ଅନୁଗୁଳ : ଅନୁଗୁଳ ଉପଖଣ୍ଡର ନତଡ଼ା, ଝିଣ୍ଟିପାଳ, ବଡ଼ କେରଜାଙ୍ଗ ଓ କୋରଡ଼ା ଗ୍ରାମରେ ହିରୋଷ୍ଟୋନ୍ ବା ବୀର ଫଳକ ରହିଛି। ଗବେଷକମାନଙ୍କ ସୂଚନା ଆଧାରରେ ପ୍ରାକ୍ତନ ଇତିହାସ ପ୍ରାଧ୍ୟାପିକା ଓ ଗବେଷିକା ଡକ୍ଟର ରମା ମଞ୍ଜରୀ ସାହୁ ଓ ସାହିତ୍ୟିକ ତ୍ରେତାନନ୍ଦ ସାମନ୍ତ ଏହାଉପରେ ଅଧିକ ତଥ୍ୟ ସଂଗ୍ରହ କରିବାପରେ ଏହା ସ୍ପଷ୍ଟ ହୋଇଛି। ଦଳପତି କିମ୍ବା ଜଣେ ଯୋଦ୍ଧା ବୀରତ୍ୱର ସହିତ ଶତ୍ରୁ ସହ ଲଢ଼େଇ କରିବା ସମୟରେ ମୃତ୍ୟୁ ହେଲେ, ତାଙ୍କ ସ୍ମୃତିରେ ଏକ ପ୍ରସ୍ତର ଫଳକ ଉତ୍ସର୍ଗ କରିବାର ପରମ୍ପରାକୁ ଅନୁଗୁଳର ପ୍ରାଚୀନ ଓ ମଧ୍ୟଯୁଗୀୟ ଲୋକମାନେ ଅନୁସରଣ କରୁଥିବା ଏହି ବୀର ଫଳକ ପ୍ରମାଣ କରୁଛି। ଅନୁଗୁଳ ଇତିହାସ ସହିତ ଏହି ବୀର ଫଳକର ଅନେକ ସଂପର୍କ ରହିଥିବା କୁହାଯାଉଛି।
ଗବେଷକମାନେ ନତଡ଼ା ଗ୍ରାମର ମଧ୍ୟସ୍ଥଳର ଏକ ଖୋଲା ସ୍ଥାନରେ ସିମେଣ୍ଟ ମଣ୍ଡପ ଉପରେ ୩ଟି ଓ ଝିଣ୍ଟିପାଳଠାରେ ୮ ଟି ବୀର ଫଳକ ଦେଖିବାକୁ ପାଇଛନ୍ତି। ଝିଣ୍ଟିପାଳର ଅଷ୍ଟଶମ୍ଭୁ ମନ୍ଦିରରେ ବୀରେଶ୍ୱର ମହାଦେବ ବା ଅଷ୍ଟଶମ୍ଭୁ ଭାବରେ ବୀର ଫଳକଗୁଡ଼ିକ ଗୋଟିଏ ଧାଡ଼ିରେ ସ୍ଥାପିତ ହୋଇ ପୂଜା ପାଉଛନ୍ତି। ମନ୍ଦିର ପୂଜକଙ୍କ କହିବା ଅନୁସାରେ, ଏହି ଦେବତାମାନେ ନିକଟସ୍ଥ ପ୍ରାନ୍ତର ବୀର ତଇଳା ବା ରଣଭୂମିରୁ ତିନିଶହ ବର୍ଷ ପୂର୍ବେ ସଂଗ୍ରହ କରାଯାଇଛି। ବଡ଼ କେରଜାଙ୍ଗ ଗ୍ରାମର ୧୨ଟି ବୀର ଫଳକ ପାଖ ଜଙ୍ଗଲରୁ ସଂଗ୍ରହ କରି ଗୋଟିଏ ପକ୍କାଘରେ ବୀରଙ୍କେଶ୍ୱର ମହାଦେବ ଭାବରେ ପୂଜା କରାଯାଉଛି। ଏଗୁଡ଼ିକ ମଧ୍ୟରୁ କେତୋଟି ଭଙ୍ଗିଗଲାଣି। ଏହି ସ୍ଥାନକୁ ମଧ୍ୟ ବୀର ତଇଳା ବୋଲି କୁହାଯାଉଛି। କୋରଡ଼ା ଗ୍ରାମରେ ୫ଟି ଭଙ୍ଗା ବୀରଫଳକ ଏକ ଅସ୍ଥାୟୀ ମନ୍ଦିରରେ ବୀରେଶ୍ୱର ମହାଦେବ ଭାବରେ ପୂଜା ପାଉଛନ୍ତି।
ସମସ୍ତ ବୀରଫଳକ ବାଲିପଥରରେ ତିଆରି। ଫଳକର ମଧ୍ୟ ଭାଗରେ ବାମ ହାତରେ ଢାଲ ଓ ଡାହାଣ ହାତରେ ଖଡ୍ଗ ଧାରଣ କରିଥିବା ଯୋଦ୍ଧାଙ୍କର ମୂର୍ତ୍ତି ଖୋଦିତ ହୋଇଛି। କେବଳ ଝିଣ୍ଟିପାଳ ଫଳକର ପ୍ରଥମ ଭାଗରେ ଯୋଦ୍ଧା ଜଣକ ବୀରଗତିପ୍ରାପ୍ତ ହେବାପରେ ସ୍ୱର୍ଗଲୋକକୁ ଯାଇ ଶିବଲିଙ୍ଗ ପୂଜା କରୁଥିବାର ଚିତ୍ର ଖୋଦିତ ହୋଇଛି। ଏହି ୨୮ ବୀର ଫଳକ ମଧ୍ୟରୁ କୌଣସି ଫଳକରେ ଅଭିଲେଖ ନ ଥିବାରୁ ସେଗୁଡିକର ପ୍ରତିଷ୍ଠା କାଳ ନିରୂପଣ କରିହେଉନି। ତେବେ, ଭାସ୍କର୍ଯ୍ୟ କଳା ଦୃଷ୍ଟିରୁ ଏହି ବୀର ଫଳକଗୁଡ଼ିକୁ ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ୟରେ ସ୍ଥାନିତ କରାଯାଇପାରେ ବୋଲି ଗବେଷକ ଡ. ସାହୁ କହିଛନ୍ତି।