ହାଟଡିହି: ମେ ୨୫ରେ କେନ୍ଦୁଝର ଜିଲ୍ଲାରେ ହେବ ଭୋଟ୍‌ଗ୍ରହଣ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ଘର ସଜାଡୁଥିବା ବେଳେ ବିଜେଡିରେ ଟିକେଟ୍‌ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ପରସ୍ପରର ଟିକେଟ୍‌ କାଟିବା ପାଇଁ ବିଜେଡିର ବିଭିନ୍ନ ଗୋଷ୍ଠୀ ଦସ୍ତଖତ ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ଶିବିରରେ ନିରବତା ଦେଖିବାକୁ ମିଳିଛି। ଆନନ୍ଦପୁର ବ୍ଲକ୍‌ର ୧୫ଟି ପଞ୍ଚାୟତ, ହାଟଡିହି ବ୍ଲକ୍‌ ଓ ଆନନ୍ଦପୁର ପୌରାଞ୍ଚଳକୁ ନେଇ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଗଠିତ। ନିର୍ବାଚନ ପାଖେଇ ଆସିଥିବାରୁ କଂଗ୍ରେସ ପକ୍ଷରୁ ପ୍ରତିଦିନ ବିଭିନ୍ନ ସ୍ଥାନରେ ସଭାସମିତି ଓ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇ ସଂଗଠନ ସଜଡ଼ା ଚାଲିଛି। ଏଠାରେ କିପରି ଦଳ ବିଜୟ ହାସଲ କରିବ , ସେଥିପାଇଁ ଜୋର୍‌ଦାର୍‌ ଉଦ୍ୟମ କରୁଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା। ସେ ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏଥିପାଇଁ ସେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରି ସଂଗଠନକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଉଛନ୍ତି। ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଏହି ଦୁଇଦଳ ଓଡ଼ିଶାବାସୀଙ୍କୁ ଧୋକ‌ା ଦେଇଥିବାରୁ ରାଜ୍ୟରେ ଏବେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଛି। କଂଗ୍ରେସ ଆଗୁଆ ଇସ୍ତାହାର ପ୍ରକାଶ କରି ‌ଓଡ଼ିଶାର ଜନସାଧାରଣଙ୍କୁ ଗ୍ୟାରେଣ୍ଟି ଦେଇଛି। ଯାହାକୁ ଲୋକେ ବିଶ୍ବାସକୁ ନେଇଛନ୍ତି। ୨୦୨୪ରେ କଂଗ୍ରେସ କ୍ଷମତାକୁ ଫେରିବ‌ ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ଅପରପକ୍ଷରେ ଲଗାତାର ତିନିଥର ଏଠାରେ ବିଜୟୀ ହୋଇଥିବା ବିଜେଡିରେ ଏଥର ଦଳୀୟ ଟିକଟକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି। ପରସ୍ପରର ଟିକେଟ କାଟିବାକୁ ଗୋଡ଼ ଟଣାଟଣି ଚାଲିଛି। କିଛିଦିନ ହେଲା ଦଳରେ ଦସ୍ତଖତ ରାଜନୀତି ଜୋର୍‌ ଧରିଛି। ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ ଓ ସ୍ଥାନୀୟ ବିଜେଡି କର୍ମୀଙ୍କ ଦସ୍ତଖତ ଥିବା ଅଭିଯୋଗପତ୍ର ପ୍ରସ୍ତୁତ କରାଯାଇଛି। ଏଥିରେ ବିଧାୟକ ଭାଗୀରଥି ସେଠୀଙ୍କୁ ପୁନର୍ବାର ପ୍ରାର୍ଥୀ ନ କରିବାପାଇଁ ଦଳ ସୁପ୍ରିମୋଙ୍କୁ ନିବେଦନ କରାଯାଇଛି। ଏହି ଅଭିଯୋଗପତ୍ରକୁ ମଧ୍ୟ ସୁପ୍ରିମୋଙ୍କ ପାଖକୁ ପଠାଯାଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ଦୁଇ ଟିକଟ ଆଶାୟୀ ଅଭିମନ୍ୟୁ ସେଠୀ ଓ ଇଂ. ବିଶ୍ବନାଥପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ଦସ୍ତଖତ ସଂଗ୍ରହ ଚାଲିଥିବା ଜଣାପଡ଼ିଛି। ବିଜେଡିର ୧୦ରୁ ଊର୍ଦ୍ଧ୍ବ ଟିକଟ ଆଶାୟୀ ଏବେ ଭୁବନେଶ୍ୱରରେ ଡେରା ପକାଇଛନ୍ତି। ସେହିପରି ମେଣ୍ଟ ଚର୍ଚ୍ଚା ପରଠାରୁ ବିଜେପି ଶିବିରରେ ନିରବତା ଦେଖିବାକୁ ମିଳିଛି। ବିଜେପି ନେତାମାନେ କାଁଭାଁ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି। ଦୁଇଥର ବିଧାୟକ ପ୍ରାର୍ଥୀ ହୋଇଥିବା ଅଲୋକ ସେଠୀ କିଛିଦିନ ପୂର୍ବରୁ ଦିନରାତି ଏକ କରି ସଭାସମିତି ଓ କର୍ମୀ ସମ୍ମିଳନୀ କରୁଥିଲେ। ମେଣ୍ଟ ଚର୍ଚ୍ଚା ପରଠାରୁ ଆଉ କୌଣସି ସଭାସମିତି କରିନାହାନ୍ତି। ମେଣ୍ଟ ଚିତ୍ର ସ୍ପଷ୍ଟ ହୋଇନଥିବାରୁ ବିଜେପି ଶିବିର ନିରବତା ଅବଲମ୍ବନ କରୁଥିବା ଆଲୋଚନା ହେଉଛି।