କାଲି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ସେହିଭଳି ଇଣ୍ଡୋର୍‌ ଷ୍ଟାଡିୟମରେ ହେବାକୁ ଥିବା ସାଧାରଣ ସଭାରେ ମଞ୍ଚ ଉପରେ ଆଠଜଣ ବ୍ୟକ୍ତି ବସିବା ପାଇଁ ରାଷ୍ଟ୍ରପତି ଭବନରୁ ଅନୁମତି ମିଳିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ତାଙ୍କ ସହ କିଏ କେଉଁଠି ରହିବେ, ସେ ସଂପର୍କରେ ଆସନ୍ତା କାଲି ସୁଦ୍ଧା ସରକାରୀ ଭାବେ ସବୁକିଛି ସ୍ପଷ୍ଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର