ଭୁବନେଶ୍ବର: ଗୁରୁବାର ଭୁବନେଶ୍ବର ବିମାନବନ୍ଦର ନିକଟରୁ ଜିଏସ୍ଟି ବିଭାଗ ପୁଣି ଜବତ କରିଛି ୨୦ କେଜି ସୁନା। ୧୭ଜଣ ବ୍ୟବସାୟୀ ରାଜସ୍ଥାନ ଜୟପୁରରୁ ଭୁବନେଶ୍ବରକୁ ଏହି ସୁନା ଚାଲାଣ କରିଥିବା ଜଣାପଡ଼ିଛି। କିନ୍ତୁ ପ୍ରାଥମିକ ଯାଞ୍ଚ ପ୍ରକ୍ରିୟାରୁ ୪ କେଜି ସୁନାର ଚାଲାଣ ରେକର୍ଡରେ ତାଳମେଳ ନଥିବା ଜଣାପଡ଼ିଛି। ୧୬ କେଜି ସୁନାର ଇନ୍ଭଏସ୍, ଡେଲିଭରି ଚାଲାଣ ଠିକ୍ ରହିଛି। ତେଣୁ ଟିକସ ଫାଙ୍କିବାକୁ ଅଧିକ ୪ କେଜି ସୁନା ବେଆଇନ ଭାବେ ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି। ସେହିଭଳି ଯେଉଁ ୧୭ଜଣ ବ୍ୟବସାୟୀଙ୍କ ନାଁରେ ଚାଲାଣ ରେକର୍ଡ ରହିଛି, ସେମାନଙ୍କ ମଧ୍ୟରୁ କିଛି ଗ୍ରହଣା ବ୍ୟବସାୟୀ ମୋଟେ ନଥିବା ସନ୍ଦେହ ସୃଷ୍ଟି ହୋଇଛି। ବେନାମୀ ମାଲିକଙ୍କ ନାଁରେ ସୁନା ଚାଲାଣ ହୋଇଥିବା ଆପାତତଃ ସ୍ପଷ୍ଟ ହୋଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି ଏବଂ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।
ବିମାନବନ୍ଦର ବାହାରେ ଡେଲିଭରି ଭ୍ୟାନ୍ରୁ ଜବତ
ରାଜସ୍ଥାନରୁ ଆଣିଥିଲେ ୧୭ ବ୍ୟବସାୟୀ
୪ କେଜିର ଚାଲାଣ ରେକର୍ଡରେ ତାଳମେଳ ନାହିଁ
ଆଜି ଜୟପୁରରୁ ଆସିଥିବା ଇଣ୍ଡିଗୋ ବିମାନ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିକ୍ୟୁଏଲ୍ ଲଗିଷ୍ଟିକ ସଂସ୍ଥାର ଗାଡ଼ି ସୁନାତକ ନେଇ ବାହାରକୁ ଆସିଥିଲା। ବିମାନବନ୍ଦର ବାହାରେ ସକାଳୁ ଛକି ରହିଥିବା ଜିଏସ୍ଟି ଅଧିକାରୀମାନଙ୍କ ଟିମ୍ ଗାଡ଼ିକୁ ଅଟକାଇ ବାଣୀବିହାରସ୍ଥିତ ବିଭାଗୀୟ କାର୍ଯ୍ୟାଳୟକୁ ନେଇଥିଲା। ଯାଞ୍ଚ ପ୍ରକ୍ରିୟାରୁ ୪ କେଜି ସୁନାର ଇନ୍ଭଏସ୍ ଓ ଡେଲିଭରି ଚାଲାଣରେ ତାଳମେଳ ନଥିଲା। ଛାନ୍ଭିନରୁ ଜଣାପଡ଼ିଥିଲା ଯେ ୧୭ ବ୍ୟବସାୟୀଙ୍କ ନାଁରେ ଏହି ସୁନାତକ ଆସିଛି। ସେମାନଙ୍କ ମଧ୍ୟରେ ରାଜଧାନୀର ୪/୫ଜଣ ବ୍ୟବସାୟୀ ଅଛନ୍ତି। ଯେଉଁ ୪ କେଜି ସୁନାର ଚାଲାଣ ରେକର୍ଡରେ ଭୁଲ୍ ରହିଛି, ସେତକର ଚାଲାଣ ୧୨ ଅଜଣା ଗହଣା ବ୍ୟବସାୟୀଙ୍କ ନାଁରେ ରହିଛି। ସେସବୁ ଗହଣା ଦୋକାନ ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡି, ଭଦ୍ରକ ଓ କେନ୍ଦୁଝର ଆଦି ସହରରେ ଥିବା ଜଣାପଡ଼ିଛି। ଏନେଇ ଜିଏସ୍ଟି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୬ ତାରିଖରେ ଅନୁରୂପ ଭାବେ ଜିଏସ୍ଟି ବିଭାଗ ଭୁବନେଶ୍ବର ବିମାନବନ୍ଦର ବାହାରୁ ୨ଟି ଘରୋଇ ପରିବହନ ସଂସ୍ଥାର ଗାଡ଼ିରୁ ୩୦ କେଜି ସୁନା ଓ ରୁପା ୨୦୦ କେଜି ଜବତ କରାଯାଇଥିଲା। କିନ୍ତୁ ଛାନ୍ଭିନରୁ ଜଣାପଡ଼ିଥିଲା ଯେ ୪ କେଜି ସୁନା ଓ ୧୨୦ କେଜି ରୁପାର ଚାଲାଣ ରେକର୍ଡ ମେଳ ଖାଇନଥିଲା। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଚାଲାଣ ରେକର୍ଡ ଠିକ୍ ନଥିବା ସୁନା ଓ ରୁପାକୁ ଏବେ ବି କାହାକୁ ହସ୍ତାନ୍ତର କରାଯାଇନାହିଁ। ସେତେବେଳେ ପ୍ରାୟ ୨୦ଜଣ ଅଜଣା ବ୍ୟବସାୟୀଙ୍କ ନାଁରେ ଏସବୁ ସୁନା ଓ ରୁପା ଆସିଥିଲା। ସେମାନଙ୍କ ଠିକଣା ନ ମିଳିବାରୁ ପରିବହନ ସଂସ୍ଥା ବିଭିସି ଲଜିଷ୍ଟିକ୍ ଓ ଏୟାର୍ ଇଣ୍ଡିଆ ଏଜେନ୍ସି ଉପରକୁ ଅଙ୍ଗୁଳି ଉଠିଥିଲା। ଜିଏସ୍ଟି ବିଭାଗ ପକ୍ଷରୁ ଏହି ୨ ସଂସ୍ଥାକୁ ନୋଟିସ୍ କରାଯାଇଛି। ସେମାନଙ୍କୁ ଏହି ବେଆଇନ ଚାଲାଣ ପାଇଁ ଉତ୍ତରଦାୟୀ କରାଯାଇଛି। କିନ୍ତୁ ତଦନ୍ତ ସରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/GST.jpg)