ଏଥର ଅଣସର ନୀତି ୧୫ ଦିନ; ୫ ଶହ ବର୍ଷରେ ପ୍ରଥମ, ପୂର୍ବରୁ ୧୪ ଦିନ ପାଳନ ହେଉଥିଲା

ପୁରୀ : ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ ପାଳିତ ହୋଇଛି। ମହାପ୍ରଭୁ ସ୍ନାନଯାତ୍ରା ପୂର୍ବଦିନ ରାତିରୁ ପହଣ୍ଡି ହେବା ସହ ସ୍ନାନଯାତ୍ରା ଦିନ ସଂଧ୍ୟାରେ ବାହୁଡ଼ା ପହଣ୍ଡି ହୋଇ ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହା ରେକର୍ଡ ସୃଷ୍ଟି କରିଛି। ପୂର୍ବରୁ ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ହୋଇ ଅଣସର ପିଣ୍ଡିକୁ ମହାପ୍ରଭୁ ବିଳମ୍ବିତ ରାତିରେ ବିଜେ କରନ୍ତି। ଏହି ଦୃଷ୍ଟିରୁ ପ୍ରତିବର୍ଷ ଅଣସର ନୀତି ୧୪ ଦିନ ପାଳିତ ହୁଏ। କିନ୍ତୁ ଚଳିତବର୍ଷ ପ୍ରଥମ ଥର ପାଇଁ ଅଣସର ନୀତି ୧୫ ଦିନ ପାଳନ ହେବାକୁ ଯାଉଛି। ଏ ସଂପର୍କରେ ଦଇତାପତି ନି‌ଯୋଗ ସଭାପତି ରବୀନ୍ଦ୍ର କୁମାର ଦାସମହାପାତ୍ର କହିଛନ୍ତି, ୫୦୦ ବର୍ଷର ଇତିହାସରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିନି।

ପ୍ରତିବର୍ଷ ସମୟ ଅଭାବରୁ ୧୪ ଦିନ ଅଣସର ନୀତି ପାଳନ ହୁଏ। କାରଣ ଠାକୁର ଗଲା ବେଳକୁ ରାତି ବିଳମ୍ବିତ ହୋଇଯାଏ। ପ୍ରଥମ ଥର ପାଇଁ ଠାକୁର ଅଣସର ଘରକୁ ସଅଳ ବିଜେ କରିବା ସହ ୧୫ ଦିନ ଅଣସର ନୀତି ପାଳନ ହେବାକୁ ଯାଉଛି। ଗତକାଲି ସ୍ନାନବେଦୀରୁ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ସରିବା ପରେ ରତ୍ନ ଚିତା ଏବଂ ରାହୁରେଖା ମଇଲମ ହୋଇ ତାଟି ବନ୍ଧା ଯାଇଥିଲା। ପରେ ପଟି ଦିଅଁ ବିଜେ ‌କରିଥିଲେ। ମହାସ୍ନାନ ହୋଇ ମଧ୍ୟାହ୍ନଧୂପ ନୀତି ବଢ଼ିଥିଲା। ଏହା ପରେ ଦକ୍ଷିଣ ଘର ଭୋଗ ହୋଇ ‌ବେହେରଣ ଦ୍ବାର ଖୋଲା ଯାଇଥିଲା। ଦଇତାପତିମାନେ ତାଟିରେ ପ୍ରବେଶ କରି ଶ୍ରୀଜିଉଙ୍କ ଅନବସର ନୀତି ଅନୁସାରେ ମହାପ୍ରଭୁଙ୍କୁ ଚକଟା ଭୋଗ ଓ ପଣା ଭୋଗ ଲାଗି କରିଛନ୍ତି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର