ନାଟ୍ୟକାର ଅନନ୍ତ ଓଝାଙ୍କ ମରଶରୀର ଗାଁ ମାଟିରେ ପହଞ୍ଚିଲା, ସଂଧ୍ୟାରେ ଶେଷକୃତ୍ୟ

ଭୁବନେଶ୍ୱର: ପ୍ରଖ୍ୟାତ ନାଟ୍ୟକାର ତଥା ଯାତ୍ରା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଶେଷକୃତ୍ୟ ଲାଗି ତାଙ୍କ ଗାଁ କେନ୍ଦ୍ରାପଡ଼ାର ନୀଳକଣ୍ଠପୁର ନିଆଯାଇଛି । ଅନନ୍ତ ଓଝାଙ୍କ ମରଶରୀର ଭୁବନେଶ୍ୱର ପହଞ୍ଚିବା ପରେ ବହୁ ରାଜନେତା, ମନ୍ତ୍ରୀ ଓ ଯାତ୍ରା କଳାକାର ତାଙ୍କର ଶେଷ ଦର୍ଶନ କରିବା ପରେ ତାଙ୍କୁ କଟକ ଅଭିମୁଖେ ନିଆଯାଇଥିଲା। ସେଠାରେ ଉପସ୍ଥିତ ଯାତ୍ରା କଳାକାର ଓ କଳାପ୍ରେମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

କଟକ ଓଏମ୍‌ପି ଛକରେ ଶ୍ରଦ୍ଧାଞ୍ଜଳି

ସ୍ୱର୍ଗତଃ ଓଝାଙ୍କ ମରଶରୀର କଟକର ଓଏମ୍‌ପି ଛକରେ ପହଞ୍ଚିବା ପରେ ଅପରାହ୍ନ ୩.୧୦ରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏଥିରେ ଯାତ୍ରା ଜଗତର କଳାକାର,ସ୍ଥାନୀୟଲୋକ ଓ ଅସିମ କେନ୍ଦ୍ରପଡ଼ା ସଙ୍ଗଠନର ଶତାଧିିକ ସଦସ୍ୟ ଉପସ୍ଥିତ ଥିଲେ। ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା, ସଚ୍ଚିକାନ୍ତ ନାଥ, ଡକ୍ଟର ଚିତ୍ତରଞ୍ଜନ ଆଦି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି କେନ୍ଦ୍ରାପଡ଼ାର ଗୋପରେ ଥିବା ଭଡ଼ା ଘରେ ମଧ୍ୟ ଯାତ୍ରାଜଗତର କଳାକାର ଓ ସ୍ଥାନୀୟଲୋକେ ଅନନ୍ତ ଓଝାଙ୍କ ମର ଶରୀରକୁ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପରେ ମର ଶରୀରକୁ ଜନ୍ମସ୍ଥଳୀ ନୀଳକାଣ୍ଠପୁରକୁ ନିଆଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସ୍ୱର୍ଗତଃ ଅନନ୍ତ ଓଝାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ। ମର ଶରୀରକୁ କେନ୍ଦ୍ରାପଡା ବଜାରରୁ ଏକ ଶୋଭାଯାତ୍ରା ପୈତୃକ ଗାଁ କେନ୍ଦ୍ରାପଡା ଜିଲ୍ଲା ନୀଳକଣ୍ଠପୁର ଯାଏଁ ଯିବ । ସେଠାରେ ତାଙ୍କର ଶେଷକୃତ୍ୟ ହେବ । ୫୯ ବର୍ଷ ବୟସରେ ବେଙ୍ଗାଲୁରୁରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଓଡିଶା ନାଟ୍ୟ ଜଗତକୁ ଅନେକ ସୁପରହିଟ୍‌ ନାଟକ ଭେଟି ଦେଇଛନ୍ତି ଅନନ୍ତ ଓଝା । ‘ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’, ‘ଭଲ ମଣିଷ ଖୋଜା ଚାଲିଛି’, ‘ମୋ ପେଁକାଳି ବଜେଇ ଦେ’, ‘ଛତା ଚିହ୍ନରେ ଭୋଟ୍‌ ଦିଅ’, ‘ହରେକୃଷ୍ଣ ହରେରାମ’, ‘ଅସତ୍ୟ ସହର’, ‘ଆକାଶବାଣୀ କଟକ’, ‘ବଜାରୀ ବୁଢା’, ‘ଜୀଅନ୍ତା ଶବ’, ‘ମୁଇଁ ସମ୍ବଲପୁରୀ ନନୀ’, ‘ବିଦେଶିନୀ’ ଓ ‘କଳିଯୁଗ ତୋତେ ନମସ୍କାର’ ଇତ୍ୟାଦି ନାଟକ ଅନନ୍ତଙ୍କ କାଳଜୟୀ କୃତି ମଧ୍ୟରୁ ଅନ୍ୟତମ ।

ଓଡ଼ିଆ ଯାତ୍ରା ଜଗତର ବାଦଶାହା କୁହାଯାଉଥିବା ଗତ ୩ ଦଶନ୍ଧି ଧରି ନାଟକ ପାଇଁ ଲେଖନୀ ଚଳାଇ ଆସିଥିବା ଅନନ୍ତ ଓଝାଙ୍କର ଆହୁରି ଅନେକ ନାଟକ ପାଣ୍ଡୁଲିପି ଏବେ ମଧ୍ୟ ଅପ୍ରକାଶିତ ଅବସ୍ଥାରେ ରହିଛି । ନାଟ୍ୟ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ୭୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ସେ । ନାଟ୍ୟ ରଚନା ସହ ଅନେକ ନାଟକରେ ନିଜ ନିର୍ଦ୍ଦେଶନାର ଛାପ ମଧ୍ୟ ଛାଡି ଦେଇ ଯାଇଛନ୍ତି ଅନନ୍ତ ଓଝା। ଅପ୍ରତିଦ୍ୱନ୍ଦ୍ୱୀ ନାଟ୍ୟକାର ଅନନ୍ତଙ୍କ ଅବର୍ତମାନରେ ତାଙ୍କୁ ଝୁରୁଛି ଜଲିଉଡ୍‌ । ଖାଲି ଯାତ୍ରା କଳାକାର କିମ୍ବା ଯାତ୍ରା ସହ ସଂପୃକ୍ତ ବ୍ୟକ୍ତି ବିଶେଷ ନୁହଁନ୍ତି, ଅନନ୍ତ ଓଝାଙ୍କୁ ଜାଣିଥିବା ଓଡିଶାର ଅଗଣିତ କଳାପ୍ରେମୀ ଦର୍ଶକ ବି ଏହି କାଳଜୟୀ ଲେଖକଙ୍କୁ ଝୁରୁଛନ୍ତି।

ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ଅନନ୍ତଙ୍କର ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ନୀଳକଣ୍ଠପୁର ଗ୍ରାମର ଅନନ୍ତ ଥିଲେ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ । ଦୀର୍ଘ ଦଶନ୍ଧି ଧରି ସେ ନିଜର କଲମ ଚାଳନା କରି ଯାତ୍ରା ଜଗତକୁ ଦେଇଥିଲେ ଏକ ନୂଆ ଦିଗନ୍ତ ଓ ପରିଚୟ । ଯାହାଙ୍କର ସୃଜନଶୀଳତାରେ ଝଲସୁଥିଲା ଯାତ୍ରା ମଞ୍ଚରେ। ସେ ତିଆରି କରିଥିଲେ ଅନେକ କଳାକାର । ଅନେକ ସଫଳ ନାଟକ ଓ ଫିଲ୍ମର ସଂଳାପ ଲେଖିଥିଲେ ସେ । ୨୦୧୩ରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ଏସିପି ସାଗରିକାର ସଂଳାପ ଲେଖିଥିଲେ ଶ୍ରୀଯୁକ୍ତ ଓଝା ।

ସମ୍ବନ୍ଧିତ ଖବର