ଭୁବନେଶ୍ୱର:  ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ଆଉଟରିଚର ଆଙ୍କରିଂ ଟ୍ରେନିଂ । ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା ବହୁ ଲୋକପ୍ରିୟ ରେଡ଼ିଓ ଓ ଟେଲିଭିଜନ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ. ମାଇଁ ଏଫଏମର ଆରଜେ କାର୍ତ୍ତିକ, ଆଜତକ୍ ରେଡ଼ିଓର ସମ୍ପାଦକ କୁଲଦୀପ ମିଶ୍ର, ଆକାଶବାଣୀ ଦିଲ୍ଲୀର ପୂର୍ବତନ ପ୍ରମୁଖ ସମ୍ବାଦ ପାଠକ ଅଖିଳ ମିତ୍ତଲ, ବିବିଧଭାରତୀ ମୁମ୍ବାଇର ପୂର୍ବତନ ବରିଷ୍ଠ ଉଦଘୋଷକ କମଲ ଶର୍ମା, ଟିଭି ନାଇନ ଭାରତବର୍ଷର ସମ୍ବାଦଦାତା ମାନବ ଯାଦବ ଓ ମୁମ୍ବାଇର ଲୋକପ୍ରିୟ ଆରଜେ ଦେବାଙ୍ଗନା ଏହି ଟ୍ରେନିଂରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଆଙ୍କରିଂ ସମ୍ପର୍କରେ ପ୍ରଶିକ୍ଷଣ ଦେବେ । ଆଇଆଇଏମସି ଢେଙ୍କାନାଳର ନିର୍ଦେଶକ ମୃଣାଳ ଚାଟାର୍ଜୀ, ଆକାଶବାଣୀ କଟକର ବାର୍ତ୍ତା ସମ୍ପାଦକ ଇତିଶ୍ରୀ ସିଂ ରାଠୋର, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର, ଲୋକପ୍ରିୟ ସମ୍ବାଦ ପାଠକ ଭବାନୀ ମହାପାତ୍ର ଓ ନାସନାଲ ଏକାଡେମୀ ଅଫ ବ୍ରଡ଼କାଷ୍ଟିଙ୍ଗ ଆଣ୍ଡ ମଲ୍ଟିମେଡିଆର କାର୍ଯ୍ୟକ୍ରମ ନିଷ୍ପାଦକ ଅଶୋକ ପାଣିଗ୍ରାହୀ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.
ଆଙ୍କରିଂରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ବିଶେଷ ଆଗ୍ରହ ରହିଛି । ଟେଲିଭିଜନ୍ ଓ ରେଡିଓରେ ଆଙ୍କରି ପାଇଁ ବହୁ ଯୁବକ ଯୁବତୀଙ୍କ ସ୍ୱପ୍ନ ରହିଛି । ଏହାକୁ ଦୃଷ୍ଟିରେ ରଖି ବର୍ଷକୁ ଦୁଇଥର ଆଙ୍କରିଂ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନ କରିଥାଏ ଆଉଟରିଚ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ୧୫ ଦିନିଆ ଆଙ୍କର ଟ୍ରେନିଂ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଆୟୋଜିତ ହେବ ।

Advertisment

ସବୁଥର ଭଳି ଏହି କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଆର୍‌ଜେଇଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଆଉଟ୍‌ରିଚ୍ ୬ ଥର ଏଭଳି ଟ୍ରେନିଂ ସଫଳତାର ସହ ଆୟୋଜନ କରି ସାରିଛି । ଟ୍ରେନିଂରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ଏଥିରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ।