କଟକ: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏହି ମାମଲାରେ ବଡ଼ଏକତାଳି ଗ୍ରାମର ଅଜିତ ପୃଷ୍ଟି, ସଂଜୀବ କୁମାର ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବାଇତେଇଙ୍କୁ ଆନନ୍ଦପୁର ଅତିରିକ୍ତ ‌ଦୌରା ଜଜ୍ ଅଦାଲତ ମାର୍ଚ୍ଚ ୬ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ନିମ୍ନ ଅଦାଲତଙ୍କ ମୃତ୍ୟୁଦଣ୍ଡ ଆଦେଶ ଅନୁମୋଦନ ସଂପର୍କିତ ମାମଲା (ଡିଏସଆରଇଏଫ୍) ହାଇକୋର୍ଟରେ ଦାୟର ହୋଇଛି। ମୃତ୍ୟୁଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଏହା ହେଉଛି ୨୦୨୪ରେ ହାଇକୋର୍ଟରେ ପ୍ରଥମ ମାମଲା।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ରାମଚନ୍ଦ୍ର ୨୦୧୪ରେ ଘସିପୁରା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ୨୦୧୯, ମାର୍ଚ୍ଚ ୨୫ର ରାତି ପ୍ରାୟ ୧୦ଟାରେ କିଛି ଦୁର୍ବୃତ୍ତ ତାଙ୍କ ଧକୋଠାସ୍ଥିତ ଘରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ରାମଚନ୍ଦ୍ରଙ୍କ ଗୋଟିଏ ହାତକୁ ଦୁର୍ବୃତ୍ତମାନେ କାଟି ଦେଇଥିଲେ। କଟାହାତକୁ ଧରି ଦୁର୍ବୃତ୍ତମାନେ ଗାଁ ସାରା ବୁଲିବା ପରେ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ରାମଚନ୍ଦ୍ରଙ୍କ ଝିଅଙ୍କ ଏତଲା ଆଧାରରେ ଘସିପୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଜଣେ ନାବାଳକ ସହିତ ୫ଜଣଙ୍କୁ ପୁଲିସ ଏହି ମାମଲାରେ ଗିରଫ କରିଥିଲା।