ଭୁବନେଶ୍ୱର: ଡିସେମ୍ବର ୨୧ରୁ ଆରମ୍ଭ ହେବାକୁ ଯାଉଛି ଆଉଟ୍ରିଚ୍ର ୧୦ ଦିନିଆ ଆଙ୍କରିଂ ପ୍ରଶିକ୍ଷଣ ଶିବିର। ଗଣମାଧ୍ୟମ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ଲୋକପ୍ରିୟ ରେଡ଼ିଓ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଏହି ଶିବିରରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଆଙ୍କରିଂ ସମ୍ପର୍କରେ ପ୍ରଶିକ୍ଷଣ ଦେବେ। ଟେଲିଭିଜନ୍ ଓ ରେଡିଓ ଆଙ୍କରିଂରେ କ୍ୟାରିୟର ଗଢ଼ିବାଲାଗି ବହୁ ଯୁବକ ଯୁବତୀଙ୍କ ସ୍ୱପ୍ନ ରହିଛି। ଏହାକୁ ଦୃଷ୍ଟିରେ ରଖି ବର୍ଷକୁ ୨ଥର ଆଙ୍କରିଂ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନ କରିଥାଏ ଆଉଟ୍ରିଚ୍। କୋରୋନା ଯୋଗୁ ଅନ୍ଲାଇନ୍ରେ ହେଉଥିବା ଏହି ଟ୍ରେନିଂ ୩ବର୍ଷ ପରେ ଏଥର ଅଫ୍ଲାଇନ୍ରେ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ୱରର ରସୁଲଗଡ଼ ସ୍ଥିତ ସମ୍ବାଦ ସ୍କୁଲ ଅଫ ମିଡ଼ିଆ ଆଣ୍ଡ କଲଚର (ସୋମାକ୍)କ୍ୟାମ୍ପସରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ରେଡ଼ିଓ ଆଙ୍କରିଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ ଦିଆଯିବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ଷ୍ଟୁଡିଓରେ ପ୍ରାକ୍ଟିକାଲ ଓ ଗ୍ରାଉଣ୍ଡରୁ ରିପୋର୍ଟିଂ କରିବାର ସୁଯୋଗ ମିଳିବ। ଏହା ସହ ବିଭିନ୍ନ ରେଡ଼ିଓ ଓ ଟିଭି ଚ୍ୟାନେଲ ପରିଦର୍ଶନରେ ଯାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଟ୍ରେନିଂ ଶେଷରେ ଆଉଟ୍ରିଚ୍ ପକ୍ଷରୁ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏଥିରେ ସାମିଲ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅତିକମ୍ରେ ଯୁକ୍ତଦୁଇ ହୋଇଥିବା ଆବଶ୍ୟକ। ଏଥିପାଇଁ କୌଣସି ନିଦ୍ଦିଷ୍ଟ ବୟସସୀମା ରଖାଯାଇ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଉଟ୍ରିଚ୍ ଆୟୋଜନ କରିଥିବା ଏଭଳି ୧୧ଟି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି। ଏଥର ଅଂଶଗ୍ରହଣ କରିବାକୁ ଚାହୁଥିବା ଛାତ୍ରଛାତ୍ରୀ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍ର ମୁଖ୍ୟ ସୁବ୍ରତ କୁମାର ପତି।