ଆନନ୍ଦପୁର ପୌର ଉପାଧୢକ୍ଷଙ୍କୁ ଆକ୍ରମଣ ମାମଲା : ଜେଲ୍‌ ଗଲେ ମନ୍ତ୍ରୀଙ୍କ ୩ ସମର୍ଥକ

ଆନନ୍ଦପୁର : ଆନନ୍ଦପୁର ପୌର ଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ଓ ଶୈଲଙ୍ଗରେ ସନାସେନାର ୬ଜଣ ସମର୍ଥକଙ୍କୁ ହଣାକଟା ମାମଲାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ତିନିଜଣ ସମର୍ଥକ ଘସିପୁରା ଥାନାରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ନିର˚ଜନ ସାହୁ, ଅଜୟ ସାହୁ ଓ ଆଶିଷ ବେହେରା। ଆଜି ପୂର୍ବାହ୍ନରେ ତିନିଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଘସିପୁରା ଗ୍ରାମ୍ୟ ନ୍ୟାୟାଳୟ ଦାୟିତ୍ବରେ ଥିବା ଆନନ୍ଦପୁର ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଆନନ୍ଦପୁର ଜେଲ୍‌କୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୬ ତାରିଖ ପୂର୍ବାହ୍ନରେ ଫେସ୍‌ବୁକ୍‌ରେ ଆପତ୍ତିଜନକ କମେଣ୍ଟକୁ କେନ୍ଦ୍ରକରି ଘସିପୁରା ବସ୍‌ଷ୍ଟାଣ୍ତରେ ପ୍ରଥମେ ବିଜେପି ଓ ସନାସେନା ସମର୍ଥକଙ୍କ ମଧୢରେ ଝଗଡ଼ା ଓ ମାରପିଟ୍‌ ହୋଇଥିଲା। ପରେ ଏହି ଗଣ୍ତଗୋଳରେ ମନ୍ତ୍ରୀଙ୍କ ସମର୍ଥକମାନେ ଧସେଇ ପଶିଥିଲେ। ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କୁ ସବୁକ୍ଷେତ୍ରରେ ଅଡୁଆରେ ପକାଉଥିବା ସନାସେନାର ନେତା ତଥା ପୌର ଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ପାଇଁ ଯୋଜନା କରାଯାଇଥିଲା। ମନ୍ତ୍ରୀଙ୍କ ପୁଅ ଦେବାଶିଷ ପାତ୍ରଙ୍କ ନେତୃତ୍ବରେ ଏହି ଯୋଜନା ପ୍ରସ୍ତୁତ ହୋଇଥିଲା।

ଅପରାହ୍ନ ୪ଟାରେ ସୁରେଶ ନିଜ ବୋଲେରୋରେ ବସ୍‌ଷ୍ଟାଣ୍ତକୁ ଆସିଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ଡ୍ରାଇଭର ହରିହର ସାହୁ ଆହତ ହୋଇଥିଲେ। ଜୀବନ ପ୍ରତି ବିପଦ ଥିବା ଦେଖି ସୁରେଶ ସେଠାରୁ ପଳାଇଥିଲେ। ଦେବାଶିଷଙ୍କ ନେତୃତ୍ବରେ ଦୁଇଟି ଚାରିଚକିଆ ଓ ୧୦ରୁ ଅଧିକ ବାଇକ୍‌ରେ ପିଛା କରିଥିଲେ ହେଁ ସୁରେଶଙ୍କୁ ପାଇନଥିଲେ। ତେବେ ଶୈଲଙ୍ଗ ନିକଟରେ ଏକ କାରରେ ଥିବା ସନାସେନାର ୬ଜଣ ସମର୍ଥକଙ୍କୁ ମନ୍ତ୍ରୀଙ୍କ ସମର୍ଥକମାନେ ହଣାକଟା କରିଥିଲେ। ଆକ୍ରମଣର ଶିକାର ହୋଇଥିବା ଗୁହାଳିଆ ଗ୍ରାମର ସୁବ୍ରତ ଜେନା ଓ ସତ୍ୟବ୍ରତ ଜେନାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି। ସେମାନେ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ସେପ୍ଟେମ୍ବର ୧୯ତାରିଖରେ ଦେବାଶିଷ ଗିରଫ ହୋଇ ଜେଲ୍‌ରେ ଥିଲାବେଳେ ଘସିପୁରାର ଅକ୍ଷୟ ସାହୁଙ୍କୁ ମଧୢ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର