ଯାଜପୁର, : ବଡ଼ଚଣା ବ୍ଲକ୍ ବାଲିପଡ଼ିଆ ପଞ୍ଚାୟତର ଦେକୁଡ଼ି-ଚାନ୍ଦପୁର ଗ୍ରାମର ତେଲେଙ୍ଗେଶ୍ଵର ପୋଖରୀର ପୁନରୁଦ୍ଧାର ବେଳେ ପ୍ରାଚୀନ ପ୍ରସ୍ତର ମୂର୍ତ୍ତି ଉଦ୍ଧାର ହୋଇଛି। ପ୍ରାଚୀନ ଶିବମନ୍ଦିର ଧ୍ଵଂସାବଶେଷ ବୋଲି ଐତିହାସିକ ତଥା ବୌଦ୍ଧ ଗବେଷକ ଡ. ହରିଶ୍ ଚନ୍ଦ୍ର ପୃଷ୍ଟି କହିଛନ୍ତି। ଦୀର୍ଘ ବର୍ଷ ପରେ ପଞ୍ଚାୟତ ତରଫରୁ ଏହି ତେଲେଙ୍ଗେଶ୍ଵର ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯାଉଥିଲା। ପୁନରୁଦ୍ଧାର ବେଳେ ମସୃଣ, ପାଲିସ୍ ଯୁକ୍ତ, ସାଦା ଆୟତକାର ଓ ବିବିଧ ସୂକ୍ଷ୍ମାତିସୂକ୍ଷ୍ମ ଖୋଦେଇଯୁକ୍ତ କାରୁକାର୍ଯ୍ୟ ମୂର୍ତ୍ତିଗୁଡ଼ିକ ଉଦ୍ଧାର କରାଯାଇଛି।
ପ୍ରାଚୀନ ମୂର୍ତ୍ତିଗୁଡ଼ିକୁ ଟିକିନିଖି ସର୍ବେକ୍ଷଣ, ନିରୀକ୍ଷଣ ଓ ପରୀକ୍ଷଣ କରିଥିବା ଡ. ପୃଷ୍ଟି କହିଛନ୍ତି ଯେ ଏହି ସ୍ଥାନରେ ଖ୍ରୀଷ୍ଟ୍ରୀୟ ୧୩ଶ-୧୪ଶ ଶତାଦ୍ଦୀ ବେଳେ ବା ଓଡିଶାରେ ଗଙ୍ଗ ଯୁଗୀୟ ଶାସନ ବେଳେ ପ୍ରାୟତଃ ୭୦ -୮୦ ଫୁଟ ଉଚ୍ଚତାର ଏକ ଶିବ ମନ୍ଦିର ଥିଲା। ଗଙ୍ଗରାଜାଙ୍କ ଦ୍ଵାରା ନିର୍ମିତ କପିଳାସର ଚନ୍ଦ୍ରଶେଖର ଶିବ ମନ୍ଦିର, ଚଣ୍ଡିଖୋଲ ମହାବିନାୟକ କ୍ଷେତ୍ର, ପୀଠ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ସମେତ ନବଗ୍ରହ ମନ୍ଦିର ଭଳି ଦେକୁଡ଼ି-ଚାନ୍ଦପୁର ଉପକଣ୍ଠରେ ଏହି ଶିବ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ସ୍ଥାନରେ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ଅନେକ ଐତିହାସିକ କିମ୍ବଦନ୍ତି ରହିଛି। ବିଶ୍ଵ ବିଖ୍ୟାତ ତିନି ମହା ବୌଦ୍ଧପୀଠ ସହିତ ଏହାର ସଂଯୋଗ ରହିଛି। ପୂର୍ବରୁ ଏହି ପୋଖରୀରୁ ଏକ ପାର୍ଶ୍ଵ ଶିବ ଲିଙ୍ଗ ମିଳିଥିବା ବେଳେ ଏହି ପୋଖରୀ ନିକଟରେ ନିର୍ମିତ ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା ହେଉଛନ୍ତି। କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହାର ଖନନ କରାଗଲେ ମୁଖ୍ୟ ମନ୍ଦିରର ଅବଶେଷ, ମୁଖ୍ୟ ଲିଙ୍ଗ ସମେତ ଅନ୍ୟାନ୍ୟ ଅଂଶବିଶେଷ ଲୋକଲୋଚନକୁ ଆସିପାରିବ ବୋଲି ଡକ୍ଟର ପୃଷ୍ଟି କହିଛନ୍ତି।