ସାଧୁତା ଦେଖାଇଲେ ସାନପିଲା: ୧୪ ହଜାର ଟଙ୍କା ପାଇ ଫେରାଇଲେ

ଆନନ୍ଦପୁର : ରାସ୍ତାରେ ପଡ଼ିଥିବା ଟଙ୍କାକୁ ପାଇ ହଜିଥିବା ଲୋକଙ୍କୁ ଫେରାଇ ନିଜର ମହାନତା ଦେଖାଇଛନ୍ତି ଦେଓଗାଁ କୁଶଳେଶ୍ବର ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ରୁଦ୍ର ପ୍ରସାଦ ରଣା। ହାତୀଶିଳା ଗ୍ରାମର ରାଧାଶ୍ୟାମ ରଣାଙ୍କ ପୁଅ ରୁଦ୍ର ଗତକାଲି ସଂଧ୍ୟା ୬ଟାରେ ସାଙ୍ଗ ଆୟୂଷ କୁମାର ରଣାଙ୍କ ସହିତ ସାଇକଲରେ ଯାଉଥିବାବେଳେ ହାଇସ୍କୁଲ ନିକଟରେ ଏକ ମନିପର୍ସ ସହିତ ରାସ୍ତାରେ ଟଙ୍କା ପଡ଼ିଥିବା ଦେଖିବାକୁ ପାଇଥିଲେ। ପର୍ସରେ ମୋଟ୍ ୧୪ହଜାର ଟଙ୍କା ସହିତ ପାନକାର୍ଡ, ଏଟିଏମ୍ ଓ ଅନ୍ୟାନ୍ୟ କାର୍ଡ ଥିଲା।

ସେ ତୁରନ୍ତ ତାଙ୍କ ବାପାଙ୍କୁ ଏ ସମ୍ପର୍କରେ ଜଣାଇବା ସହିତ ପର୍ସରେ ଥିବା ମୋବାଇଲ  ନମ୍ବରକୁ ଫୋନ୍ କରିଥିଲେ। ଫୋନ କଲ ପାଇ ପର୍ସ ଓ ଟଙ୍କା ହଜାଇ ସେହି ରାସ୍ତାରେ କିଛିସମୟ ପୂର୍ବରୁ ଯାଇଥିବା ନିକଟସ୍ଥ କଇଁସିଆରୀ ଗ୍ରାମର ଅମିତ୍ କୁମାର ରାଉତ ସେଠାରେ ଆସି ପହଞ୍ଚିଥିଲେ। ତାଙ୍କୁ ତାଙ୍କର ଟଙ୍କା, ପର୍ସ ସହିତ ସମସ୍ତ କାଗଜପତ୍ର ଫେରାଇ ଦେଇଥିଲେ। ରୁଦ୍ରଙ୍କ ଏଭଳି ମହାନ୍ କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର