ଝାରସୁଗୁଡ଼ା,(ପ୍ରଶାନ୍ତ କୁମାର ମିଶ୍ର) : ଝାରସୁଗୁଡ଼ା ଜିଲ୍ଲାର ଐତିହାସିକ ପୀଠ ବିକ୍ରମଖୋଲ ଗୁମ୍ଫାରୁ ଲିଭିଯାଉଛି ପ୍ରାଚୀନ ଶିଳାଲିପି। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିବା ବେଳେ ଏହି ପ୍ରାଚୀନ ଶିଳାଲିପିର ସଂରକ୍ଷଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

Advertisment

ବେଲପାହାଡ଼ ସହରଠାରୁ ମାତ୍ର ୩ କିମି ଦୂର ବଞ୍ଜାରୀ ଗ୍ରାମ ଜଙ୍ଗଲରେ  ରହିଛି ଏହି ଐତିହାସିକସ୍ଥଳୀ। ବିକ୍ରମଖୋଲରେ ୧୧୫ ଫୁଟ ଦୈର୍ଘ୍ୟ ଓ ୨୭.୭ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରାଚୀନ ଗୁମ୍ଫା ରହିଛି। ଗୁମ୍ଫାରେ ଅନେକ ପ୍ରାଚୀନ ଶିଳାଲିପି ରହିଛି, ଯାହାକୁ ଆଜିପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସକ୍ଷମ ହୋଇ ପାରିନାହାନ୍ତି। କିଛି ଐତିହାସିକ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥା’ନ୍ତି। ଅତୀତରେ କିଛି ଗବେଷକ, ଐତିହାସିକ ଗୁମ୍ଫା ଅନୁଧ୍ୟାନ କରି ଶିଳାଲିପି ଉପରେ ବିଭିନ୍ନ ପ୍ରକାର ତଥ୍ୟ ଉପସ୍ଥାପନ କରିଛନ୍ତି। ବିଶିଷ୍ଟ ଐତିହାସିକ ଡକ୍ଟର କେ. ପି. ଜୟସ୍ୱାଲ ୧୯୩୫ ମସିହାରେ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ। ୧୯୫୮ ମସିହାରେ ଏହି ଗୁମ୍ଫା ଲୋକଲୋଚନକୁ ଆସିଥିଲା। ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର। ସ୍ୱାମୀ ଜ୍ଞାନନନ୍ଦ ନାମକ ଜଣେ ସାଧୁ ଏହି ଖୋଦିତ ଲିପି ଆବିଷ୍କାର କରିଥିଲେ ବୋଲି କୁହାଯାଏ। ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାମଞ୍ଜସ୍ୟ ଥିବା ପ୍ରତ୍ନତାତ୍ତ୍ବିକ ଖନନ ଓ ଗବେଷଣାରୁ ଜଣାଯାଏ।

publive-image tripuntold

ଅନ୍ୟପକ୍ଷରେ, ଖରା, ବର୍ଷା, ପବନରେ ଗୁମ୍ପାରେ ଖୋଦିତ ଶିଳାଲିପିଗୁଡ଼ିକ କ୍ଷୟ ହେବାରେ ଲାଗିଛି। ଏହାକୁ ସଂରକ୍ଷଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୧୯୯୫ ମସିହାରେ ଏକ ପ୍ରତ୍ନତତ୍ତ୍ୱବିତ୍‌ ଦଳ ସର୍ବେକ୍ଷଣ ପାଇଁ ଗୁମ୍ଫାକୁ ଯାଇଥିଲେ। ସେମାନେ ରାସାୟନିକ ପ୍ରଲେପ ଦେଇ ଶିଳାଲିପିର ସଂରକ୍ଷଣ ପାଇଁ ଉଦ୍ୟମ କରିଥିଲେ। ମାତ୍ର, ପରବର୍ତ୍ତୀ ସମୟରେ ଏହାର ସଂରକ୍ଷଣ ପାଇଁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କିଛି ପଦକ୍ଷେପ ନିଆଯାଇ ନାହିଁ। ଉଲ୍ଲେଖ‌ଯୋଗ୍ୟ ଯେ, କେନ୍ଦ୍ର ସରକାର ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି।

ଏହି ଶିଳାଲିପିର ସଂରକ୍ଷଣ ଦିଗରେ ପଦକ୍ଷେପ ନ ନେଲେ, କିଛିବର୍ଷ ପରେ ଏହି ପ୍ରାଚୀନ ଶିଳାଲିପି ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।