କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧୀନ ସୁନ୍ଦରାପାଳରେ ଘର ସହ ଜଳିଗଲେ କନିଷ୍ଠ କିରାଣି

କୋରାପୁଟ : ପୋଡ଼ିଯାଇ ଦମ୍ପତି ଗୁରୁତର

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଅଧୀନ ସୁନ୍ଦରାପାଳ ଛକରେ ଘଟିଯାଇଛି ଅଭାବନୀୟ ଘଟଣା। ଘର ସହ ଜଳି ଯାଇଛନ୍ତି ଆନନ୍ଦପୁର ତହସିଲର କନିଷ୍ଠ କିରାଣି ଶୁକଦେବ ମୁଣ୍ଡା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଶୁକଦେବଙ୍କ ପତ୍ନୀ ନିକଟସ୍ଥ ଏକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ପରିବାରରେ ମନାନ୍ତରକୁ ନେଇ ଶୁକଦେବ ୮/୯ ମାସ ହେଲା ଘର ଛାଡ଼ି ସୁନ୍ଦରାପାଳ ବଜାରରେ ଥିବା ଘନଶ୍ୟାମ ମଲ୍ଲିକଙ୍କ ଏକ ଚାଳିଆ ଘରେ ରହିଆସୁଥିଲେ। ଗତକାଲି ସକାଳେ ସେ ଘରକୁ ଯାଇ ମାଛ ଓ ସଉଦାପତ୍ର ଦେବା ସହ ପୁଅକୁ ବାଣ ଫୁଟାଇବା ପାଇଁ ଟଙ୍କା ଦେଇ ଆସିଥିଲେ। ରାତିରେ ସେହି ଚାଳିଆ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଘର ଜଳୁଥିବା କିଛି ଲୋକ ଦେଖି ଘର ମାଲିକ ଘନଶ୍ୟାମଙ୍କୁ ଫୋନ କରି ସୂଚନା ଦେଇଥିଲେ। ଖବର ପାଇ ହାଟଡିହି ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ଶୋଇଥିବା ଶୁକଦେବ ନିଆଁରେ ଜିଅନ୍ତା ଜଳି ଯାଇଥିଲେ। ଘଟଣା ସଂପର୍କରେ ଘନଶ୍ୟାମ ମୃତ ଶୁକଦେବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଅଗ୍ନିକାଣ୍ଡ ଓ ଶୁକଦେବଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୋସୋ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଡ଼ିଯାଇ ଦମ୍ପତି ଗୁରୁତର
ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଲମତାପୁଟ ବ୍ଲକ ତଥା ନନ୍ଦପୁର ଥାନା ଅନ୍ତର୍ଗତ ଧାଡି ଗାଁରେ ଘରକୁ ଲାଗି ରହିଥିବା ଗୋଟିଏ ଦୋକାନରେ ନିଆଁ ଲାଗି ଦଂପତି ପୋଡ଼ି ଯାଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଡାବୁଗୁଡା ପଂଚାୟତ ଅନ୍ତର୍ଗତ ଧାଡି ଗାଁରେ ସମସ୍ତେ ଦୀପାବଳି ପାଳନ କରୁଥିବା ବେଳେ ବାଣ ଫୁଟାଇବାରେ ବ୍ୟସ୍ତ ରହିଥିଲେ। ଅନ୍ୟପଟେ ଗାଁର ଶ୍ୟାମ ସୁନ୍ଦର ଖିଲ ଓ ପତ୍ନୀ ଦଇମତି ଖିଲା ରାତ୍ରି ଭୋଜନ ପରେ ଦୋକାନକୁ ଲାଗି ରହିଥିବା ଘରେ ଶୋଇ ପଡ଼ିଥିଲେ। ଘର ଭିତରେ ଗୋଟିଏ କ୍ୟାଣ୍ଡେଲ ଲାଗିଥିଲା। ସେଥିରୁ ନିଆଁ ଲାଗିଥିବା ବେଳେ ଦୋକାନରେ ଥିବା କିରାସିନି ଯୋଗୁଁ ଅଳ୍ପ ସମୟ ମଧ୍ୟରେ ଚାରିଆଡ଼କୁ ବ୍ୟାପୀ ଯାଇଥିଲା।

ସମ୍ବନ୍ଧିତ ଖବର