ଆନନ୍ଦପୁର : ଦେଢଶହ ବର୍ଷର ପରମ୍ପରା ଫିକା

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚ‌ଳ ଫକୀରପୁରର ଦୁର୍ଗାପୂଜା ହେଉଛି କେନ୍ଦୁଝର ଜିଲ୍ଲାର ସବୁଠାରୁ ପୁରୁଣା। ବଙ୍ଗ ବିଭାଜନ ସମୟରେ ୧୮୬୭ରେ ବଙ୍ଗାଳି ସମ୍ପ୍ରଦାୟର ବ୍ୟବସାୟୀ ଏଠାରେ ଅବସ୍ଥାନ କରିବାପରେ ୧୧ନମ୍ବର ୱାର୍ଡ଼ ଫକୀରପୁର ମାଝୀସାହିରେ ଦୁର୍ଗାପୂଜାର ପରମ୍ପରା ଆରମ୍ଭ କରିଥିଲେ। ସେହଦିନଠାରୁ ଏଠାରେ ନିରବିଚ୍ଛିନ୍ନଭାବେ ପୂଜା ଆଡମ୍ବର ସହକାରେ ଅନୁଷ୍ଠିତ ହେଉଥିବାବେଳେ ୨୦୧୨ରୁ ଶ୍ରଦ୍ଧାଳୁଙ୍କ ସହଯୋଗରେ ଏଠାରେ ଆକର୍ଷଣୀୟ ଚାନ୍ଦିମେଢ଼ ନିର୍ମାଣ କରାଯାଇଛି। ଏଠାକାର ପୂଜା ସ୍ବତନ୍ତ୍ର ରହିଥିବାବେଳେ ବଙ୍ଗୀୟ କାରିଗରଙ୍କ ଦ୍ବାରା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି। ପ୍ରତିବର୍ଷ ମା’ଙ୍କ ପୂଜା ବଡ଼ ଧୁମଧାମରେ ପାଳନ କରାଯିବା ସହିତ ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପ୍ରବଳ ଜନସମାଗମ ହୋଇଥାଏ।

ତେବେ ଚଳିତବର୍ଷ ସରକାରଙ୍କ କଟକଣା ଯୋଗୁ କେବଳ ପରମ୍ପରା ରକ୍ଷା କରିବାପାଇଁ ପୂଜା ଅନୁଷ୍ଠିତ ହୋଇଛି। ମଣ୍ତପକୁ ପରଦାରେ ଆବଦ୍ଧ କରାଯାଇ ଆଜି ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଅଷ୍ଟମୀ ପୂଜାରେ ଆନନ୍ଦପୁର ଉପଖଣ୍ତର ବିଭିନ୍ନ ସ୍ଥାନରୁ ମାନସିକଧାରୀଙ୍କର ସମାଗମ ହେଉଥିବାବେଳେ ଚଳିତବର୍ଷ ଏହାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର