ପୁରୀ : ଡିଜିଟାଇଜ୍ ହେବ ପ୍ରାଚୀନ ତାଳପତ୍ର ପୋଥି। ଅନ୍ଲାଇନ୍ରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବ ‘ବେଦାନ୍ତ ଦର୍ଶନ’ଠୁ ନେଇ ‘ଜୈମିନୀୟ ଭାଗବତ’, ‘ଅମର କୋଷ’ଠୁ ନେଇ ‘ବଙ୍ଗଳା ରାସ’। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ପୁରୀରେ ମହଜୁଦ ଥିବା ବହୁ ପ୍ରାଚୀନ ତାଳପତ୍ର ପୋଥିକୁ ସାର୍ବଜନୀନ କରିବା ପାଇଁ ଡିଜିଟାଇଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଶହଶହ ବର୍ଷର ଏହି ପ୍ରାଚୀନ ତାଳପତ୍ର ପୋଥିକୁ ରାସାୟନିକ ପଦ୍ଧତିରେ ସଂରକ୍ଷଣ କରାଯିବ।
ଗତ ୨୦୧୯ ମସିହାର ଫନି ବାତ୍ୟା ପରଠୁ ବିଶ୍ବବିଦ୍ୟାଳୟର ପ୍ରଭୂତ କ୍ଷତି ହୋଇଥିବା ବେଳେ ପାଠାଗାରରେ ମହଜୁଦ ଥିବା ମୂଲ୍ୟବାନ ସଂସ୍କୃତ ପୁସ୍ତକ ଓ ତାଳପତ୍ର ପୋଥି ଉପରେ ପ୍ରଭାବ ପଡ଼ିଥିଲା। ତେଣୁ ତାଳପତ୍ର ପୋଥି ସମ୍ପୂର୍ଣ୍ଣ ନଷ୍ଟ ହେବାପୂର୍ବରୁ ଏହାକୁ ଡିଜିଟାଇଜ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବରୋଦାରୁ ଏକ ବିଶେଷଜ୍ଞ ଦଳ ଏହି ଡିଜିଟାଇଜ୍ ପ୍ରକ୍ରିୟାରେ ସାମିଲ ହେବେ। ତାଳପତ୍ର ପୋଥି ମଧ୍ୟରେ ମହାଭାରତ ଆରଣ୍ୟକ ପର୍ବ, ସିଦ୍ଧାନ୍ତ ଚନ୍ଦ୍ରିକା, ଶ୍ରୀମଦ ଭାଗବତ, ସାହିତ୍ୟ ରତ୍ନାକର, ଦତ୍ତାଆମ୍ବିକା ସିଦ୍ଧାନ୍ତ ଚନ୍ଦ୍ରିକା, ଆୟୁର୍ବେଦ ସଂଗ୍ରହ, ମେଘଦତ୍ତ ଓ କୁମାରସମ୍ଭବମ, ଭେଦଧିକ୍କାର ବିବୃତି, କଣ୍ବସଂହିତା, ନିତ୍ୟାଚାର ପଦ୍ଧତି, ସ୍ତୋତ୍ରାଦି ଷଟ୍ କର୍ମବିଧି, ଆଧ୍ୟାତ୍ମ ରାମାୟଣ, କାର୍ତ୍ତିକ ମାହାତ୍ମ୍ୟ, ମଥୁରା ମଙ୍ଗଳ, ଗୀତଗୋବିନ୍ଦ, ଭାଗବତ ସନ୍ଦର୍ଭ ଭଳି ମୂଲ୍ୟବାନ ପୋଥି ରହିଛି।
ବିଶ୍ବବିଦ୍ୟାଳୟର ବିସ୍ତୃତ ବି.ଏମ୍ ବିଗ୍ଲା ଗ୍ରନ୍ଥାଳୟରେ ଏହି ପୋଥିଗୁଡ଼ିକ ମହଜୁଦ ରହିଛି। ସୂଚନା ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ବିଶ୍ବବିଦ୍ୟାଳୟରେ ମହଜୁଦ ଥିବା ଏହି ତାଳପତ୍ର ପୋଥିର ତାଲିକା ପ୍ରସ୍ତୁତ କରାଯାଇଛି। ଏହି ପୋଥିଗୁଡ଼ିକର କାଳଖଣ୍ଡ ନିର୍ଦ୍ଧାରଣ କରାଯିବ। ପାଖାପାଖି ୨ଶହ ଅମୂଲ୍ୟ ତାଳପତ୍ର ପୋଥିକୁ ଡିଜିଟାଇଜ୍ କରାଯିବ।
ଏନେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି, ଯୁଗ ସହ ତାଳ ଦେଇ ଚାଲିବା ନିହାତି ଆବଶ୍ୟକ। ତେଣୁ ଗ୍ରନ୍ଥାଗାରରେ ମହଜୁଦ ମୂଲ୍ୟବାନ ତାଳପତ୍ର ପୋଥି ସମୂହକୁ ଡିଜିଟାଇଜ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବରୋଦାରୁ ଏକ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହେବେ। ୬ ମାସ ମଧ୍ୟରେ ଏ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ। ପିଏଚ୍ଡି କିମ୍ବା ଗବେଷଣା କରୁଥିବା ବ୍ୟକ୍ତିବିଶେଷ ଏହା ଉପରେ ନିର୍ଭର କରୁଥିବା ବେଳେ ପ୍ରତ୍ୟକ୍ଷ ଭାବେ ଏହାକୁ ପ୍ରାମାଣିକ ଭାବେ ନେବା ସହଜ ହୁଏ ନାହିଁ। ଏହାଦ୍ବାରା ବାରମ୍ବାର ତାଳପତ୍ର ପୋଥିକୁ କାଢ଼ିବା ଦ୍ବାରା ଏହା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ତେଣୁ ଡିଜିଟାଇଜେସନ୍ କରାଗଲେ ଏହା ସହଜରେ ଗବେଷକଙ୍କ ପାଇଁ ଉପଲବ୍ଧ ହୋଇପାରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/pothi.jpg)