କେନ୍ଦୁଝର : ଆନନ୍ଦପୁର ପୌରାଞ୍ଚଳ ଆଲୋକୀକରଣ ଦୁର୍ନୀତିର ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଆର୍ଥିଂ ଓ ଏଲ୍‌ଇଡି ଲାଇଟ୍‌ ଲଗାରେ ଦୁର୍ନୀତି ସହ ଏସ୍‌ଡିଓଙ୍କ ଜାଲ୍‌ ଦସ୍ତଖତରେ ସରକାରଙ୍କୁ ରିପୋର୍ଟ ଦେଇ ବିଲ୍‌ ଉଠାଇ ନେବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବାପରେ ହଇଚଇ ସୃଷ୍ଟି ହୋଇଛି। ଏଭଳି କି ଟାଟା ପାୱାର (ପୂର୍ବରୁ ନେସ୍କୋ) ନିର୍ବାହୀ ଯନ୍ତ୍ରୀଙ୍କ ବାରଣ ସତ୍ତ୍ବେ ପୌରପାଳିକା ଏଲ୍‌ଇଡି ଲାଇଟ୍‌ ଜଳାଇଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି। ଏ ସମ୍ପର୍କିତ ଚିଠି ‘ସମ୍ବାଦ’ର ହସ୍ତଗତ ହେବା ପରେ ପୌରସଂସ୍ଥାର ଭୂମିକା ସନ୍ଦେହଘେରକୁ ଆସିଛି।

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ଏଲ୍‌ଇଡି ଲାଇଟ୍‌ ଲଗାଇବା କାମ ଏନର୍ଜି ଏଫି‌ସିଏନ୍ସି ସର୍ଭିସ ଲିମିଟେଡ ବା ଏସେଲ (ଇଇଏସ୍‌ଏଲ୍‌) ନେଇଥିଲା। ପରେ ଏସେଲ୍‌ ଉକ୍ତ କାମକୁ ଆସ୍ଥା ଇଲେକ୍ଟ୍ରିକାଲ ନାମକ ହରିୟାଣାର ଏକ ଠିକାସଂସ୍ଥାକୁ ସବ୍‌ଲେଟ୍‌ରେ ଦେଇଥିଲା। ପୌରାଞ୍ଚଳର ୧୬ଟି  ୱାର୍ଡରେ ଆଲୋକୀକରଣ କାର୍ଯ୍ୟ ଶେଷ ହେବାପରେ ନଗର ଉନ୍ନୟନ ବିଭାଗକୁ ଦେବାପାଇଁ ଏକ ଆସେଟ୍‌ କ୍ରିଏସନ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏହି ରିପୋର୍ଟରେ ଟାଟା ପାୱାର (ପୂର୍ବରୁ ନେସ୍କୋ) ଏସ୍‌ଡିଓ ସୂର୍ଯ୍ୟକାନ୍ତ ବେହେରାଙ୍କ ଦସ୍ତଖତ ସହ ତତ୍‌କାଳୀନ ଆନନ୍ଦପୁର ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ କୁମାର ସାମଲ, ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ଦସ୍ତଖତ ରହିବା କଥା। ଏସ୍‌ଡିଓଙ୍କ ପାଖକୁ ଏହି ରିପୋର୍ଟ ଯିବା ‌ପରେ ଗତ ୬.୨.୨୦୨୦ରେ ଏସ୍‌ଡିଓ ଶ୍ରୀ ବେହେରା ଏବଂ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ କୁମାର ସାମଲ କ୍ଷେତ୍ର ପରିଦର୍ଶନ କରିଥିଲେ। ଆସ୍ଥା ଇଲେକ୍ଟ୍ରିକାଲ ପକ୍ଷରୁ ଅଧା କାମ ବି ହୋଇ ନଥିବା ଦେଖିବାକୁ ପାଇଥିଲେ। ଫଳରେ ଆସେଟ୍‌ କ୍ରିଏସନ୍‌ ରିପୋର୍ଟରେ ଏସ୍‌ଡିଓ ଶ୍ରୀ ବେହେରା ଦସ୍ତଖତ କରି ନଥି‌ଲେ। ଫେବ୍ରୁଆରି ୭ ତାରିଖ ୨୦୨୦ରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଏ ସମସ୍ତ ବିବରଣୀ ପ୍ରଦାନ କରିବା ସହ ବିଦ୍ୟୁତ୍‌କରଣ କାର୍ଯ୍ୟ ରିପୋର୍ଟ ଅନୁସାରେ ସାରିବାକୁ ଜଣାଇଥିଲେ।

ସେହିପରି କାମ ସଠିକ୍‌ ଢଙ୍ଗରେ ହୋଇ ନଥିବା ନେଇ ଟାଟା ପାୱାର (ପୂର୍ବରୁ ନେସ୍କୋ)ର ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ମିସ୍ତ୍ରୀ ଜାଣିବା ପରେ ୧୪.୮.୨୦୨୦ରେ ଚିଠି ନମ୍ବର-୩୦୨୬ରେ କାମ ନ ସରିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଚିଠିର ନକଲ ଏସ୍‌ଡିଓ ସୂର୍ଯ୍ୟକାନ୍ତ ବେହେରା ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ନିର୍ବାହୀ ଯନ୍ତ୍ରୀ କାମ ନ ସରିବା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନ ଦେବାକୁ ବାରଣ କରିବା ପରେ ସ୍ବଭାବିକ ଭାବେ ଲାଇଟ୍‌ ଜଳିବା କଥା ନୁହେଁ। ମାତ୍ର ପୌରସଂସ୍ଥା ଏବଂ ଠିକାସଂସ୍ଥା ଏହି ନିର୍ଦେଶକୁ ଅମାନ୍ୟ କରି ବିଦ୍ୟୁତ୍‌ ସଂଯୋଗ କରି ଲାଇଟ୍‌ ଜାଳିଥିଲେ।

ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୁଣା ଏଲ୍‌ଟି ବିଦ୍ୟୁତ୍‌ ଖୁଣ୍ଟରେ ଆଲୋକୀକରକଣ ପାଇଁ ପୂର୍ବରୁ ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା ଥିଲା। ଆସ୍ଥା ଇଲେକ୍ଟ୍ରିକାଲ ପକ୍ଷରୁ ନୂଆ ଏଲ୍‌ଇଡି ଲାଇଟ୍‌ ଲଗାଇବା ବେଳେ ସେଥିରେ ବିଦ୍ୟୁତ୍‌ ସଂଯୋଗ କରି ଦେଇଥିଲା। ତେଣୁ ନିର୍ବାହୀ ଯନ୍ତ୍ରୀ ବାରଣ ସତ୍ତ୍ବେ ପୌରସଂସ୍ଥା‌ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଠିକାସଂସ୍ଥା ହାତ କରି ବିଦ୍ୟୁତ୍‌ ସଂଯୋଗ କରିବା ସହ ପରବର୍ତ୍ତୀ ସମୟରେ ଲାଇଟ୍‌ ଲାଗିଛି ବୋଲି ସରକାରଙ୍କୁ ଏସ୍‌ଡିଓଙ୍କ ଜାଲ୍‌ ଦସ୍ତଖତର ଏକ ରିପୋର୍ଟ ପ୍ରଦାନ କରି ବିଲ୍‌ ପାସ୍‌ କରାଇ ନେଇଥିଲା। ଏ ସଂପର୍କରେ ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ମିସ୍ତ୍ରୀଙ୍କୁ ପଚାରିବାରୁ, ଆସ୍ଥା ଇଲେକ୍ଟ୍ରିକାଲ ଯେଉଁଭଳି ଭାବେ କାମ କରିବା କଥା ସେଭଳି ଢ଼ଙ୍ଗରେ କାମ କରି ନଥିଲା। ସେଥିପାଇଁ ବିଦ୍ୟୁତ୍‌ ସଂଯୋଗ ନ କରିବାକୁ ଏସ୍‌ଡିଓ ଏବଂ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲୁ। ଯେ‌ହେତୁ ପୁରୁଣା ଏଲ୍‌ଟି ଖୁଣ୍ଟରେ ଲାଇଟ୍‌ ଲାଗିଥିଲା, ‌ସେଥିପାଇଁ ଠିକାସଂସ୍ଥା ପୌରସଂସ୍ଥା ସହଯୋଗରେ ନିଜେ ନିଜେ ବିଦ୍ୟୁତ୍‌ ସଂଯୋଗ କରିଥିଲା। ଏହାପରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତିନିଥର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବା ସହ ପୌରସଂସ୍ଥାକୁ ମଧ୍ୟ ଚିଠି କରଯାଇଥିଲା। ମାତ୍ର ପୌରସଂସ୍ଥା କୌଣସି କଥା ଶୁଣି ନଥିଲା ବୋଲି ଶ୍ରୀ ମିସ୍ତ୍ରୀ କହିଛନ୍ତି।