ବରଗଡ଼: ସ୍ବଚ୍ଛ ପ୍ରଶାସନ ପାଇଁ କୌଣସି ବିଭାଗରେ ଯେଭଳି ପିସି କାରବାର ନହେବ, ସେନେଇ କଡ଼ା ତାଗିଦ ହୋଇଛି। କିନ୍ତୁ ପିସି କାରବାର ପାଇଁ ଗ୍ରାମସଭାଗୁଡ଼ିକରେ ଭିତ୍ତିଭୂମି ସୃଷ୍ଟି କରାଯାଉଛି। ଗାଁର ଜରୁରି ପ୍ରକଳ୍ପ ପାଇଁ ପ୍ରଥମେ ଗ୍ରାମସଭା ମାଧ୍ୟମରେ ଏହାର ଚୟନ ଏବଂ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବା କଥା। କିନ୍ତୁ ଅଧିକାଂଶ ଗାଁରେ ଆଉ ଗ୍ରାମସଭା ବସୁନି। କେବଳ କିଛି ୱାର୍ଡ ସଦସ୍ୟଙ୍କ ଉପସ୍ଥିତିରେ କାଗଜପତ୍ରକୁ ଆଳ କରି କାମ ସାରି ଦିଆଯାଉଛି।
ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଏହାର ନମୁନା ଦେଖିବାକୁ ମିଳୁଛି। ଗ୍ରାମସଭା ଜରିଆରେ ଠିକାଦାରୀ ଏବଂ ପିସି କାରବାରକୁ ପ୍ରୋତ୍ସାହନ ଦିଆଯାଉଥିବା ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ ଗ୍ରାମସଭା ପାଇଁ ଉଦ୍ଦିଷ୍ଟ ନିୟମାବଳୀକୁ ଦଳିମଚକି ଦିଆଯାଉଛି। ନିୟମ ମୁତାବକ, ଗୋଟିଏ ଗ୍ରାମସଭା ବସିବାର ଅତିକମ୍ରେ ସପ୍ତାହେ ପୂର୍ବରୁ ଡାକବାଜି ଯନ୍ତ୍ର କିମ୍ବା ଅନ୍ୟ କୌଣସି ସାଧନ ଦ୍ବାରା ବୈଠକ ସଂପର୍କରେ ପ୍ରଚାର ହେବା କଥା। ବୈଠକରେ ଗ୍ରାମବାସୀ ହିଁ ତାଙ୍କ ପାଇଁ ଆବଶ୍ୟକ ଥିବା ଯୋଜନା ଏବଂ ପ୍ରକଳ୍ପ ଉପରେ ଆଲୋଚନା କରିବେ। କେଉଁ ପ୍ରକଳ୍ପ ଯୁଦ୍ଧକାଳୀନ ଭିତ୍ତିରେ ହେବା ଉଚିତ, ତାହାର ତାଲିକା ପ୍ରସ୍ତୁତ କରିବେ। ଅର୍ଥାତ୍ ଗ୍ରାମବାସୀଙ୍କ ଆବଶ୍ୟକତା ଦୃଷ୍ଟିରୁ ପ୍ରକଳ୍ପଗୁଡ଼ିକର ସୂଚୀ ପ୍ରସ୍ତୁତ ହେବା କଥା। କିନ୍ତୁ ଗ୍ରାମସଭାଗୁଡ଼ିକରେ ଏସବୁ କାମରେ ଜାଲିଆତି ହେଉଛି।
ଗ୍ରାମସଭା ସଂପର୍କରେ ଗ୍ରାମବାସୀଙ୍କୁ ସୂଚିତ କରାଯାଉନାହିଁ। ତରବରିଆ ଭାବେ ନାମକୁ ମାତ୍ର ବୈଠକ ଡକାଯାଉଛି। କେତେକ ସ୍ଥାନରେ ବୈଠକ ବି ହେଉନାହିଁ। ଯେଉଁ ପ୍ରକଳ୍ପରେ ଠିକାଦାରଙ୍କୁ ପ୍ରଚୁର ମୁନାଫା ମିଳିବ, ସେଭଳି ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଉଛି।
ଏହା ପରେ କିଛି ଗ୍ରାମବାସୀଙ୍କଠାରୁ ଦସ୍ତଖତ ନିଆଯାଉଛି। ଉଦାହରଣ ଭାବେ, ଯଦି କୌଣସି ଗ୍ରାମରେ ପୋଖରୀ କିମ୍ବା ରାସ୍ତାର ଆବଶ୍ୟକତା ରହିଥାଏ, ତେବେ ପ୍ରକଳ୍ପ ସୂଚୀରେ ତାହାକୁ ଉନ୍ନତୀକରଣ କାମ ବୋଲି ଉଲ୍ଲେଖ କରାଯାଉଛି। ପୋଖରୀ କିମ୍ବା ରାସ୍ତାର କିଭଳି ଉନ୍ନତୀକରଣ କାମ ହେବ, ତାହା ସ˚ପର୍କରେ ବିବରଣୀ ଉଲ୍ଲେଖ କରାଯାଉନାହିଁ। ଯଦ୍ବାରା ଗ୍ରାମସଭା ଆଳରେ ଠିକାଦାରଙ୍କ ଫାଇଦା ପାଇଁ ଗୋଟିଏ ହିସାବରେ ସଂପୂର୍ଣ୍ଣ ସୁଯୋଗ ଦିଆଯାଉଛି। ଅଧିକାଂଶ ଅଂଚଳରେ ଗ୍ରାମସଭାର ନିଷ୍ପତ୍ତିଗୁଡ଼ିକର ରେକର୍ଡ କରାଯାଉନାହିଁ। ସଭାର ବିବରଣୀ ପାଇଁ ଯେଉଁ ଦଲିଲ ପ୍ରସ୍ତୁତ କରାଯାଉଛି, ସେଥିରେ ଗ୍ରାମ କିମ୍ବା ପଞ୍ଚାୟତର ନାମ ମଧୢ ଉଲ୍ଲେଖ କରାଯାଉନାହିଁ। ଠିକାଦାରଙ୍କୁ ସୁହାଉଥିବା ପ୍ରକଳ୍ପଗୁଡ଼ିକୁ ସାଦା କାଗଜରେ ଭର୍ତ୍ତି କରିବା ପରେ ଗ୍ରାମସଭା ଆଳରେ ଜାଲ୍ ଦସ୍ତଖତ କରାଯାଉଥିବା ଜଣାପଡ଼ିଛି। ଯଦି ତୃଣମୂଳ ସ୍ତରରେ ପିସି କାରବାରକୁ ଏଭଳି ପ୍ରୋସାହନ ଦିଆଯାଉଛି, ତେବେ ଉପର ମହଲରେ ଏହାର ମୂଳପୋଛ କିଭଳି ସମ୍ଭବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।