ଭୁବନେଶ୍ବର: କନ୍ଧମାଳ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା। କନ୍ଧମାଳ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ୨୦୯୯ଟି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ୮୫.୫୦ କୋଟି ଟଙ୍କା। ଅନୁଗୁଳ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ୨୭୯୬ଟି ପ୍ରକଳ୍ପ ପାଇଁ ୧୧୨.୫୦ କୋଟି ଏବଂ ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀର ୧୬୬୨ ପ୍ରକଳ୍ପ ପାଇଁ ୭୪.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ବାଦ୍ ୩ଟି ଜିଲ୍ଲାର ୧୧୮ଟି ଗୁରୁତ୍ବପୂର୍ଣ୍ଣ ବିକାଶ ପ୍ରକଳ୍ପ ନିମନ୍ତେ ଆଉ ୪୬୪.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଏହି ଯୋଜନାର ଆରମ୍ଭ କରି କହିଥିଲେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡ଼ିକୁ ବିକାଶର ଶିଖରରେ ପହଞ୍ଚାଇବ। ସଂସ୍କୃତି ସହିତ ଆଧୁନିକତାର ସମନ୍ୱୟ ହିଁ ବିକାଶର ଆଦର୍ଶ ମାର୍ଗ। ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି କହିଥିଲେ, ଏବେ ଓଡ଼ିଶାରେ ଗାଁ ଲୋକମାନେ ବିକାଶର ପ୍ରକୃତ ଭାଗିଦାର ହୋଇଛନ୍ତି। ସେମାନଙ୍କ ଦାବି, ସେମାନଙ୍କ ଅନୁରୋଧ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ଅବସରରେ ସ୍ଥାନୀୟ ଲୋକଙ୍କ ଠାରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା। ତାହାକୁ ଭିତ୍ତି କରି ସବୁ ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ନିମନ୍ତେ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରୁଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। କନ୍ଧମାଳ ଜିଲ୍ଲାରେ ୩୯ଟି ପ୍ରକଳ୍ପ ପାଇଁ ୧୪୮.୩୭ କୋଟି, ଅନୁଗୁଳ ଜିଲ୍ଲାରେ ୪୬ଟି ପ୍ରକଳ୍ପ ପାଇଁ ୧୯୨.୦୬ କୋଟି ଓ ଗଜପତି ଜିଲ୍ଲାରେ ୩୩ଟି ପ୍ରକଳ୍ପ ପାଇଁ ୧୨୪.୦୬ କୋଟି ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉପ ବାଚସ୍ପତି ରଜନୀ କାନ୍ତ ସିଂହ, ସାଂସଦ ଚନ୍ଦ୍ରଶେଖର ସାହୁ, ମହେଶ ସାହୁ ଓ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଚକ୍ରମଣି କହଁର, ସାଲୁଗା ପ୍ରଧାନ, ଅଙ୍ଗଦ କହଁର, ବ୍ରଜ କିଶୋର ପ୍ରଧାନ, ମୁକେଶ ପାଲ୍, ସୁଶାନ୍ତ ବେହେରା ଓ ରମେଶ ଚନ୍ଦ୍ର ସାଏ ଆଭାସି ଜରିଆରେ ଆଲୋଚନାରେ ଭାଗ ନେଇଥିଲେ।