ପୋଖରୀରୁ ମିଳିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି, ନବମ ଶତାବ୍ଦୀ ପୂର୍ବ ସମୟର ବୋଲି ଗବେଷକଙ୍କ ମତ

ପୋଖରୀରୁ ମିଳିଲା ପ୍ରାଚୀନ ବୁଦ୍ଧ ମୂର୍ତ୍ତି, ନବମ ଶତାବ୍ଦୀ ପୂର୍ବ ସମୟର ବୋଲି ଗବେଷକଙ୍କ ମତ

ପୁରୀ : ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସୀମାରେ ଥିବା ଲେଣ୍ଡୋ ଗ୍ରାମରେ ଏକ ପୋଖରୀ ଖନନ ବେଳେ ବୌଦ୍ଧ ପ୍ରତ୍ନତାତ୍ତ୍ବିକ ଅବଶେଷ ମିଳିଛି। ଏକ ମସ୍ତକବିହୀନ ବୁଦ୍ଧ ମୂର୍ତ୍ତି ସମେତ ବୌଦ୍ଧ ମାନସିକ ସ୍ତୂପ ଏବଂ ପୁରାତନ ମନ୍ଦିରର ଶିଳାଖଣ୍ଡ ଆଦି ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସା‌ରେ, ଗ୍ରାମର ବହୁ ପ୍ରାଚୀନ ଲଡ଼ୁକେଶ ମହାଦେବଙ୍କ ମନ୍ଦିରର କିଛିଦୂରରେ ଥିବା ଭୂଜବଳପଡ଼ାରେ ଏହି ପୁଷ୍କରିଣୀ ରହିଛି। ଏହି ପୋଖରୀ ଖୋଳା ଯାଉଥିବାବେଳେ ପ୍ରତ୍ନତାତ୍ତ୍ବିକ ଅବଶେଷର ସନ୍ଧାନ ମିଳିଥିଲା। ମିଳିଥିବା ମୂର୍ତ୍ତିର ଗଠନ କାଳ ନବମ ଶତାବ୍ଦୀର ପୂର୍ବ ସମୟର ବୋଲି ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି।

ଶ୍ରୀ ନାୟକଙ୍କ କହିବା ମୁତାବକ, ଅତୀତରେ ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ଗଜପତିମାନଙ୍କ ଶାସନ କାଳରେ ଏ ଅଞ୍ଚଳରେ ଅନେକ ପାଇକ ଯୋଦ୍ଧା ବସବାସ କରୁଥିଲେ। ଏହି ବିରଶୀଳା ଅଞ୍ଚଳରେ ସାମରିକ ଘଟଣାବଳୀର ପ୍ରତୀକ ଭାବେ ବିବେଚନା କରାଯାଏ। ତେବେ ମିଳିଥିବା ବୌଦ୍ଧ ଅବଶେଷ ଏହାଠାରୁ ଆହୁରି ପୁରାତନ ସମୟର ବୋଲି ଅନୁମାନ କରାଯାଉଛି। ଦୟା ଓ ମନ୍ଦାକିନୀ ନଦୀ ଅବବାହିକାରେ ଲେଣ୍ଡୋର ସନ୍ନିକଟବର୍ତ୍ତୀ ଅଞ୍ଚଳରେ ପୂର୍ବରୁ ଅନେକ ବୌଦ୍ଧ ଅବଶେଷର ସନ୍ଧାନ ମିଳିସାରିଛି। ତେଣୁ, ଏ ଅଞ୍ଚଳରେ ବୌଦ୍ଧ ଧର୍ମର ଗଭୀର ପ୍ରଭାବ ରହିଥିବାର ପ୍ରମାଣ ମିଳେ।

ଅନ୍ୟପକ୍ଷରେ, ଲେଣ୍ଡୋ ଗ୍ରାମରେ ଏକ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ କରିବାର ଆବଶ୍ୟକତା ରହିଛି ବୋଲି ଇନ୍‌ଟାକ (ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଫର କଲଚରାଲ ହେରିଟେଜ)ଓଡ଼ିଶା ଶାଖାର ସହ ଆବାହକ ଅନୀଲ ଧୀର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe