ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚିତ: ସୌମ୍ୟ

ଆନନ୍ଦପୁର ମହୋତ୍ସବ ଉଦ୍‌ଯାପିତ 

ଆନନ୍ଦପୁର : ଉତ୍ସବ ସବୁଆଡ଼େ ପାଳନ ହେଉଛି। ଯେତେବେଳେ ବଡ଼ ଉତ୍ସବ ହେଉଛି ତାକୁ ମହୋତ୍ସବର ଆଖ୍ୟା ଦିଆଯାଉଛି। ଓଡ଼ିଆରେ ବାରମାସରେ ତେର ଯାତ୍ରା ପାଳନ ହେଉଥିବାବେଳେ ଗଣତନ୍ତ୍ରର ମହାନ୍ ଉତ୍ସବ ହେଉଛି ମହୋତ୍ସବ। ମଣିଷ ଭିତରେ ଯାହାକିଛି କରିବାର ସାମର୍ଥ୍ୟ ରହିଛି ତାକୁ ଉତ୍ସାହିତ କରିବାର ଏହା ହେଉଛି ଏକ ବଳିଷ୍ଠ ମାଧ୍ୟମ। ଉତ୍ସବ ମାଧ୍ୟମରେ ଲୋକମାନଙ୍କୁ ଏକଜୁଟ୍ କରାଯିବା ସହ ପ୍ରତିଭା ଅନ୍ବେଷଣର ସୁଯୋଗ ସୃଷ୍ଟି କରିଥାଏ। ଆନନ୍ଦପୁର ମାଟିରେ ମହୋତ୍ସବ ଏବେ ଏକ ବିରାଟ ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ତପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଆନନ୍ଦପୁର ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସେ ଆନନ୍ଦପୁରରେ ଜନ୍ମ ହେବାର ସୁଯୋଗ ପାଇନଥିଲେ ମଧ୍ୟ ନିଜର ପିତୃଭୂମି ଓ ମାତୃଭୂମି ଭାବେ ବିବେଚନା କରନ୍ତି। ଆଉ ଜଣେ ଆନନ୍ଦପୁରିଆ ଭାବେ ତାଙ୍କୁ ପ୍ରଥମେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହାତାବ ସମାଲୋଚନା କରିବାପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ପ୍ରଥମେ ମହତାବଙ୍କ ସହିତ ମୋର ଝଗଡ଼ା ହୋଇଥିଲା। ପରେ ବ୍ୟକ୍ତିଗତ ଭାବେ ଅତି ଭଲ ସମ୍ପର୍କ ହୋଇଥିଲା। ମୁଁ ଜଣେ ଆନନ୍ଦପୁରିଆ ଭାବେ ନିଜକୁ ଗର୍ବ କରୁଥିବାବେଳେ ଆଜି ଆନନ୍ଦପୁର ମହୋତ୍ସବରେ ସାମିଲ ହୋଇ ନିଜକୁ ଅତ୍ୟନ୍ତ ଉତ୍ସାହିତ ମନେ କରୁଛି।

ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଆଜିର ମହୋତ୍ସବର ସଫଳତାର ଶ୍ରେୟ ସମସ୍ତ ଆନନ୍ଦପୁରବାସୀଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହାର କଳେବର ଆହୁରି ବୃଦ୍ଧି କରିବା ତଥା ସମସ୍ତ ବର୍ଗର ଜନସାଧାରଣଙ୍କୁ ଏଥିରେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅତିଥିମାନେ ମହୋତ୍ସବର ସ୍ମରଣିକା ‘ଅଳସୀ’କୁ ଉନ୍ମୋଚନ କରିଥିଲେ। ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ମହାନ୍ତି ସଭାକୁ ସଞ୍ଚାଳନ କରିଥିଲେ।

ଏହି ଅବସରରେ ଆନନ୍ଦପୁରର ସୁଯୋଗ୍ୟ ସନ୍ତାନ ତଥା ଶିଳ୍ପକ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଶିଳ୍ପପତି ତାରାରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ନିଜକୁ ଜଣେ ଆନନ୍ଦପୁରିଆଭାବେ ଗର୍ବ ଅନୁଭବ କରନ୍ତି ଏବଂ ଆନନ୍ଦପୁରର ଯେକୌଣସି ସମସ୍ୟା ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଉଦ୍ୟମ କରୁଛନ୍ତି। ଏହା ଆଗକୁ ଜାରି ରହିବ ବୋଲି ନିଜ ସମ୍ବର୍ଦ୍ଧନାର ଉତ୍ତରରେ ସେ ପ୍ରକାଶ କରିଥିଲେ।

ସେହିଭଳି, ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଆନନ୍ଦପୁରର ମନସ୍ବିନୀ ପତି, କୁରାଢ଼ିଘଷାର ଶିକ୍ଷକ ବିଶ୍ବରଂଜନ ବେହେରା, କ୍ରୀଡ଼ାବିତ୍ ଛାତ୍ର ଅମରେନ୍ଦ୍ର ଚକ୍ର, କୁରାଢ଼ିଘଷାର ସମାଜସେବୀ ଅଲେଖ ଚନ୍ଦ୍ର ବେହେରା, ଜମ୍ଭରାର ପଞ୍ଚାନନ ମହାନ୍ତି, ଯୁବସମାଜସେବୀ ଭାବେ ଘସିପୁରାର ଦେବରାଜ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟିର ସଦସ୍ୟ ଅଧ୍ୟାପକ ଡ. ଦିଲୀପ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସାଥୀ କଳାକାରଙ୍କ ଦ୍ବାରା ମେଲୋଡି ପରିବେଷଣ କରାଯାଇଥିଲା। ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଆଜି ଉଦ୍‌ଯାପନୀ ଦିବସରେ ପ୍ରତିକୂଳ ପାଗ ସତ୍ତ୍ବେ ପ୍ରବଳ ଜନସମାଗମ ହୋଇଥିଲା।

‘ଯୁବଗୋଷ୍ଠୀଙ୍କୁ ଶିଳ୍ପପତି ତାରାରଂଜନଙ୍କ ସଫଳତାର କାହାଣୀ ଶୁଣାଇଲେ’
ଆନନ୍ଦପୁର ମାଟିର ସୁଯୋଗ୍ୟ ସନ୍ତାନ ଶିଳ୍ପପତି ତାରାରଂଜନ ପଟ୍ଟନାୟକଙ୍କ ସଫଳତାକୁ ସୌମ୍ୟରଂଜନ ପଟ୍ଟନାୟକ ଉଦାହରଣ ଭାବେ ନେଇଥିଲେ। ଆଜିର ଯୁବଗୋଷ୍ଠୀ ନିଜର ଉଦ୍ୟମ ଜାରି ରଖିଲେ ଜୀବନରେ ତାରାରଂଜନଙ୍କ ଭଳି ନିଶ୍ଚିତ ସଫଳତା ପାଇପାରିବେ। ଜାନକୀବାବୁଙ୍କ ସରକାର ସମୟରେ ହଜାରେ ଦିନରେ ହଜାରେ ଶିଳ୍ପର ଆହ୍ବାନ ଦିଆଯାଇଥିଲା। ଅନେକ ଶିଳ୍ପପତି ଅସଫଳ ହୋଇଥିଲେ ମଧ୍ୟ ସେହି ସମୟରେ ବ୍ୟବସାୟ ଆରମ୍ଭ କରିଥିବା ଆନନ୍ଦପୁରିଆ ତାରାରଂଜନ ସଫଳତାର ସ୍ବାଦ ଚାଖିଥିଲେ। ମୁଁ ବୟସର ମାପକାଠିରେ ଯୁବକର ପରିଭାଷା କରେନାହିଁ। ଯୁବକର ପ୍ରକୃତ ପରିଭାଷା ହେଲା ଯିଏ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ। ଆଜି ଓଡ଼ିଆ ଯୁବକମାନଙ୍କ ଭିତରେ ଇଚ୍ଛାଶକ୍ତି କମିକମି ଯାଉଛି। ଯାହାର ପ୍ରବଳ ଇଚ୍ଛାଶକ୍ତି ଅଛି ସେ ଜୀବନରେ ନିଶ୍ଚିତ ସଫଳତା ହାସଲ କରିପାରି‌େବ । ତାରାରଂଜନ ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ।

ସମ୍ବନ୍ଧିତ ଖବର