ଭୁବନେଶ୍ବର : ଦିନ ଯେତେ ଗଡ଼ୁଛି ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ସାଙ୍ଗ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ପଛର ରହସ୍ୟ ବି ସେତେ ବଢ଼ୁଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଆନନ୍ଦଙ୍କ ବାପା, ମା’ ଏବଂ ଭାଇ ଡିସିପିଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଡିସିପି ପ୍ରତୀକ ସିଂଙ୍କୁ ଭେଟି ତାଙ୍କ ପୁଅକୁ ହତ୍ୟା କରାଯାଇଛି ଏବଂ ଆଉ ହତ୍ୟାକାରୀ ବର୍ତ୍ତିବା ପାଇଁ ହତ୍ୟାକୁ ଭିନ୍ନ ରୂପ ଦେକାକୁ ଚକ୍ରାନ୍ତ ଚାଲାଇଛନ୍ତି ବୋଲି କହିଥିଲେ। ଏହାପରେ ସେମାନେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ୍‌ଙ୍କୁ ଭେଟିଥିଲେ। ସେଠାରେ ସେମାନଙ୍କୁ ପାଖାପାଖି ସାଢ଼େ ୩ଘଣ୍ଟା ଧରି ପୁଲିସ ପଚରା ଉଚରା କରିଥିଲା। ସିଆର୍‌ପିସି ୧୬୧ରେ ବାପା, ମା’ ଓ ଭାଙ୍କର ବୟାନ ରେକର୍ଡ ମଧ୍ୟ କରାଯାଇଥିଲା।

Advertisment

ଗୋଟିଏ ପଟେ ପରିବାର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିବା ବେଳେ ବାନ୍ଧବୀ ମନ୍‌ଜିତ୍‌ ଟେଟେ ଆତ୍ମହତ୍ୟା ବୋଲି କହିଥିଲେ। ଫଳରେ ପୁଲିସ ପାଇଁ ଅଡ଼ୁଆ ବଢ଼ିଯାଇଛି। ଗତକାଲି ଥାନାରେ ହାଜର ହୋଇ ମନଜିତ୍‌ କହିଥିଲେ ଯେ, ୨୦୨୦ ମସିହାରେ ଫେସ୍‌ବୁକ୍‌ରୁ ଉଭୟ ମଧ୍ୟରେ ସମ୍ପର୍କ ହୋଇଥିଲା। ଧୀରେ ଧୀରେ ଘନିଷ୍ଠତା ବଢ଼ିଥିଲା। ଏହାପରେ ସେମାନେ ଲିଭ୍‌ଇନ୍‌ରେ ରହିବାକୁ ସ୍ଥିର କରିଥିଲେ। ପାଖାପାଖି ୨ବର୍ଷ ଏକାଠି ଥିଲେ। ହେଲେ ୨୦୨୨ ଜାନୁଆରିରେ ଆନନ୍ଦ ବିବାହ କରିବା ପରେ ସେ ତାଙ୍କଠାରୁ ଦୂରେଇ ରହିବାକୁ ପ୍ରୟାସ କରିଥିଲେ। କିନ୍ତୁ ଆନନ୍ଦ ତାହା ଚାହୁନଥିଲେ। ଆତ୍ମହତ୍ୟା ଦିନ ସକାଳ ୭ଟା ସମୟରେ ଆନନ୍ଦ ପତ୍ନୀଙ୍କ କାର୍‌ ଧରି ଝାରସୁଗୁଡ଼ାରୁ ଆସି ତାଙ୍କ ପାଖରେ ପହଞ୍ଚି ଟଣାଓଟରା କରିଥିଲେ। ସେ ଏସବୁକୁ ବାରଣ କରିବା ସହ ଧକ୍କା ଦେଇ ଖସିଯାଇଥିଲେ। ଭୟରେ ନିଜ ବାଥ୍‌ରୁମ୍‌ ଭିତରେ ପଶିଯାଇଥିଲେ। କିଛି ସମୟ ପରେ ବାଥ୍‌ରୁମ୍‌ରୁ ବାହାରିବା ବେଳକୁ ଆନନ୍ଦ ତାଙ୍କୁ ଉପହାର ଦେଇଥିବା ଶାଢ଼ିରେ ଝୁଲିପଡ଼ିଥିଲେ। ଏହାଛଡ଼ା ଆନନ୍ଦଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା କଥା ମଧ୍ୟ କହିଥିଲେ। ତେବେ କିଏ ସତ କହୁଛି କିଏ ମିଛ କହୁଛି ତାକୁ ନେଇ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି।