ସାହିତ୍ୟ ଅକାଦେମି ପୁରସ୍କୃତ ଆନପା ମାର୍ଣ୍ଡି ଗୁରୁତର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ଅଧ୍ୟାପକ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାରପ୍ରାପ୍ତ କବି ଆନପା ମାର୍ଣ୍ଡି ମସ୍ତିଷ୍କ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ କିମ୍‌ସ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଚଉଦ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କର ଚେତା ଆସିପାରିନାହିଁ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ ଭିତରେ ରଖାଯାଇଛି। ତାଙ୍କ ଚିକିତ୍ସାରେ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଏବେ ଦିନକୁ ପ୍ରାୟ କୋଡ଼ିଏ ହଜାର ଟଙ୍କା ଆବଶ୍ୟକ ହେଉଛି। ‘କିମ୍‌ସ’ର ବିଶିଷ୍ଟ ବିଶେଷଜ୍ଞ ଡାକ୍ତର ସନ୍ତୋଷ ଦାସ ତାଙ୍କ ଚିକିତ୍ସାର ତଦାରଖ କରୁଛନ୍ତି। ମାର୍ଣ୍ଡିଙ୍କ ଚିକିତ୍ସା ଉପରେ ସତର୍କ ଦୃଷ୍ଟି ରଖିଥିବା ‘କିମ୍‌ସ’ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ‘ସମ୍ବାଦ’କୁ କହିଛନ୍ତି। ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟର ଲେଖକ ଲେଖିକାମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ମସିହାରେ ସାନ୍ତାଳୀ କବିତା ପୁସ୍ତକ ‘ନାମାଲ୍‌’ ପାଇଁ ସେ କେନ୍ଦ୍ର ସାହିତ୍ୟ ଅକାଦେମି ତରଫରୁ ଯୁବ ପୁରସ୍କାର ପାଇଥିଲେ। ଉଭୟ ସାନ୍ତାଳୀ ଏବଂ ଓଡ଼ିଆ ଭାଷାରେ ଗଳ୍ପ ଓ କବିତା ଲେଖୁଥିବା ମାର୍ଣ୍ଡି ଜଣେ ପ୍ରିୟ ଅଧ୍ୟାପକ ଭାବରେ ମଧ୍ୟ ସୁପରିଚିତ।

ସମ୍ବନ୍ଧିତ ଖବର