ଅନ୍ତର୍ନିହିତ ଶକ୍ତିକୁ ଉପଯୋଗ କର: ରବିନା ଟଣ୍ଡନ୍‌

ଅନନ୍ୟା

ଭୁବନେଶ୍ୱର : ମହିଳାମାନେ ନିଜେ ନିଜକୁ ଚିହ୍ନନ୍ତୁ। ତାଙ୍କ ମଧ୍ୟରେ ଅନ୍ତର୍ନିିହିତ ଶକ୍ତି ଭିନ୍ନ ଭିନ୍ନ ରୂପରେ ରହିଛି। ସେମାନେ କେଉଁ ଶକ୍ତିକୁ ନିଜ ଜୀବନରେ କିଭଳି ଉପଯୋଗ କରିବେ, ତାହା ବାଛିବା ହିଁ ଗୁରୁତ୍ୱପୂର୍ଣ୍ଣ। ‘କନକ ନ୍ୟୁଜ୍‌’ ପକ୍ଷରୁ ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ନାରୀ ସମ୍ମିଳନୀ ‘ଅନନ୍ୟା’କୁ ସମ୍ବୋଧିତ କରି ଏଭଳି ମତ ରଖିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ୍‌।

ଏହି ଅବସରରେ ମହିଳାଙ୍କ କ୍ଷେତ୍ରରେ ଦେଖା ଦେଇଥିବା ଅସମାନତା ଏବଂ ନିଜ ବ୍ୟକ୍ତିଗତ ଜୀବନର ବହୁ ଘଟଣା ପ୍ରବାହକୁ ଉପସ୍ଥିତ ମହିଳା ଓ ଅନ୍ୟ ଦର୍ଶକଙ୍କ ସହିତ ବାଣ୍ଟିଥିଲେ। ରବିନା କହିଥିଲେ, ନାରୀବାଦର ଅର୍ଥ ହେଉଛି ସମାନ ସୁଯୋଗ। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ମହିଳାଙ୍କୁ ବି ସମାନ ସୁଯୋଗ ମିଳିବା ଉଚିତ। କିନ୍ତୁ ଆମ ଦେଶରେ ମାତ୍ର  ୨୩ ପ୍ରତିଶତ ମହିଳା କର୍ମ କ୍ଷେତ୍ରରେ ପୁରୁଷମାନଙ୍କ ତୁଳନାରେ କମ୍‌ ଦରମାରେ କାମ କରନ୍ତି। ତେଣୁ ଏ ଅସଂଗତିକୁ ଦୂର କରିବା ଉଚିତ ବୋଲି ସେ କହିଥିଲେ। ସେହିପରି ମହିଳାମାନେ ନିଜ ଜୀବନକୁ ଗମ୍ଭୀର ଭାବେ ନନେଇ ସବୁବେଳେ ଆହ୍ଵାନକୁ ସ୍ୱାଗତ କରିବା ଉଚିତ୍‌ ବୋଲି ସେ କହିଥିଲେ।

ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଉଦାହରଣ ଦେଇ କହିଥିଲେ, ୨୩ ବର୍ଷ ବୟସରେ ମୋ ଜୀବନରେ ଏକ ଭିନ୍ନ ମୋଡ଼ ଆସିଥିଲା। ଏକ ବ୍ୟକ୍ତିଗତ ଘଟଣାକୁ ନେଇ ମୁଁ ସେଦିନ ନିଜକୁ ନିଜେ ପ୍ରଶ୍ନ କରିଥିଲି, ଏ ଦୁନିଆଟା ମୋ ପାଇଁ ଏତେ ନିଷ୍ଠୁର କାହିଁକି ହେଇଗଲା? ତେବେ ରାସ୍ତାକଡ଼ରେ ଘର କରି ରହିଥିବା ବସ୍ତିବାସିନ୍ଦାଙ୍କ ଉପରେ ମୋ’ର ହଠାତ୍‌ ନଜର ପଡ଼ିିଲା। ବର୍ଷା ହେଉଥିବାରୁ ରାସ୍ତାରେ ଏତେ ଭିଡ଼ ନଥାଏ।  ଗାଡ଼ି ଧୀରେଧୀରେ ନେବା ଭିତରେ ଦେଖିଲି, ଏକ ଘରେ ନିଶାସକ୍ତ ଯୁବକଟିଏ ତା’ର ସ୍ତ୍ରୀର ଚୁଟି ଟାଣି ନିର୍ମମ ଭାବେ ପିଟୁଛି। ପିଲାଟିଏ ଓଦା ହେଇ ଭୋ ଭୋ କାନ୍ଦୁଛି। ଆଉ ଗୋଟିଏ ଘର ସାମ୍ନାରେ ଜଣେ ମା’ ନିଜ ଘରର ଚୁଲିକୁ ସୁରକ୍ଷା ଦେବା ପାଇଁ ଓଦା ହେଇ ପାଲ ଟାଣୁଛି। ଏସବୁ ଦେଖିବା ପରେ ମୁଁ ଭାବିଲି ମୁଁ ତ ଏହାଠୁ ଖୁବ୍‌ ଭଲରେ ଅଛି। ସେଇଠୁ ମୁଁ ନିଜକୁ ପୁଣି ନୂଆ ରୂପରେ ଆବିଷ୍କାର କରିବାକୁ ଚେଷ୍ଟା କରିବାର ଶିକ୍ଷା ପାଇଲି। ସେ ଏକଥା ବି କହିଲେ, ମୁଁ ମୋ ଜୀବନକୁ କେବେ ଗମ୍ଭୀର ଭାବେ ନେଇନି। ବରଂ ପ୍ରତ୍ୟେକ ଦିନକୁ ଉପଭୋଗ କରିବାକୁ ଚେଷ୍ଟା କରିଛି। ଏଥି ସହିତ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ସମ୍ପର୍କରେ ସେ ମତ ରଖିଥିଲେ। ସଂପ୍ରତି ପଞ୍ଜାବ ଓ ହରିୟାଣାରେ ଝିଅମାନଙ୍କର ହାର ବଢ଼ିଚାଲିଛି। ବାପା ମା’ମାନେ ମଧ୍ୟ ଝିଅଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର ଦୁଷ୍କର୍ମର ମାତ୍ରା ବି ବଢ଼ି ଚାଲିଛି। ତେଣୁ ପିଲାମାନଙ୍କୁ ଦୟା ଓ ସହାନୁଭୂତି ଶିକ୍ଷା ଦେବାର ଗୁରୁତ୍ୱ ସମ୍ପର୍କରେ ସେ କହିଥିଲେ।

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ରବିନା କହିଥିଲେ, ମୋ ବାପା ବଲିଉଡ୍‌ର ଜଣେ ନିର୍ଦେଶକ ଓ ପ୍ରଯୋଜକ ହୋଇଥିଲେ ସୁଦ୍ଧା ମୋ ବାପା ମତେ ଏ କ୍ଷେତ୍ରକୁ ଆଣନ୍ତୁ ମୁଁ ଚାହିଁ ନ ଥିଲି। ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା କରିଥିଲି। ସେହିପରି ଆଜିକାଲିର ସାଇଜ୍‌ ଜିରୋ ନିଶାରେ ପଡ଼ିଥିବା ଯୁବତୀମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ନିଜ ଶରୀର ଉପରେ ଅତ୍ୟାଚାର କରିବା ଉଚିତ୍‌ ନୁହେଁ। ଭଲ ଖାଇବା ସହ ଖୁସିରେ ରହିବା ଏବଂ ନିଜ ଜୀବନ ଶୈଳୀକୁ ନିଜ ଢଙ୍ଗରେ ଜୀଇଁବାକୁ ସେ ପରାମର୍ଶ ଦେଇଥିଲେ। ହଲିଉଡ୍‌ରେ ତାଙ୍କର ପ୍ରବେଶ ସମ୍ପର୍କରେ ଉତ୍ତର ରଖି ସେ କହିଲେ, ମୁଁ ହଲିଉଡ୍‌ରୁ ଅଫର ପାଇଥିଲି। କିନ୍ତୁ ମିଳିଥିବା ସୁଯୋଗରେ ନିଜକୁ ସେଇଭଳି ଚରିତ୍ରରେ ଖୋଲାଖୋଲି ପ୍ରକଟ କରିପାରିବିନି ବୋଲି ହୃଦବୋଧ ହେବାରୁ ମୁଁ ଅଗ୍ରାହ୍ୟ କରିଥିଲି। ତେବେ ବଙ୍ଗାଳୀ, ଗୁଜୁରାଟି,ତେଲୁଗୁ, କନ୍ନଡ, ମରାଠି, ମାଲାୟଲମ, ଭୋଜପୁରୀ ଭାଷାରେ ଚଳଚ୍ଚିତ୍ର କରିଥିବାରୁ ଓଡ଼ିଆ ଚଳଚ୍ଚିତ୍ରରେ ବି ଅଭିନୟ କରିବା ପାଇଁ ଚାହିଁବି ବୋଲି ସେ କହିଥିଲେ। ଆଲୋଚନା ପରେ ‘କନକ ନ୍ୟୁଜ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଏବଂ ଅରୁନ୍ଧତୀ ଜୁଏଲର୍ସର ଅରୁନ୍ଧତୀ ମେହେର ରବିନା ଟଣ୍ଡନଙ୍କୁ ସମ୍ବର୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫ୍ଲୋରା।

ନାରୀର ସଫଳତାରେ ପରିବାରର ସମର୍ଥନ ନିତାନ୍ତ କାମ୍ୟ

ଭୁବନେଶ୍ୱର : ନାରୀ ନିଜେ ଖୁସି ରହିଲେ ହିଁ ଅନ୍ୟକୁ ଖୁସି ବାଣ୍ଟେ। ଜୀବନରେ ଯେତେବେଳେ ଯେଉଁ ସମସ୍ୟା ଆସେ, ନାରୀ ହିଁ ତାକୁ ସାମ୍ନା କରିବାର ସାମର୍ଥ୍ୟ ରଖେ। ସେ ପୁରୁଷର ପ୍ରତିଦ୍ୱନ୍ଦ୍ୱୀ ନୁହେଁ, ବରଂ ସହଯାତ୍ରୀ। ତେଣୁ ନାରୀଟିଏ ସଫଳ ହେବା ପାଇଁ ପରିବାରର ସମର୍ଥନ ନିତାନ୍ତ କାମ୍ୟ। ‘କନକ ନ୍ୟୁଜ୍‌’ ପକ୍ଷରୁ ହୋଟେଲ୍‌ କ୍ରାଉନ୍‌ରେ ଆୟୋଜିତ ‘ଅନନ୍ୟା’ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଆୟୋଜିତ ଆଲୋଚନାରେ ଏଭଳି ମତ ରଖିଛନ୍ତି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବିଶିଷ୍ଟ ମହିଳା ଅତିଥିବୃନ୍ଦ।

‘ଜଣେ କର୍ମଜୀବୀ ମହିଳା କର୍ମକ୍ଷେତ୍ରରେ ସଫଳ ହୋଇପାରିବ କି ?’ ଶୀର୍ଷକ ବିଷୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ବିଶିଷ୍ଟ ସିନେ ଅଭିନେତ୍ରୀ ମହାଶ୍ୱେତା ରାୟ ଏ ସମ୍ପର୍କରେ ମତ ରଖି କହିଲେ, ମୋ ଭିତରର ନାରୀ ହିଁ ମତେ ଆଜି ଏତେ ପ୍ରତିଷ୍ଠା ଦେଇପାରିଛି। ତେଣୁ ପ୍ରତ୍ୟେକ ନାରୀ ନିଜସ୍ୱ ଶକ୍ତିକୁ ଉଜାଗର କରୁ। ସେ କହିଲେ, ମୁଁ ଦୁର୍ଘଟଣାବଶତଃ ଅଭିନୟ କ୍ଷେତ୍ରକୁ ଚାଲି ଆସିଥିଲି। ଏକ ଦଳଗତ ନୃତ୍ୟ ବେଳେ ପ୍ରଶାନ୍ତ ନନ୍ଦ ମତେ ‘ଶେଷ ଶ୍ରାବଣ’ ଚଳଚ୍ଚିତ୍ରର ସୁଯୋଗ ଦେଇଥିଲେ। ୧୯୭୬ ମସିହାରେ ବି ମୋ ବାପା ବିନା ଦ୍ୱିଧାରେ ମତେ ଏ କ୍ଷେତ୍ରକୁ ଛାଡ଼ି ଦେଇଥିଲେ। ତେଣୁ ପରିବାରର ସମର୍ଥନ ମିଳିଲେ ସଫଳତା ନିଶ୍ଚେ ମିଳେ ବୋଲି ସେ କହିଥିଲେ।

ଲେଖିକା ଅଧ୍ୟାପିକା ସୁସ୍ମିତା ବାଗ୍‌ଚି କହିଲେ, ୧୯୮୩ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ବେଳେ ମୋ’ ଝିଅ ବର୍ଷକର ହୋଇଥାଏ। ତେଣୁ ତା’କୁ ଛାଡ଼ି ଦେଇ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଯିବା ନିଶ୍ଚିତ ଏକ ଆହ୍ଵାନ ଥିଲା। ତେବେ ମହିଳାମାନେ ନିଜକୁ ଗୁରୁତ୍ୱ ଦେବା ଉଚିତ। ଲିଙ୍ଗଗତ ସମାନତା ବଢ଼ିଛି ସତ। କିନ୍ତୁ ଏହାର ମାତ୍ରା ଆହୁରି ବଢ଼ିବା ଆବଶ୍ୟକ ବୋଲି ସେ କହିଥିଲେ।

ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ କହିଥିଲେ, ମହିଳାମାନେ ଯେବେ କର୍ମକ୍ଷେତ୍ରରେ ନିୟୋଜିତ ଥାଆନ୍ତି, ସେତେବେଳେ ସେମାନଙ୍କୁ ଉଭୟ ପରିବାର ଓ କର୍ମକ୍ଷେତ୍ର ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼େ। ଅନେକ ସମୟରେ ନାରୀଟିଏ ବାହା ହେବା ପରେ ଚାକିରି ଛାଡ଼ିଦେବାର ଉଦାହରଣ ରହିଛି। ତେଣୁ ଏଭଳି କ୍ଷେତ୍ରରେ ପରିବାରର ସମର୍ଥନ ନିଶ୍ଚିତ ଲୋଡ଼ା ବୋଲି ସେ କହିଥିଲେ।

ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର କହିଥିଲେ, ନାରୀ ଉପରେ ପରିବାରର ଦାୟିତ୍ୱ ଥିବାରୁ ସହଯୋଗ ଓ ସମର୍ଥନ ବିନା ନାରୀଟିଏ ସଫଳ ହୋଇପାରେ ନାହିଁ। ଅନେକ ସମୟରେ ମହିଳାକୁ ଉଭୟ ପରିବାର ଓ କର୍ମକ୍ଷେତ୍ରରେ ସମୟ ବାଣ୍ଟିବା ବେଳେ ଅନେକ କିଛି ଶୁଣିବାକୁ ପଡ଼େ। ତଥାପି ନାରୀ ଏହାକୁ କାନ ନ ଦେଇ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହେବା ଉଚିତ ବୋଲି ସେ କହିଥିଲେ। ଅଭିନ୍ନ ଆଶୁତୋଷ ଶତପଥୀ ପ୍ରଶ୍ନୋତ୍ତରୀ ମାଧ୍ୟମରେ ଆଲୋଚନାଚକ୍ରକୁ ସଂଚାଳନ କରିଥିଲେ।

୫ ଅନନ୍ୟାଙ୍କୁ ସମ୍ବର୍ଧନା

‘କନକ ନ୍ୟୁଜ୍‌’ ପକ୍ଷରୁ ଓଡ଼ିଶାର ୫ ଅନନ୍ୟାଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟା ହୋଇଥିବା ନବରଙ୍ଗପୁରର ମନିଷା ତ୍ରିପାଠୀ, ବକ୍ତତା ଦେବାରେ ମାହିର୍‌ ୭ ବର୍ଷୀୟା ପ୍ରତ୍ୟାଶା ପତି, କୁମ୍ଭୀର ମୁହଁରୁ ନିଜ ଭଉଣୀକୁ ରକ୍ଷା କରିଥିବା କେନ୍ଦ୍ରାପଡ଼ାର ୬ ବର୍ଷୀୟା ସାହସୀ କୁନି ଝିଅ ମମତା ଦଳେଇ, ଲିଟିଲ୍‌ ମିସ୍‌ ଗାଲାକ୍ସି ମୁକୁଟ ପିନ୍ଧିଥିବା ସପ୍ତମ ଶ୍ରେଣୀର ଛାତ୍ରୀ ଅର୍ପିତା ବେହେରା ଏବଂ ୮ ବର୍ଷରୁ କମ୍‌ ବୟସ୍କ ଲିଟିଲ୍‌ ମିସ୍‌ ଗାଲାକ୍ସି ପ୍ରତିଯୋଗିତାରେ ମୁକୁଟ ପିନ୍ଧିଥିବା ମୃଗାକ୍ଷୀଙ୍କୁ ‘ଅନନ୍ୟା ସମ୍ମାନ’ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର