ପୁରୀ: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ବାରମ୍ବାର ଦାବି ପରେ ଶେଷରେ ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ସେପ୍ଟେମ୍ବର ୧ରୁ ବ୍ୟବସ୍ଥିତ ଢଙ୍ଗରେ ଆନନ୍ଦବଜାର ଚଳାଇବାକୁ ଯୋଜନା କରାଯାଇଛି। ଏଥିପାଇଁ ଆଉଟ୍‌ସୋର୍ସିଂ ଜରିଆରେ ପୂର୍ବତନ ସେନା କର୍ମଚାରୀଙ୍କୁ ନିୟୋଜନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୨୦ ଜଣ ପୂର୍ବତନ ସୈନିକଙ୍କୁ ଆନନ୍ଦବଜାର ଶୃଙ୍ଖଳା ଦାୟିତ୍ବ ଦିଆଯିବ। ଯେ ପର୍ଯ୍ୟନ୍ତ ସ୍ଥାୟୀ ଭାବେ କୌଣସି ବ୍ୟବସ୍ଥା ନ ହୋଇଛି, ସେ ପର୍ଯ୍ୟନ୍ତ ଏମାନେ ଆନନ୍ଦବଜାର ଶୃଙ୍ଖଳା ଦାୟିତ୍ବ ବୁଝିବେ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ନେଇ  ସାକ୍ଷାତକାର ଓ ଚୟନ ପ୍ରକ୍ରିୟା ଶେଷ ହୋଇଛି। 

Advertisment

ବହୁଦିନରୁ ଆନନ୍ଦବଜାର ଶୃଙ୍ଖଳା ନେଇ ସ୍ବର ଉଠାଇ ଆସୁଛି ସୁଆର ମହାସୁଆର ନିଯୋଗ। ପ୍ରତ୍ୟେକ ଦିନର ନୀତିକାନ୍ତି ଶୀଘ୍ର ସଂପାଦନ ସହ ରୋଷରେ ତିଆରି ହୋଇ ଭୋଗରେ ଲାଗୁଥିବ ମହାପ୍ରସାଦ କେବଳ ଆନନ୍ଦବଜାରରେ ବିକ୍ରି କରିବାକୁ ନିଯୋଗ ଦାବି କରୁଛି। ପ୍ରଶାସନ ତରଫରୁ ଯେଉଁ ସୁପକାରମାନଙ୍କୁ ଦୋକାନଘର ଦିଆଯାଇଛି, ସେମାନେ ଏହାକୁ ଷ୍ଟୋର୍‌ ରୁମ୍‌ ଭାବେ ବ୍ୟବହାର କରୁଛନ୍ତି ଓ ଅନ୍ୟତ୍ର ଦୋକାନ କରୁଛନ୍ତି। ଏହାକୁ ବନ୍ଦ କରିବାକୁ ନିଯୋଗ ଦାବି କରିଆସୁଛି। ସେହିଭଳି ସ୍ବତ୍ବଲିପି ମୁତାବକ କେବଳ ସୁପକାରଙ୍କୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ଅନୁମତି, ଲାଇସେନ୍ସପ୍ରାପ୍ତ ଖଜା ଦୋକାନୀଙ୍କୁ ଦୋକାନ ବଣ୍ଟନରେ ପ୍ରାଥମିକତା, ଲାଇସେନ୍ସ ନ ଥିବା ଖଜାଦୋକାନୀଙ୍କ ଉପରେ କଟକଣା, ପ୍ରତ୍ୟେକ ସୁପକାରଙ୍କୁ ମହାପ୍ରସାଦ ବିକ୍ରି ପାଇଁ ଏକମାତ୍ର ଦୋକାନ ଆଦି ୨୩ଟି ପ୍ରସ୍ତାବ ଦିଆଯାଇଥିଲା।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଯୋଗ ସହ ଆଲୋଚନା ପରେ ୨୦ ଜଣ ପୂର୍ବତନ ସେନାନୀଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ଏ ସଂପର୍କରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଯତୀନ କୁମାର ପଣ୍ଡା କହିଛନ୍ତି, ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ୨୦ ଜଣ ପୂର୍ବତନ ସେନାନୀଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇଛି। ସେପ୍ଟେମ୍ବର ୧ରୁ ଏମାନେ କାମ ଆରମ୍ଭ କରିବେ। କୁଶଳୀ ଓ ଅଭିଜ୍ଞ ପୂର୍ବତନ ସେନାନୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ମହାପ୍ରସାଦ ବିକ୍ରି କରୁଥିବା ସୁପକାରମାନେ ସର୍ବଦା ଆନନ୍ଦବଜାର ଯା’ଆସ ରାସ୍ତାକୁ ମାଡ଼ି ଆସୁଥିବା ଅଭିଯୋଗ ହେଉଛି। କେଉଁ ସୁପକାରମାନେ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ଓ ସେମାନଙ୍କ ସ୍ଥିରୀକୃତ ଜାଗାରେ ଏମାନେ ବସି ମହାପ୍ରସାଦ ବିକ୍ରି କରୁଛନ୍ତି କି ନାହିଁ,  ଅପରାଧିକ କାର୍ଯ୍ୟକଳାପ  ସହ ମୋବାଇଲ୍‌, ପାନ, ଗୁଟ୍‌ଖା, ପଲିଥିନ୍‌ ଆଦି ଉପରେ ଏହି ପୂର୍ବତନ ସେନାନୀମାନେ ନଜର ରଖିବେ। ଭକ୍ତମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ ସହ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।