ଶୁକଶାରି ମନ୍ଦିରରୁ ମିଳିଲା ପ୍ରାଚୀନ ଲିପି, ଅଧିକ ଗବେଷଣା ଆବଶ୍ୟକ: ଏଏସ୍‌ଆଇ

ପୁରୁଣା ଭୁବନେଶ୍ୱର: ଶୁକଶାରି ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍‌ଆଇ) ପକ୍ଷରୁ ଚାଲିଥିବା ଖନନ କାର୍ଯ୍ୟ ଲୋକଙ୍କ ଭିତରେ ଦିନକୁ ଦିନ ଉତ୍କଣ୍ଠା ବଢ଼ାଇବାରେ ଲାଗିଛି। ମାଟି ତଳୁ ବାହାରୁଥିବା ପ୍ରାୟ ୧୪ ଶହ ବର୍ଷ ତଳର କୀର୍ତ୍ତିରାଜି କିଭଳି ପୋତି ହୋଇଗଲା, ତାହା ଜାଣିବାକୁ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ପୂର୍ବରୁ ୪ଟି ମନ୍ଦିର ଭଗ୍ନାବଶେଷ ସହିତ ତିନି ତିନିଟି ପ୍ରାଚୀନ ମୂର୍ତ୍ତି ବାହାରି ସାରିଲାଣି। ଆଜି ମାଟି ତଳୁ ବାହାରିଛି ପ୍ରାଚୀନ ଲିପି ଓ ପୌରାଣିକ ଚିତ୍ରକଳା। ଉକ୍ତ ଚିତ୍ରକଳା ସବୁ ଏକାମ୍ର କ୍ଷେତ୍ରରେ ଶିବପାର୍ବତୀଙ୍କ ଲୀଳାଖେଳାକୁ ନେଇ ରହିଥିବା ପୌରାଣିକ କାହାଣୀର ଚିତ୍ର ବୋଲି ଅନୁମାନ କରାଯାଉଛି। ତେବେ ଏହା ଉପରେ ଅଧିକ ଗବେଷଣା ଦରକାର ଓ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ମିଳିଛି।

ଗତକାଲି ଖନନ ବେଳେ ମାଟି ଭିତରୁ ଏକ ଦେବୀ ମୂର୍ତ୍ତିର ଅଧା ଅଂଶ ଦେଖାଯାଇଥିଲା। ତାହା ମହିଷାମର୍ଦ୍ଦିନୀ ମା’ ଦୁର୍ଗାଙ୍କ ମୂର୍ତ୍ତି ବୋଲି କୁହାଯାଇଥିଲା। ଆଜି ଏହି ମୂର୍ତ୍ତିକୁ ପୂରା ବାହାର କରାଯାଇଛି। ମା’ଙ୍କ ଏହି ମୂର୍ତ୍ତି ସିଂହାସନ ଉପରେ ବିରାଜମାନ ଅବସ୍ଥାରେ ବାହାର କରାଯାଇଛି। ତେବେ ଏହା ମହିଷାମର୍ଦ୍ଦିନୀ ନୁହେଁ, ମା’ ଭବାନୀ ମୂର୍ତ୍ତି ବୋଲି କୁହାଯାଉଛି। ଭବାନୀ ଶଙ୍କର ମନ୍ଦିର ନିକଟରୁ ବାହାରିଥିବାରୁ ଏହାକୁ ମା’ଭବାନୀଙ୍କ ମୂର୍ତି ବୋଲି ଅନୁମାନ କରାଯାଉଛି। ସେହିଭଳି ଏହି ମୂର୍ତି ଉଦ୍ଧାର ହୋଇଥିବା ମନ୍ଦିର ପ୍ରାଙ୍ଗଣ ଓ କାନ୍ଥରେ ଆଜି ସ୍ବତନ୍ତ୍ର ଲିପି ଦେଖିବାକୁ ମିଳିଛି। ଏହି ଶିଳାଲିପି କେଉଁ ଭାଷାରେ ଲେଖାଯାଇଛି ଓ ଏଥିରେ କ’ଣ ଲେଖାଯାଇଛି, ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ଗବେଷଣା ପରେ ଏଥିରୁ ବହୁ ତଥ୍ୟ ମିଳିବ ବୋଲି କୁହାଯାଉଛି। ସେହିଭଳି ଉକ୍ତ ମନ୍ଦିର ପ୍ରାଙ୍ଗଣରେ କିଛି ପୌରାଣିକ ଚିତ୍ର ମଧ୍ୟ ଦେଖିବାକୁ ମଧ୍ୟ ମିଳିଛି। ଏହି ଚିତ୍ରକଳା ନିଶ୍ଚିତ ଏକାମ୍ର କ୍ଷେତ୍ରର ପ୍ରାଚୀନ କାହାଣୀକୁ ନେଇ ଅଙ୍କନ କରାଯାଇଥିବ ବୋଲି ଅଧିକାରୀମାନେ କହୁଛନ୍ତି। ତେବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି ବୋଲି ଜଣେ ଏଏସ୍‌ଆଇ ଅଧିକାରୀ କହିଛନ୍ତି।

ମନ୍ଦିରର ନିର୍ମାଣ ଶୈଳୀରୁ ଏହା ୬ଷ୍ଠ ଓ ୭ମ ଶତାବ୍ଦୀର ବୋଲି କୁହାଯାଉଛି। ଏହି ମନ୍ଦିରଟି ପର୍ଶୁରାମେଶ୍ବର ମନ୍ଦିରର ନିର୍ମାଣ ଶୈଳୀ ସହ କେତେକାଂଶରେ ମେଳ ଖାଉଛି। ପ୍ରକାଶ ଥାଉକି, ଏହା ପୂର୍ବରୁ ଏହି ମନ୍ଦିରରୁ ଏକ ବିଷ୍ଣୁ ମୂର୍ତ୍ତି ସହ ଏକ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଖନନ କାର୍ଯ୍ୟ ଯେତିକି ଆଗକୁ ଯାଉଛି, ମାଟି ତଳୁ ସେତିକି ଅଧିକ ଭଗ୍ନାବଶେଷ ମିଳୁଛି। ତେଣୁ ଖନନ କାର୍ଯ୍ୟକୁ ବେଶ୍ ସତର୍କତାର ସହ କରିବାକୁ ପଡ଼ୁଛି। ଉଦ୍ଧାର ହୋଇଥିବା ଦେବୀ ମୂର୍ତ୍ତିର କିଛି ଭଗ୍ନାଂଶ ମାଟି ତଳେ ପୋତି ହୋଇ ରହିଥିବା ସନ୍ଦେହ କରାଯାଉଛି। ତେଣୁ ସେଗୁଡ଼ିକୁ ମିଳିଲେ ଏହି ମୂର୍ତ୍ତିର ପୂର୍ଣ୍ଣାବୟବ ରୂପ ପ୍ରକାଶ ପାଇବ। ବର୍ତ୍ତମାନ ସୁଦ୍ଧା ୮ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଖୋଳାଯାଇଛି। ଆହୁରି ଗଭୀର ପର୍ଯ୍ୟନ୍ତ ଖୋଳାଯିବ ବୋଲି ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି।

ମାଟି ତଳେ ମନ୍ଦିର ପଶିଯିବ ବର୍ଷା ପାଣି –
ଶୁକଶାରି ମନ୍ଦିର ନିକଟରେ ଚାଲିଥିବା ମନ୍ଦିର ଖନନ ପାଇଁ ଆଗକୁ ବର୍ଷା ବାଧକ ସାଜିବା ଆଶଙ୍କା ଦେଖାଗଲାଣି। ବର୍ଷା ପାଣି ନିଷ୍କାସନ କରିବା ପାଇଁ ଏଏସ୍ଆଇ ପକ୍ଷରୁ ବ୍ୟବସ୍ଥା ହୋଇନାହିଁ। ଏବେ ଖରାଦିନ ହୋଇଥିଲେ ବି କାଳବୈଶାଖୀଜନିତ ବର୍ଷା ହେଲେ ମାଟି ତଳେ ଥିବା ଏହି ମନ୍ଦିରରେ ପାଣି ଲହଡ଼ି ମାରିବ। ଫଳରେ ଅଧିକ ଖନନ ହେବା ସମ୍ଭବ ହେବ ନାହିଁ ବୋ‌ଲି ଆଶଙ୍କା ପ୍ରକାଶ ପାଇଛି। ଖନନ ଯୋଗୁଁ ବହୁ ପୁରୁଣା ମୂର୍ତି ବାହାରୁଥିବା ଖବର ପାଇ ଏବେ ଏଠାକୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଆସୁଛନ୍ତି। କିନ୍ତୁ ମାଟି ତଳୁ ମିଳୁଥିବା ମୂର୍ତିଗୁଡ଼ିକୁ ବନ୍ଦ ଥିବା ମନ୍ଦିରରେ ରଖାଯାଇଛି। ଫଳରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏହା ଦେଖିବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ପର୍ଯ୍ୟଟକମାନେ ଏଏସ୍ଆଇ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର