ସୁନ୍ଦରଗଡ଼: କେବେ ଭୋକରେ କଲବଲ ହେଉଥିବା ପତ୍ନୀ, ପିଲାଙ୍କ ପାଇଁ ଦାଦନ ଖଟିବାକୁ ଯାଉଥିଲେ ଛତିଶଗଡ଼, ସୁରଟ। ସେତିକି ରୋଜଗାର ନିଅଣ୍ଟ ହେଉଥିବାରୁ ପତ୍ନୀଙ୍କୁ ମଧ୍ୟ ପରଘରେ ଖଟିବାକୁ ପଡ଼ୁଥିଲା। ଏବେ ସେ ନିଜେ ପାଲଟିଛନ୍ତି ଜଣେ ନିଯୁକ୍ତିଦାତା। ନିଜେ ଆତ୍ମନିର୍ଭର ହୋଇ ପରିବାରର ପେଟପୋଷିବା ସହ କିଛି ଗାଁ ଯୁବକଙ୍କୁ ଯୋଗାଇ ଦେଉଛନ୍ତି ରୋଜଗାର। ନିଜ ଉପରେ ଥିବା ପ୍ରବାସୀଶ୍ରମିକ ମୋହରକୁ ହଟାଇ ସଫଳଚାଷୀର ପରିଚୟ ସୃଷ୍ଟି କରିଛନ୍ତି ଅନନ୍ତ। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ ତୁରୁଙ୍ଗାଗଡ଼ ଗାଁର ଅନନ୍ତ ମାଝୀଙ୍କ ଏ ଅନନ୍ୟ ଯାତ୍ରା ଏବେ ଚର୍ଚ୍ଚାରେ।

Advertisment

ତୁରୁଙ୍ଗାଗଡ଼ ଗାଁ’ରେ ସ୍ତ୍ରୀ’ ଓ ତିନିଝିଅଙ୍କୁ ନେଇ ଅନନ୍ତଙ୍କ ପରିବାର। ଦିନ ଥିଲା, ୫ ପ୍ରାଣୀଙ୍କ ପେଟକୁ ଦାନା ଦେବାକୁ ସକ୍ଷମ ହେଉ ନଥିଲେ ସେ। ଦିନେଦିନେ ଓଳିଏ ଖାଇ ଆରଓଳିକ ଉପାସର ଯନ୍ତ୍ରଣା ଭୋଗୁଥିଲେ। ପିଲାଙ୍କ ନିରୀହମୁହଁର ବିକଳତାରେ ବିଚଳିତ ହୋଇପଡ଼ୁଥିଲେ ଅନନ୍ତ। ସେଥିପାଇଁ ବହୁ ସମୟରେ ବାହାରରାଜ୍ୟ ଛତିଶଗଡ଼, ଗୁଜୁରାଟକୁ ଦାଦନ ଖଟିବାକୁ ଚାଲିଯାଉଥିଲେ। ହେଲେ ସେତିକି ଟଙ୍କାରେ ପରିବାର ଚଳାଇବା କଷ୍ଟକର ହେଉଥିଲା। ଅନ୍ୟ ଉପାୟ ନପାଇ ଅନନ୍ତଙ୍କ ସ୍ତ୍ରୀ’ ତୁଳସୀ ପରଘରେ ପାଇଟି କରୁଥିଲେ। ଦାଦନରୁ ଆସୁଥିବା ରୋଜଗାର ଓ ତୁଳସୀଙ୍କ ମଜୁରିରେ ଭୋକ ସିନା ମେଣ୍ଟୁଥିଲା, କିନ୍ତୁ ଘରର ଅନ୍ୟ ଆବଶ୍ୟକତା ପାଇଁ ଦରାଣ୍ଡି ହେଉଥିଲେ ଏହି ଦମ୍ପତି। ଅନେକ ସମୟରେ ସେଥିପାଇଁ ପରପାଖରେ ହାତ ପାତିବାକୁ ପଡ଼ୁଥିଲା। ଦାଦନ, ଭୋକ, ନିଅଣ୍ଟରେ ଘାଣ୍ଟି ହେଉଥିଲା ଅନନ୍ତଙ୍କ ପରିବାର। ସେଥିରୁ ମୁକୁଳିବାକୁ ଚିନ୍ତାକଲେ ସେ।

ଗାଁ’ରେ ଥିବା ନିଜର ୧.୬୬ ଏକର ଜମିରେ ଚାଷ ଆରମ୍ଭ କଲେ। ପ୍ରଥମେ ଶାଗ ଓ ପନିପରିବା ଉତ୍ପାଦନ କଲେ। ଆରମ୍ଭରୁ ରାସାୟନିକ ଓ କୀଟନାଶକ ଔଷଧକୁ ହଟାଇ ଜୈବିକ ଉପାୟରେ ଚାଷ କରୁଥିବାରୁ ବଜାରରେ ମଧ୍ୟ ତାଙ୍କ ପରିବା ଓ ଶାଗର ଚାହିଦା ବଢ଼ିଲା। ଭଲ ବିକ୍ରିବଟା ହେବାରୁ ଚାଷ ପ୍ରତି ଆଗ୍ରହ ବଢ଼ିଥିଲା। ଏହାପରେ ସେ ଚାଷରେ ସଂପୂର୍ଣ୍ଣ ମନୋନିବେଶ କଲେ। ଗାଁ’ର ଆହୁରି ୬ ଏକର ଜମି ଭାଗରେ ଆଣି ତିଆରିକଲେ ବଗିଚା। ୩୫୦ ଆମ୍ବ ଓ କଦଳୀଗଛ ଲଗାଇଲେ। ପ୍ରଚୁର କଦଳୀ, ଆମ୍ବ ଫଳିଲା। ସ୍ବାଦ ଓ ତାଜାପଣ ଯୋଗୁ ବଜାରରେ ଅନନ୍ତଙ୍କ ବଗିଚାର ଆମ୍ବ, କଦଳୀର ଚାହିଦା ବହୁତ। ବଗିଚାରେ ଟମାଟୋ, ବାଇଗଣ, ଗାଜର, ବିଟ୍‌, ଝୁଡ଼ଙ୍ଗ ପରି ଭଳିକିଭଳି ପରିବା ଫଳାଉଥିବା ଅନନ୍ତ କିଛିମାସ ପରେ ସେଥିରେ ମାଛଚାଷକୁ ଯୋଡ଼ି ଦେଇଛନ୍ତି। ବର୍ତ୍ତମାନ ସେ ଚାଷରୁ ବାର୍ଷିକ ୮ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ଏବେ ତାଙ୍କ କୃଷିକ୍ଷେତ୍ରରେ ୫ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସଂଘର୍ଷରୁ କିପରି ସଫଳତା ମିଳେ, ଅନନ୍ତ ମାଝୀ ତା’ର ପ୍ରକୃଷ୍ଟ ଉଦାହରଣ ପାଲଟିଛନ୍ତି।