ଅଣସର ଦର୍ଶନ ଆଜିଠାରୁ : ଅଲାରନାଥ ପୀଠ ଚଳଚଞ୍ଚଳ

ବ୍ରହ୍ମଗିରି : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ନୀଳକନ୍ଦର ନିବାସୀ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଅଣସର ପିଣ୍ଡିକୁ ବିଜେ ସମୟରେ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଥାଏ। ଆସନ୍ତାକାଲିଠାରୁ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଦର୍ଶନରେ ଅଲାରନାଥଙ୍କ ଦର୍ଶନରେ ସମଫଳ ମିଳିଥାଏ ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି। ଆସନ୍ତାକାଲିଠାରୁ ଅଣସର ଦର୍ଶନ ୧୫ ଦିନ ପାଇଁ ଚାଲିବ। ଅଣସର ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ସେବାୟତ ନିଯୋଗ ସ୍ୱତନ୍ତ୍ର ଭାବରେ ନୀତିକାନ୍ତି ସ୍ଥିର କରଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଫିଟାଯିବା ପରେ ୪ଟା୩୦ରେ ମଙ୍ଗଳ ଆଳତି ହେବ। ସକାଳ ୬ଟାରେ ବେଶ ଓ ଚନ୍ଦନ ତୁଳସୀ ଲାଗି ହେବ। ସକାଳ ୬ଟାରେ ଗୋପାଳ ବଲ୍ଲଭ ପରେ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ମଧ୍ୟ୍ୟାହ୍ନ ୧୨ଟାରେ ସକାଳ ଧୂପ ହେବାକୁ ଥିବା ବେଳେ ଅପରାହ୍ନ ଗୋଟାଏରେ ଦ୍ୱିପ୍ରହର ଧୂପ ହୋଇ ଗୋଟାଏ ୩୦ରେ ପହଡ଼ ହେବ। ପରେ ଅପରାହ୍ନ ୨ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ସଂଧ୍ୟା ୭ଟାରେ ସଂଧ୍ୟା ଆଳତି, ୭ଟା ୩୦ରେ ମଇଲମ, ରାତି ୮ଟାରେ ସର୍ବସାଧାରଣ ଦର୍ଶନ, ରାତି ୧୧ଟାରେ ସଂଧ୍ୟା ଧୂପ ଏବଂ ୧୧ଟା ୩୦ରେ ବଡ଼ସିଂହାର ହୋଇ ପହଡ଼ ନୀତି ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର