କୋରାପୁଟ: ବିଶ୍ୱ ଐତିହ୍ୟ ଦିବସରେ ଚୋରି ହୋଇଛି ପ୍ରାଚୀନ ଜୈନମୂର୍ତ୍ତି। ଶୁକ୍ରବାର ସକାଳୁ କୋରାପୁଟ ସଦର ଥାନାରେ କେଚଲା ଗ୍ରାମବାସୀ ଏତଲା ଦେଇଛନ୍ତି। ଭାବାବେଗ ସହ ଜଡ଼ିତ ହୋଇଥିବାରୁ ତୁରନ୍ତ ଉଦ୍ଧାର କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି। ପୁଲିସ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ଥାନା ଅଧିକାରୀ ରୁନୁ ମାଝୀ କହିଛନ୍ତି।

Advertisment

ଗାଁ ନିକଟସ୍ଥ ପାହାଡ଼ରେ ୮ଟି ଜୈନମୂର୍ତ୍ତିକୁ ବହୁ ପିଢ଼ି ହେଲା ଗ୍ରାମବାସୀ ପୂଜା କରି ଆସୁଛନ୍ତି। ପ୍ରାଚୀନତା କାରଣରୁ ଏହି ମୂର୍ତ୍ତିଗୁଡ଼ିକର ବିଦେଶରେ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି। ବଡ଼ଦେବତା ଭାବେ ମୂର୍ତ୍ତିଗୁଡ଼ିକୁ ପୂଜା କରୁଥିବା ବେଳେ ସ୍ଥାୟୀ ମନ୍ଦିର ନଥିଲା। ଖୋଲାଆକାଶ ତଳେ ମୂର୍ତ୍ତିଗୁଡ଼ିକ ପୂଜା ପାଉଛନ୍ତି। ବିଶେଷ ପୂଜାପର୍ବରେ ଏହି ମୁକ୍ତାଆଶା ଦେବାଳୟରେ ସ୍ବତନ୍ତ୍ର ପୂଜା କରାଯାଉଛି। ବର୍ତ୍ତମାନ ଚୈତ୍ର ମାସ ଚାଲିଥିବାରୁ ମୂର୍ତ୍ତିଗୁଡ଼ିକୁ ସୁସଜ୍ଜିତ କରାଯାଇଥିଲା।

ଗତକାଲି ଗ୍ରାମବାସୀ ପୂଜାର୍ଚ୍ଚନା କରି ଫେରିଥିଲେ। ଆଜି ସକାଳେ ପୁଣି ପୂଜା ନିମନ୍ତେ ଯିବା ବେଳକୁ ସବୁଠାରୁ ବଡ଼ ମୂର୍ତ୍ତି ଚୋରି ହୋଇଯାଇଥିଲା। ଦୁର୍ବୃତ୍ତ ମୂର୍ତ୍ତିକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାରିଥିବା ଚିହ୍ନ ଦେଖିବାକୁ ମିଳିଛି। ତୁରନ୍ତ ଦୁର୍ବୃତ୍ତଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି। ପୂର୍ବରୁ ସୁରକ୍ଷା ଅଭାବରୁ ସେମିଳିଗୁଡ଼ା ବ୍ଲକ୍‌ ସୁବାଇ ମୁଖ୍ୟ ମନ୍ଦିର ପରିସରରୁ ତିନିଟି ଜୈନମୂର୍ତ୍ତି ଚୋରି ହୋଇଥିଲା। ଏହାପରେ କେଚଲା ମନ୍ଦିରରୁ ଚୋରି ହେବା ଘଟଣା ଗ୍ରାମବାସୀଙ୍କ ମନରେ ଉଦ୍‌ବେଗ ସୃଷ୍ଟି କରିଛି।