ଯାଜପୁରସଦର: ଯାଜପୁରର ପ୍ରାଚୀନ ଐତିହ୍ୟ ‘ଅଠରନଳା’ ଏବେ ବିପଦରେ। ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହ୍ୟ ଲୁଚିଯିବାକୁ ବସିଛି। ସଂରକ୍ଷଣ ଦାୟିତ୍ବ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ରକ୍ଷଣା‌ବେକ୍ଷଣ କରୁନାହିଁ। ଫଳ‌ରେ ଅଠର ନଳାରୁ ଏବେ ୭ଟି ନଳା ଦିଶୁଥିବା ବେଳେ ଅବଶିଷ୍ଟ ମାଟିରେ ପୋତି ହୋଇଗଲାଣି। ଭିତରେ ଗଛଲତା ମାଡ଼ି ଯାଇଥିବା ବେଳେ ଦୃଶ୍ୟମାନ ୭ଟି ଦ୍ବାର ମଧ୍ୟ ପୋତି ହେବାକୁ ବସିଲାଣି। ଆବଶ୍ୟକ ମରାମତି ଓ ସଂରକ୍ଷଣ ଅଭାବରୁ ଏହି ପ୍ରାଚୀନ ଐତିହ୍ୟର ସତ୍ତା ଲୋପ ପାଇବାକୁ ବସିଛି।

Advertisment

‘ଅଠରନଳା’ ଯାଜପୁରର ଅନ୍ୟତମ ପରିଚୟ। ଯାହାର ଶ୍ରୀକ୍ଷେତ୍ର ପୁରୀ ସହିତ ସମ୍ପର୍କ ଥିବା କୁହାଯାଏ। କାରଣ ପୁରୀ ବ୍ୟତୀତ ଅଠରନଳା କେବଳ ଯାଜପୁରରେ ହିଁ ଦେଖିବାକୁ ମିଳିଥାଏ। ଜଗନ୍ନାଥଙ୍କ ସହ ଅଠରନଳାର ସମ୍ପର୍କ ଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଅଠରନଳା ପବିତ୍ରର ପ୍ରତୀକ ଭାବେ ପରିଗଣିତ ହୁଏ। ଆଜି ସେ ଅଠରନଳା ପର୍ଯ୍ୟଟକଙ୍କ ମନରୁ ଲିଭିଗଲାଣି। ଶ୍ରଦ୍ଧାଳୁ ଆସି ମା’ ବିରଜାଙ୍କୁ ଦର୍ଶନ କରୁଛନ୍ତି। ଏହି ଐତିହ୍ୟ ବିଷୟରେ ଅନେକ ଅଜ୍ଞ ବା ଜାଣିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏହାର ଅଧିଂକାଶ ଅଞ୍ଚଳ ଜବରଦଖଲରେ ରହିଛି। ପୋଲ ଉପ‌ର ଦେଇ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ବିଂଝାରପୁର, ବରୀ ଓ ଦଶରଥପୁର ବ୍ଲକ୍‌ରୁ ଦୈନିକ ହଜାର ହଜାର ଗାଡ଼ି ଯାତାୟାତ କରୁଛି। ମା’ ବିରଜାଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମଧ୍ୟ ଏହା ଉପରେ ଯା’ଆସ କରୁଛନ୍ତି। କିଛି ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ଅଠରନଳାରେ ଅଳିଆ ପକାଇ ଏହାକୁ ଆବର୍ଜନା କୁଣ୍ଡ କରିସାରିଲେଣି। କିମ୍ବଦନ୍ତି ଅନୁସାରେ, ଭାରତର ୨ଟି ସ୍ଥାନରେ ଅଠରନଳା ଦେଖିବାକୁ ମିଳିଥାଏ। ଗୋଟିଏ ପୁରୀ ଶ୍ରୀକ୍ଷେତ୍ର‌ ଏବଂ ଅନ୍ୟଟି ମା’ ବିରଜାଙ୍କ କ୍ଷେତ୍ରରେ। ଏହି ପୋଲ ତଳେ ବହୁ ପ୍ରାଚୀନ ପ୍ରତିମୂର୍ତ୍ତି ରହିଛି। ଯାହାର ରକ୍ଷଣାବେକ୍ଷଣ କରାଯାଉନି। ଜଳ ନିଷ୍କାସନରେ ବାଧା ଯୋଗୁଁ ପୋଲ ଦୁର୍ବଳ ହେବା ସହ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ପୋଲ ନିକଟରେ କୌଣସି ପ୍ରକାର ନିର୍ମାଣ ନ କରିବା ଓ କୌଣସି କ୍ଷତି ନ ପହଞ୍ଚାଇବାକୁ ଫଳକ ଲଗାଇ ଏଏସ୍‌ଆଇ ତା’ର ଦାୟିତ୍ବ ଭୁଲିଯାଇଛି। ଏହା କିଭଳି ଦୀର୍ଘସ୍ଥାୟୀ ହେବ ସେ ଦିଗରେ ବିଭାଗ ଯତ୍ନବାନ ହେଉ ନ ଥିବାରୁ ବୁଦ୍ଧିଜୀବୀ ମହଲ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ଯାଜପୁର ଛାତିରେ ନୂଆ ପ୍ରକଳ୍ପର ରୂପରେଖ ଅଙ୍କା ଯାଉଥିବା ବେଳେ ଶହଶହ ବର୍ଷର ଏହି ଐତିହ୍ୟ ଲୀନ ହେବାକୁ ବସିଛି। ବୈତରଣୀର ଅଂଶ ‘ମନ୍ଦାକିନୀ’ ଏହି ଅଠରନଳା ଦେଇ ମା’ ବିରଜାଙ୍କର ପାଦ ଧୋଇବାର ତଥ୍ୟ ରହିଛି। କାଳକ୍ରମେ ‘ମନ୍ଦାକିନୀ’ ପୋତି ହୋଇଯାଇଥିବା ବେଳେ ଅଠରନଳାର ଅଧିକାଂଶ ନଳା ପୋତି ହୋଇଗଲାଣି। ଏବେ ଏହାର ସଂରକ୍ଷଣ ଅପରିହାର୍ଯ୍ୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।