ଦାରିଙ୍ଗବାଡ଼ି/ଫୁଲବାଣୀ/ବ୍ରହ୍ମପୁର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୬ ଗୁରୁତର ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକଦ୍ବୟ ହେଲେ  କୁମ୍ଭାରା ମାଝୀଙ୍କ ଝିଅ ରୁନି ମାଝୀ (୩୦) ଓ  ଅନିଲ ପାଟମାଝୀଙ୍କ ଝିଅ ରମିତା ପାଟମାଝୀ(୨୮)।  ଗୁରୁତରମାନେ ହେଲେ ପ୍ରଭାତୀ ମାଝୀ(୩୨), ସୁସନା ମାଝୀ( ୩୫), ଦିଶ ମାଝୀଙ୍କ ପତ୍ନୀ ଜିତା ମାଝୀ (୩୦), କୁପିସା ପାଟମାଝୀଙ୍କ ସ୍ତ୍ରୀ ଦ୍ରେଙ୍ଗାଲୁ ପାଟମାଝୀ (୫୫), କୁମ୍ଭାରା ମାଝୀଙ୍କ ପତ୍ନୀ ଜୀବନ୍ତି ପାଟମାଝୀ (୩୦) ଓ ସୁବୋଧ ମାଝୀଙ୍କ ପତ୍ନୀ ଟୁନି ମାଝୀ(୪୫)।  ମୃତକ ଓ ୬ ଗୁରୁତର ସମସ୍ତେ ମହିଳା।

Advertisment

ସୂଚନା ଅନୁସାରେ ମୃତାହତ ପରିବାରର ଲୋକେ ଗତ ୩୦ତାରିଖ ଦିନ ଆମ୍ବଟାକୁଆରେ ପ୍ରସ୍ତୁତ ଖାଦ୍ୟ ଖାଇଥିଲେ। ଗତକାଲି ରୁନିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ  ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।  ଗୁରୁତର ଥିବାରୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ତୁରନ୍ତ 
ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ରେଫର୍‌ କରିଥିଲେ। ହେଲେ ରାସ୍ତାରେ ରୁନିଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।  ଆଜି ସକାଳେ ପୁଣି ୭ ଗୁରୁତରଙ୍କୁ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବା ପରେ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସ୍ଥାନାନ୍ତର ବେଳେ ମୋହନା ନିକଟରେ ରନିତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୬ ଜଣଙ୍କୁ ଏବେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ତେବେ ଜିତା ମାଝିଙ୍କ ଅବସ୍ଥାରେ ସୁଧ‌ାର ନ‌ଆସିବାରୁ ଆଇସିୟୁ‌ରେ ରଖାଯାଇଛି। 

କନ୍ଧମାଳରେ ୨ ମୃତ, ଏମ୍‌କେସିଜିରେ ୬ ଗୁରୁତର
୩ ମାସ ହେଲା ମିଳିନି ବିପିଏଲ୍‌ ଚାଉଳ
ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ସ୍ବାସ୍ଥ୍ୟ ଟିମ୍‌ର ତନାଘନା

ମୃତକ ଓ ଗୁରୁତର ୬ ପରିବାର ଲୋକ ଆଦିବାସୀ ବର୍ଗର ହୋଇଥିବା ବେଳେ ଏମାନେ ବିପିଏଲ୍‌ଭୁକ୍ତ ଅଟନ୍ତି। ତିନିମାସ ହେଲା ଏମାନଙ୍କୁ ରାସନ ଚାଉଳ ଦିଆଯାଇ ନାହିଁ। ଫଳରେ ଖାଦ୍ୟାଭାବ ଯୋଗୁ ଏମାନେ ଆମ୍ବଟାକୁଆ ଖାଇଥିବା କୁହାଯାଉଛି। ଆଦିବାସୀ ବର୍ଗର ଲୋକେ ଆମ୍ବଟାକୁଆ ଖାଉଥିବା ଦେଖାଯାଏ। ମାତ୍ର ଏହାକୁ ତ୍ରୁଟିପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ଦ୍ବାରା ହୁଏତ ବିଷାକ୍ତ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। 
ଘଟଣାସ୍ଥଳରେ ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ କୁମାର ଶବର ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଉପସ୍ଥିତ ରହି ଦୁଇ ମୃତକ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ  ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ସନ୍ଧ୍ୟା ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ‌ାହିଁ। ଏହାକୁ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ବତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛି। ପୂର୍ବରୁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍‌ରେ ୨୦୦୧ ଓ ୨୦୧୬ରେ ଏଭଳି ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟିଥିଲା। ଦୀର୍ଘକାଳ ପରେ କନ୍ଧମାଳ ଜିଲ୍ଲାରେ ଏହି ଘଟଣାର ପୁନରାବୃତ୍ତି ହୋଇଛି। ୨୦୧୬ରେ କାଶୀପୁର ବ୍ଲକ୍‌ରେ  ଦୁଇ ଜଣଙ୍କ ମୃତ୍ୟୁ ଓ ୧୦ଜଣ ଅସୁସ୍ଥ ହୋଇଥିବା ବେଳେ ୨୦୦୧ରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିଲା।  

*   ଅମ୍ରିତ ଋତୁରାଜ, ଜିଲ୍ଲାପାଳ
ଘଟଣାର ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନେତୃତ୍ବରେ ଏମ୍‌ଏଚ୍‌ୟୁ ଟିମ୍‌ ଓ ଆଇଡିଏସ୍‌ପି ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି। ସେହିଭଳି ଦାରିଙ୍ଗିବାଡ଼ି ବିଡିଓ ଓ ତହସିଲଦାରଙ୍କ ନେତୃତ୍ବରେ ଅନ୍ୟ ଦୁଇଟି ଟିମ୍‌ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ। ଗ୍ରାମର ସମସ୍ତ ପରିବାର ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ସାମିଲ୍‌ ଅଛନ୍ତି।
* ସୁଶାନ୍ତ କୁମାର ପ୍ରଧାନ, ବ୍ଲକ୍‌ ଅଧ୍ୟକ୍ଷ
ବିପିଏଲ କାର୍ଡରେ ଚାଉଳ ପ୍ରଦାନ କରିବାରେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା କାରଣରୁ ଖାଦ୍ୟାଭାବ ଯୋଗୁ ଏହି ପରିବାର ଆମ୍ବଟାକୁଆ ଖାଇଥିବା କହିଛନ୍ତି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ। 
* ପିଟର ଦିଗାଲ, ବିଧାୟକ ପ୍ରତିନିଧି 
ବିଧାୟକଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ପିଟର ଦିଗାଲ ମଧ୍ୟ  ସମାନ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ବିପିଏଲ  ଚାଉଳ ଯୋଗାଣରେ ଅନିୟମିତତା ଯୋଗୁ ଆମ୍ବଟାକୁଆ ଖାଇ ଏହି ଅବସ୍ଥା ହୋଇଛି। 
*ଜୀବନ୍ତି ପାଟମାଝୀ, ଆକ୍ରାନ୍ତ ମହିଳା 
ସାହିର ରୁନୁ ମାଝୀ ଆମ୍ବ ଟାକୁଆରୁ ଜାଉ ପ୍ରସ୍ତୁତ କରିଥି‌ଲେ।  ବୁଧବାର ସକାଳେ  ଟାକୁଆରୁ ପ୍ରସ୍ତୁତ ଜାଉକୁ ସମସ୍ତେ ମିଳିମିଶି ଖାଇଥିଲେ। ଖାଇବାର କିଛି ସମୟ ପରେ ‌ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହେଲା ବୋଲି ଚେତା ଆସିବା ପରେ କହିଛନ୍ତି ଜୀବନ୍ତି। ଆମେ ପ୍ରାୟତଃ ଆମ୍ବଟାକୁଆରୁ ପ୍ରସ୍ତୁତ ଜାଉ  ଖାଇଥାଉ। କିନ୍ତୁ ଏହି ଜାଉ କିଛି ଦିନ ରହିଯାଇଥିବା କାରଣରୁ ଅଭାବନୀୟ ପରିସ୍ଥିତି ଉପୁଜିଲା। ଝାଡ଼ାବାନ୍ତି ହେଲା ପରେ ତେନ୍ତୁଳି ସହ ଲୁଣ ମିଶା ପାଣି ପିଇଥିଲୁ।